Vastu Nirmana Samaya

ଗୃହ ନିର୍ମାଣପାଈଁ ଶୁଭ ସମୟ


  ସାଧାରଣତଃ ଗୃହନିର୍ମାଣ ପାଇଁ ମେଷ ମାସ ବା ଏପ୍ରିଲ୍ ୧୪ରୁ ମେ ୧୫ତାରିଖ, ମିଥୁନ ମାସ ବା ଜୁନ୍ ୧୫ ରୁ ଜୁଲାଇ ୧୫ତାରିଖ ମଧ୍ୟରେ, କର୍କଟ ମାସ ବା ଜୁଲାଇ ୧୫ ରୁ ଅଗଷ୍ଟ ୧୫ତାରିଖ ମଧ୍ୟରେ, ତୁଳା ମାସ ବା ଅକ୍ଟୋବର ୧୫ ରୁ ନଭେମ୍ବର ୧୫ତାରିଖ ମଧ୍ୟରେ, ବିଚ୍ଛା ମାସ ବା ନଭେମ୍ବର ୧୫ରୁ ଡିସେମ୍ବର ୧୫ତାରିଖ ମଧ୍ୟରେ, କୁମ୍ଭ ମାସ ଫେବୃୟାରୀ ୧୫ରୁ ମାର୍ଚ୍ଚ ୧୫ତାରିଖ ମଧ୍ୟରେ। ଏହି ଛଅଟି ମାସ ଗୃହାରମ୍ଭ ପାଇଁ ସର୍ବଶ୍ରେଷ୍ଠ ଅଟେ।ବୈଶାଖ, ଆଷାଢ଼, ଶ୍ରାବଣ, କାର୍ତ୍ତିକ, ମାର୍ଗଶୀର ଓ ଫାଲଗୁନ ମାସର ଶୁକ୍ଳପକ୍ଷ, ଦ୍ୱିତୀୟା, ତୃତୀୟା, ସପ୍ତମୀ, ଅଷ୍ଟମୀ, ଦଶମୀ, ଏକାଦଶୀ, ତ୍ରୟୋଦଶୀ ତିଥିଗୁଡିକ ଉତ୍ତମ ଅଟେ। ବାର ମଧ୍ୟରେ ବୁଧ, ଗୁରୁ ଏବଂ ଶୁକ୍ରବାର ଉତ୍ତମ ଅଟେ। ରେବତୀ, ଉତ୍ତରାଫାଲଗୁନୀ,ଉତ୍ତରାଷାଢ଼ା, ଉତ୍ତରଭାଦ୍ରପଦ, ରୋହିଣୀ, ଶତଭିଷା, ମୂଳା, ଅନୁରାଧା, ଅଶ୍ୱିନୀ, ହସ୍ତା, ସ୍ୱାତୀ, ପୁନର୍ବସୁ, ଶ୍ରବଣା ଓ ଆର୍ଦ୍ରାନକ୍ଷତ୍ର ଗୃହାଦି ଆରମ୍ଭ ନିମନ୍ତେ ପ୍ରଶସ୍ତ। ରବିବାରରେ ଉତ୍ତରାଫାଲଗୁନୀ, ଉତ୍ତରାଷାଢ଼ା, ଉତ୍ତରଭାଦ୍ରପଦ,ରୋହିଣୀ,ହସ୍ତା,ମୂଳା ଓ ରେବତୀ ନକ୍ଷତ୍ର, ସୋମବାରରେ ଶ୍ରବଣା, ଧନିଷ୍ଠା, ରୋହିଣୀ, ମୃଗଶିରା, ପୂର୍ବାଫାଲଗୁନୀ, ଉତ୍ତରା ଫାଲଗୁନୀ, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ, ହସ୍ତା ଓ ଅଶ୍ୱିନୀ, ମଙ୍ଗଳବାରେ ପୂଷ୍ୟା, ଅଶ୍ଳେଷା, କୃତ୍ତିକା, ସ୍ୱାତୀ, ଉତ୍ତରଭାଦ୍ର ଓ ରେବତୀ, ବୁଧବାରେ କୃତ୍ତିକା, ରୋହିଣୀ, ଶତଭିଷା ଓ ଅନୁରାଧା, ଗୁରୁବାରେ ସ୍ୱାତୀ, ପୁନର୍ବସୁ, ପୂଷ୍ୟା ଓ ଅନୁରାଧା, ଶୁକ୍ରବାରେ ପୂର୍ବାଫାଲଗୁନୀ, ଉତ୍ତରା ଫାଲଗୁନୀ, ପୂର୍ବ ଭାଦ୍ର, ଉତ୍ତର ଭାଦ୍ର, ଅଶ୍ୱିନୀ, ଶ୍ରବଣା ଓ ଅନୁରାଧା ଏବଂ ଶନିବାରେ ସ୍ୱାତୀ ଓ ରୋହିଣୀ ନକ୍ଷତ୍ର ଭୋଗ ହେଲେ ନକ୍ଷତ୍ରାମୃତ ଯୋଗହୁଏ। ଏପରିଯୋଗ ଗୃହାରମ୍ଭାଦି ଶୁଭକର୍ମ ପାଇଁ ଉପଯୁକ୍ତ। ବିଷ୍କୁମ୍ଭଠାରୁ ବୈଧୃତି ପର୍ଯ୍ୟନ୍ତ ଜ୍ୟୋତିଷରେ ୨୭ଗୋଟି ଯୋଗ ଅଛି। ଏଥିମଧ୍ୟରୁ ବଜ୍ର, ବ୍ୟାଘାତ, ଶୂଳ, ବ୍ୟତୀପାତ୍‌, ଅତିଗଣ୍ଡ, ବିଷ୍କୁମ୍ଭ, ଗଣ୍ଡ ଓ ପରିଘଯୋଗ ପରିତ୍ୟାଗ କରି, ବାକି ଶୁଭଯୋଗଗୁଡିକ ଗୃହାରମ୍ଭ ପାଇଁ ଉପଯୁକ୍ତ। ଗୃହାରମ୍ଭ-ମୁହୂର୍ତ୍ତାଦି ନିର୍ଣ୍ଣୟ କରି ଗୃହାରମ୍ଭ କରାଗଲେ ଗୃହକର୍ତ୍ତାଙ୍କର ଶୁଭ ହେବ। ମାତ୍ର ସମସ୍ତ ଶୁଭ ସତ୍ତ୍ୱେ ଗୃହାରମ୍ଭ କାଳରେ ଶରଣ ପଞ୍ଚକ ଘଟୁଥିଲେ ସେ ସମୟରେ ତୃଣ କାଷ୍ଠ ଛେଦନ କରିବାର ବିଧାନ ନଥିବାରୁ ଚାଳଘର କିମ୍ବା କାଠ ଓ ବାଉଁଶର କିଳା ବା ଖୁମ୍ବ ଇତ୍ୟାଦି ପ୍ରୟୋଗ କରି ଗୃହନିର୍ମାଣ କରିବା ଅଶୁଭପ୍ରଦ। ପ୍ରଚଳିତ ମତରେ ଶରଣକାଳ ୫ଦିନ ମଧ୍ୟରେ ଗୃହାରମ୍ଭ କିମ୍ବା ଗୃହନିର୍ମାଣର ସମସ୍ତ କାର୍ଯ୍ୟ ବନ୍ଦ ରଖାଯାଏ।କିନ୍ତୁ ଏହି ବିଧାନ ଚାଳଘର ପାଇଁ ପ୍ରଯୁଜ୍ୟ ଥିଲା। ବର୍ତ୍ତମାନ ଲୁହା ରଡ଼୍ରେ ଲେଆଉଟ୍ କରି ତୃଣ, କାଷ୍ଠ ପ୍ରୟୋଗ ନକରି କୋଠାଘରମାନ ନିର୍ମାଣ କରିବାରେ ଶରଣ ପଞ୍ଚକର ଦୋଷାଦୋଷ ବିଚାରକୁ ନିଆଯିବ ନାହିଁ ବୋଲି ଶାସ୍ତ୍ର ପ୍ରମାଣ ଅଛି। ଗୃହନିର୍ମାଣ ସମୟରେ ଭୂମି ଶୟନ,ଭୂରୋଦନ,ଭୂରଜୋ ହରିଶୟନ ଆଦି ଦେଖି ଗୃହାରମ୍ଭ କରିବା ଉଚିତ୍‌। ଗୃହାରମ୍ଭ ସମୟରେ ଗୃହର୍ତ୍ତାଙ୍କର ରବି ଶୁଦ୍ଧି, ଚନ୍ଦ୍ରଶୁଦ୍ଧି ଓ ତାରାଶୁଦ୍ଧି ଦେଖି ଗୃହାରମ୍ଭ କରିବା ଉଚିତ୍।

error: Content is protected !!