Vastu Krushi

ବାସ୍ତୁ କଣ ? || ଗୃହ ଶୁଭଦେବା ଓ ନିର୍ମାଣ ପୂର୍ବରୁ ଜାଣନ୍ତୁ || ଗୃହ ପ୍ରବେଶ ବିଧି || ଗୃହ ନିର୍ମାଣପାଇଁ ଶୁଭ ସମୟ || ରାଶି ଅନୁଯାୟୀ ଗୃହାରମ୍ଭ || ରୋଗ ଓ ତାର ପ୍ରତିକାର || ଦିଗ ନିର୍ଣ୍ଣୟ || ବାସ୍ତୁ ଓ କୃଷିକ୍ଷେତ୍ର || ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ || ବାସ୍ତୁ ଦୋଷ ଓ ତାର ପ୍ରତିକାର

ବାସ୍ତୁ ଓ କୃଷିକ୍ଷେତ୍ର


   କୃଷି ପ୍ରକୃତିର ମାଟି, ପାଣି, ପବନ ଓ ସୂର୍ଯ୍ୟଙ୍କ ତେଜ ଉପରେ ନିର୍ଭର କରିଥାଏ। ବାସ୍ତୁଶାସ୍ତ୍ର ନୀତିନିୟମ ଅନୁଯାୟୀ ଯଦି, କୃଷିକ୍ଷେତ୍ରରନିର୍ବାଚନ, କୃଷିକ୍ଷେତ୍ରରେ ଗୃହନିର୍ମାଣ କରାଯାଏ, ତେବେ କୃଷି କ୍ଷେତ୍ରର ପରିଚାଳନା ଶୃଙ୍ଖଳିତ ହେବା ସହିତ କୃଷି ଉତ୍ପାଦନରେ ଯଥେଷ୍ଟ ଉନ୍ନତି ହେବ। ନୂତନ କୃଷିକ୍ଷେତ୍ର କିଣିବା ପରେ, ଭୂମିପୂଜା, ନବଗ୍ରହ ଶାନ୍ତି ପୂଜା କରି ଭୂମିକର୍ଷଣ, ମଞ୍ଜିବୁଣିବା, ଗଛ ଲଗାଇବା ଇତ୍ୟାଦି କୃଷି କାର୍ଯ୍ୟକ୍ରମ ଆରମ୍ଭ କରିବା ଉଚିତ। ପଶ୍ଚିମ ଦିଗରେ ରାସ୍ତାଥିବା କୃଷିକ୍ଷେତ୍ର, ଲାଭଜନକ ନୁହେଁ, ତେଣୁ, ଏପରି କ୍ଷେତ୍ର ଗ୍ରହଣୀୟ ନୁହେଁ। କୃଷି କ୍ଷେତ୍ର ଭୂମିର ଢ଼ାଲୁ ଦକ୍ଷିଣ କିମ୍ବା ପଶ୍ଚିମକୁ ହେବା ଅନୁଚିତ କାରଣ ଏହିପ୍ରକାର କୃଷିକ୍ଷେତ୍ରରୁ ଆୟ ତୁଳନାରେ ଖର୍ଚ୍ଚ ଅଧିକ ହେବ। ପୂର୍ବ କିମ୍ବା ଉତ୍ତରକୁ ଢ଼ାଲୁ ହେବା ଉଚିତ। ସମଗ୍ରକ୍ଷେତ୍ରକୁ ଉଚ୍ଚ ଓ ନୀଚ୍ଚ ଭୂଖଣ୍ଡରେ ଭାଗଭାଗ କରିବା ଅନୁଚିତ। କ୍ଷେତ୍ର ବର୍ଗାକାର କିମ୍ବା ଆୟତ୍ତାକାର ହେବା ଉଚିତ। ଏହିକ୍ଷେତ୍ରର ଦକ୍ଷିଣ-ପୂର୍ବ କିମ୍ବା ଦକ୍ଷିଣ-ପଶ୍ଚିମ ଖଣ୍ଡିତ ହେବା ଅନୁଚିତ। କୃଷିକ୍ଷେତ୍ରର ପଶ୍ଚିମ ଓ ଦକ୍ଷିଣ ଦିଗ ସୀମାରେ ଉଚ୍ଚ ବୃକ୍ଷ ରହିବା ହିତକର। କୌଣସି ଫସଲ ପାଇଁ ମଞ୍ଜି ବୁଣିବା ସମୟରେ, ଏହା ପୂର୍ବ-ଉତ୍ତର ଦିଗରୁ ଆରମ୍ଭ କରିବା ଉଚିତ୍ କାରଣ, ଏହା କ୍ଷେତ୍ରରେ ଗଛକୁ ଅଧିକ ସୂର୍ଯ୍ୟାଲୋକ ଯୋଗାଇଥାଏ।

ଦିଗ ଅନୁଯାୟୀ କୃଷି


ବାସ୍ତୁଶାସ୍ତ୍ରରେ ଗୃହ ନିର୍ମାଣ ଅପେକ୍ଷା ଫସଲ ଆମଦାନୀ କରିବାର ଅନେକ ବିଧିବିଧାନ ଅଛି। ବାସ୍ତ୍ରୁଶାସ୍ତ୍ର ନିୟମରେ ଚାଷକାର୍ଯ୍ୟ ଆରମ୍ଭ କଲେ କୌଣସି ଚାଷୀ କ୍ଷତିଗ୍ରସ୍ତ ହେବେନାହିଁ। ନୂତନ ଫସଲ ପାଇଁ କ୍ଷେତ୍ରରେ ହଳ କରିବା କାର୍ଯ୍ୟ, ଦକ୍ଷିଣ-ପୂର୍ବରୁ ଆରମ୍ଭ ହୋଇ ଉତ୍ତର ପୂର୍ବରେ ଘଣ୍ଟା କଣ୍ଟା ଚଳନ ପରି ଶେଷ ହେବା ଉଚିତ। ମଞ୍ଜି ବୁଣିବା କିମ୍ବା ବୃକ୍ଷରୋପଣ କାର୍ଯ୍ୟ ମଙ୍ଗଳବାର କିମ୍ବା ଶନିବାରରେ ହେଲେ କୃଷିକ୍ଷେତ୍ର ସମୂଳେ ନାଶ ହେବ। ବୃକ୍ଷରୋପଣ ବା ମଞ୍ଜିବୁଣିବା ସମୟରେ ପୂର୍ବକୁ ଚାହିଁ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିବା ଲାଭଜନକ। ବୃକ୍ଷରୋପଣ ବା ମଞ୍ଜିବୁଣିବା ସମୟରେ ଗାୟତ୍ରୀ ମନ୍ତ୍ରର କ୍ୟାସେଟ୍ ବଜାଇଲେ ଉତ୍ପାଦନ ଯଥେଷ୍ଟ ବୃଦ୍ଧି ହେବ। ବୃକ୍ଷରୋପଣ ବା ମଞ୍ଜିବୁଣିବା କାର୍ଯ୍ୟ, ଦକ୍ଷିଣ-ପୂର୍ବଦିଗରୁ (ଅଗ୍ନିକୋଣରୁ) ଆରମ୍ଭ ହୋଇ, ପରେ ଦକ୍ଷିଣ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ, ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ଓ ପରେ ପୂର୍ବଦିଗରେ ଶେଷ ହେବା ଉଚିତ, କିନ୍ତୁ, ଫସଲ ଅମଳ ସମୟରେ, ଉତ୍ତର-ପଶ୍ଚିମରୁ (ବାୟୁକୋଣରୁ) ଆରମ୍ଭ ହୋଇ, ପରେ ଉତ୍ତର, ଉତ୍ତର-ପୂର୍ବ, ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଓ ଶେଷରେ, ପଶ୍ଚିମରେ ଶେଷ ହେବା ଉଚିତ। ଫସଲ ଅମଳ କିମ୍ବା ସାର ଦେବା ସମୟରେ, ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରିବା ଉଚିତ, କିନ୍ତୁ, ଦକ୍ଷିଣ ଦିଗକୁ କେବେବି ମୁହଁ କରିବେ ନାହିଁ। କ୍ଷେତ୍ରର, ଦକ୍ଷିଣ-ପୂର୍ବ କୋଣରେ, ଗୋଟିଏ ଗର୍ତ୍ତକରି, ପ୍ରଥମ ଫସଲର କିଛି ଅଂଶ ଅଗ୍ନିଦେବତାଙ୍କୁ ସମର୍ପଣ କରିବା ବାସ୍ତୁ ସମ୍ମତ୍ତ। ନଦୀ, ହ୍ରଦ, ଜଳନିଷ୍କାସନ, ସଫେଇନାଳୀ, ଜଳାଶୟ ଓ ଜଳନାଳ, ନୂତନ କୃଷିକ୍ଷେତ୍ର୍ରର ଉତ୍ତର କିମ୍ବା ପୂର୍ବରେ ଥିଲେ ଶୁଭ କିନ୍ତୁ, ଯଦି, ନଦୀ, ହ୍ରଦ, ପୁଷ୍କରିଣୀ ଓ ଜଳନାଳ ଇତ୍ୟାଦି, କ୍ଷେତ୍ରର ଦକ୍ଷିଣ ଦିଗରେ ଥାଏ, ତେବେ, ଏପରି କ୍ଷେତ୍ର ଅତ୍ୟନ୍ତ ଅଶୁଭ ଓ କ୍ଷତିକାରକ। ବୁନ୍ଦାଜଳ କିମ୍ବା ସିନଞ୍ଚଜଳର ବ୍ୟବସ୍ଥାଲାଗି, ଉଚ୍ଚପତ୍ତନ ପାଣିଟାଙ୍କି କ୍ଷେତ୍ରର ପଶ୍ଚିମ ଦିଗରେ ରହିବା ହିତକର। କ୍ଷେତ୍ରର ମୁଖ୍ୟପ୍ରବେଶ ଫାଟକ ସମ୍ମୁଖରେ, ଉଚ୍ଚବୃକ୍ଷ, ବିଜୁଳିଖୁଣ୍ଟ, କୂପ କିମ୍ବା ଉଚ୍ଚ ପାଣିଟାଙ୍କିର ସ୍ଥିତି ଅତ୍ୟନ୍ତ କ୍ଷତିକାରକ। ଭୂତଳ ଜଳଭଣ୍ଡାର ଯଥା – ପୁଷ୍କରିଣୀ, ନଳକୂପ କ୍ଷେତ୍ରର ଉତ୍ତର କିମ୍ବା, ପୂର୍ବ କିମ୍ବା ଐଶାନ୍ୟ ଦିଗରେ ରହିବା ଉଚିତ। ବାୟୁକୋଣ, ଦକ୍ଷିଣ, ଅଗ୍ନିକୋଣ, ନୈଋତକୋଣ ଓ ପଶ୍ଚିମରେ ଜଳର ସ୍ଥିତି, କୃଷି କ୍ଷେତ୍ରର ଅନେକ କ୍ଷତି ଘଟାଇଥାଏ। ଚାଷ ଜମିରୁ ନିଷ୍କାସିତ ଜଳର ପ୍ରବାହ ଦକ୍ଷିଣରୁ ଉତ୍ତରକୁ କିମ୍ବା ପଶ୍ଚିମରୁ ପୂର୍ବକୁ ହେବା ଆବଶ୍ୟକ। କର୍ତ୍ତାଙ୍କର ବାସଗୃହ କ୍ଷେତ୍ରର ଦକ୍ଷିଣ,ପଶ୍ଚିମ ଭାଗରେ ଓ କୃଷିକ୍ଷେତ୍ରରେ ନିୟୋଜିତ କର୍ମଚାରୀ ଓ ଶ୍ରମିକ ମାନଙ୍କ ନିମିତ୍ତ ବାସଗୃହ, ବାୟୁକୋଣ କିମ୍ବା ପଶ୍ଚିମ ଦିଗରେ ହେବା ଉଚିତ।

ବଳଦ, ଗାଈ ଓ ଅନ୍ୟାନ୍ୟ ଗୃହପାଳିତ ପଶୁମାନଙ୍କ ନିମିତ୍ତ ଗୃହ, କ୍ଷେତ୍ରର ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ବାସ୍ତୁ ସମ୍ମତ। ଗାଈ, ବଳଦଙ୍କୁ ଏପରି ବାନ୍ଧିବେ ଯେପରି ସେମାନଙ୍କ ମୁହଁ ଉତ୍ତରକୁ ରହିବ। ଏପରି ସମ୍ଭବ ନହେଲେ, ପୂର୍ବକୁ ମୁହଁକରି ବାନ୍ଧିଲେ କୌଣସି କ୍ଷତି ନାହିଁ। ଗୃହ ପାଳିତ ପଶୁଙ୍କୁ ଉତ୍ତରଦିଗ, ଅଗ୍ନିକୋଣ, କିମ୍ବା ପୂର୍ବଦିଗ, ଐଶାନ୍ୟକୋଣରେ ବାନ୍ଧିବା ଅନୁଚିତ କାରଣ ସେମାନଙ୍କର ମୁହଁ ଦକ୍ଷିଣକୁ ରହିଲେ କ୍ଷତିକାରକ। ବଳଦ ଓ ଗାଈ ଇତ୍ୟାଦିଙ୍କର ମଳ, ମୂତ୍ର,କ୍ଷେତ୍ରରେ ଦକ୍ଷିଣ-ପୂର୍ବଭାଗରେ ରହିବା ଉଚିତ, କିନ୍ତୁ ଫସଲ ପାଇଁ ବ୍ୟବହୃତ ସାର ଓ କୀଟ ନାଶକ ଔଷଧ ଆଦି କ୍ଷେତ୍ରର ପଶ୍ଚିମ ଭାଗରେ ରହିବା ଆବଶ୍ୟକ।ପ୍ରତି ଅମାବାସ୍ୟା ଦିନ, ଗୋଟିଏ ଲେମ୍ବୁ ଓ ସାତଗୋଟି କଞ୍ଚାଲଙ୍କା, କୃଷିକ୍ଷେତ୍ରର ମୁଖ୍ୟ ପ୍ରବେଶ ଦ୍ୱାରରେ ବାନ୍ଧିଲେ, କ୍ଷେତ୍ରପ୍ରତି ମଙ୍ଗଳ ହେବ। କ୍ଷେତ୍ରର ଦକ୍ଷିଣ-ପଶ୍ଚିମ କୋଣରେ, କୃଷି ଉପକରଣ ଆଦି ରହିବା ଉଚିତ, କିନ୍ତୁ ବଳଦ ଗାଡ଼ି, ଅମଳ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଯାନ, ଉତ୍ତର କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ, କିନ୍ତୁ କେବେବି ଉତ୍ତର-ପୂର୍ବ ଦିଗରେ ଯନ୍ତ୍ରପାତି କିମ୍ବା କୃଷି କାର୍ଯ୍ୟର ବ୍ୟବହୃତ ଓଜନ ଦ୍ରବ୍ୟ ରଖିବେ ନାହିଁ।

କୃଷି କ୍ଷେତ୍ରରେ ଟ୍ରାକ୍ଟର, ଟ୍ରକ ଓ ଅନ୍ୟାନ୍ୟ ଯାନ୍ତ୍ରିକ ଯାନ ଇତ୍ୟାଦି, ଉତ୍ତର କିମ୍ବା ପୂର୍ବକୁ ମୁହଁକରି ରଖିଲେ ଲାଭବାନ୍ ହେବେ ଉତ୍ପାଦନ ଶସ୍ୟ ବଜାରକୁ ବିକ୍ରୀ ଉଦେ୍ଦଶ୍ୟରେ ନେବା ସମୟରେ, ଉତ୍ତର, ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗର ଫାଟକ ଦେଇ ବାହାରକୁ ଯିବେ। ଏହାଦ୍ୱାରା ଚଞ୍ଚଳ ବିକ୍ରୀ ହେବା ସହିତ ଉଚ୍ଚମୂଲ୍ୟରେ ଶସ୍ୟ ବଜାରରେ ବିକ୍ରୀ ହେବ। ଉତ୍ତର-ପୂର୍ବ ଫାଟକ ଦେଇ ବଜାରକୁ ଗଲେ, ବିକ୍ରୀରେ ବିଳମ୍ବ ଘଟିକା ସହ ଶସ୍ୟରମୂଲ୍ୟ ହାତକୁ ଆସିବାରେ ବିଳମ୍ବ ହେବ। ଦକ୍ଷିଣ-ପଶ୍ଚିମ ଫାଟକ ଦେଇ, ଶସ୍ୟ ବଜାରକୁ ନେଲେ ଉଚିତ୍ ମୂଲ୍ୟରେ ବିକ୍ରି ହୋଇପାରିବ ନାହିଁ। ଦକ୍ଷିଣ-ପୂର୍ବ ଫାଟକ ଦେଇନେଲେ, କ୍ଷତି ହେବା ସହିତ ନାନାପ୍ରକାର ସମସ୍ୟା ସୃଷ୍ଟି ହେବ। କୃଷି ଉତ୍ପାଦନ ଯଦି ବହୁଳ ପରିମାଣରେ ହେଉଥାଏ ତେବେ ଶସ୍ୟକୁ କ୍ଷେତ୍ରର ପଶ୍ଚିମ ଭାଗରେ ଗଦାକରିବା ଉଚିତ। ଶସ୍ୟକୁ ଅଖାରେ ଭରିବା, ସିଲାଇ କରିବା ଓ ବିଭିନ୍ନ ସ୍ଥାନକୁ ରପ୍ତାନି କିରିବା କାର୍ଯ୍ୟ, ପଶ୍ଚିମ ଦିଗର ଉତ୍ତର-ପଶ୍ଚିମାଂଶରେ ବା ବାୟୁକୋଣରେ ହେବା ବାସ୍ତୁ ସମ୍ମତ୍ତ। ଫୁଲଚାଷ ପାଇଁ କ୍ଷେତ୍ରର ପୂର୍ବ ଭାଗରେ,ଲାଲ ଓ ଗୋଲାପି ରଙ୍ଗର ଫୁଲ, ଉତ୍ତରରେ ହଳଦିରଙ୍ଗର ଫୁଲ, ଦକ୍ଷିଣରେ ନୀଳ ଓ ନୀଳ ମିସାରଙ୍ଗର ଫୁଲ, ପଶ୍ଚିମ ଦିଗରେ ବାଇଗଣୀରଙ୍ଗର ଫୁଲ ରହିବା ଉଚିତ। କ୍ଷେତ୍ରର ମଧ୍ୟଭାଗରେ, ଉଚ୍ଚ ଭୂଖଣ୍ଡ ଉଚ୍ଚବୃକ୍ଷ, ଫୁଲଗଛ କିମ୍ବା କୌଣସି ପ୍ରକାର ଫସଲ ରହିବା ଅନୁଚିତ।

ଦକ୍ଷିଣ କିମ୍ବା ପଶ୍ଚିମରେ ଉଚ୍ଚ ଭୂଖଣ୍ଡର ସ୍ଥିତି କ୍ଷତିକାରକ ନୁହେଁ। କ୍ଷେତ୍ରର ପୂର୍ବ ଭାଗରେ କିଛି ଅଂଶରେ କଳା ତୁଳସୀ ଲଗାଇଲେ, କୃଷି କ୍ଷେତ୍ରରେ ଫଲସ ଉତ୍ପାଦନରେ ବୃଦ୍ଧି ହେବ। ଛୋଟ ଛୋଟ ବୃକ୍ଷ ଦକ୍ଷିଣ କିମ୍ବା ପଶ୍ଚିମ ଖଣ୍ଡରେ ଓ ଉଚ୍ଚବୃକ୍ଷ ପୂର୍ବ କିମ୍ବା ଉତ୍ତରଖଣ୍ଡରେ ରହିବା ଉଚିତ୍। ଏହାଦ୍ୱାରା କୃଷିକ୍ଷେତ୍ରରେ ସୂର୍ଯ୍ୟଙ୍କ କିରଣ ଠିକ୍ଭାବରେ ପଡିପାରିବ ଏବଂ ଭଲ ଫସଲ ମଧ୍ୟ ଉତ୍ପାଦନ ହେବାରେ ସାହାଯ୍ୟ କରିବ। ଡାଳିମ୍ବ ଗଛ ପଶ୍ଚିମରେ, ଆମ୍ବ ନଡିଆ ଗୁଆ ଇତ୍ୟାଦି ଉତ୍ତରଦିଗରେ ରହିବା ଉଚିତ। କଦଳୀ ଚାଷ ପାଇଁ କ୍ଷେତ୍ରର ପୂର୍ବଭାଗ କିମ୍ବା ଉତ୍ତର-ପୂର୍ବ ଦିଗର ଉତ୍ତରାଂଶ ଉପଯୁକ୍ତ। କ୍ୟାକ୍ଟସ ଓ ଅନ୍ୟାନ୍ୟ ଧଳା କ୍ଷୀର ଥିବା କଣ୍ଟାଜାତୀୟ ଗଛ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଅନୁଚିତ।

ନିଜ ଅଧିକୃତ କୃଷି କ୍ଷେତ୍ରକୁ ଲାଗି ନୂତନ କୃଷି କ୍ଷେତ୍ର କିଣିବାକୁ ଚାହିଁଲେ ଯେ କୌଣସି ଦିଗରେ ନୂତନ କ୍ଷେତ୍ରର ସ୍ଥିତିଥିଲେ ମଧ୍ୟ କୌଣସି କ୍ଷତିକାରକ ନୁହେଁ। କୃଷି କ୍ଷେତ୍ରର ଚତୁଃପାଶ୍ୱର୍ରେ ବିଚାର ନକରି ଯେତେଅଧିକ ମୂଲ୍ୟ ହେଲେ ମଧ୍ୟ କିଣିବା ଉଚିତ୍ କିନ୍ତୁ ଗୃହ ନିକଟରେ କ୍ଷେତ୍ର କିଣିବାକୁ ଇଛା କଲେ ଉତ୍ତର ପୂର୍ବଦିଗରେ ହୋଇଥିବା ଉଚିତ। ଦକ୍ଷିଣ କିମ୍ବା ପଶ୍ଚିମରେ, ନୂତନ କ୍ଷେତ୍ର କିଣିବା ଅତ୍ୟନ୍ତ କ୍ଷତିକାରକ। ତେଣୁ ବିନାମୂଲ୍ୟରେ ଦେଲେ ମଧ୍ୟ ଗ୍ରହଣୀୟ ନୁହେଁ। ନଦୀ, ହ୍ରଦ, ଜଳ ନିଷ୍କାସନ ସଫେଇ ନାଳୀ, ଜଳାଶୟ ଓ ଜଳ ନାଳ, ନୂତନ କୃଷିକ୍ଷେତର୍ରର ଉତ୍ତର କିମ୍ବା ପୂର୍ବରେ ଥିଲେ ଶୁଭ କିନ୍ତୁ ଯଦି ନଦୀ ହ୍ରଦ, ପୁଷ୍କରିଣୀ ଓ ଜଳନାଳ ଇତ୍ୟାଦି, କ୍ଷେତ୍ରର ଦକ୍ଷିଣ ଦିଗରେ ଥାଏ, ତେବେ, ଏପରି କ୍ଷେତ୍ର କ୍ରୟକଲେ ଅତ୍ୟନ୍ତ ଅଶୁଭ କ୍ଷତିକାରକ।

ବୁନ୍ଦାଜଳ କିମ୍ବା ସିଞ୍ଚନଜଳର ବ୍ୟବସ୍ଥାଲାଗି ଉଚ୍ଚପତ୍ତନ ପାଣିଟାଙ୍କି କ୍ଷେତ୍ରର ପଶ୍ଚିମ ଦିଗରେ ରହିବା ହିତକର। କ୍ଷେତ୍ରର ମୁଖ୍ୟପ୍ରବେଶ ଫାଟକ ସମ୍ମୁଖରେ ଉଚ୍ଚ ବୃକ୍ଷ, ବିଜୁଳିଖୁଣ୍ଟ, କୂପ କିମ୍ବା ଉଚ୍ଚ ପାଣିଟାଙ୍କିର ସ୍ଥିତି ଅତ୍ୟନ୍ତ କ୍ଷତିକାରକ। କୃଷିକ୍ଷେତ୍ରରେ ପରୀକ୍ଷାଗାର କ୍ଷେତ୍ରର ପଶ୍ଚିମ ଭାଗରେ ରହିବା ଉଚିତ। ଜେନେରେଟର୍, ଟ୍ରାନ୍ସଫରମର୍ କିମ୍ବା ବିଜୁଳୀ ଖୁଣ୍ଟ ଇତ୍ୟାଦି ଦକ୍ଷିଣ-ପୂର୍ବ କିମ୍ବା ପଶ୍ଚିମ ଦିଗରେ ରହିବା ବିଧେୟ। ମୁଖ୍ୟ ବିଜୁଳୀତାର, କୃଷିକ୍ଷେତ୍ରର ମଧ୍ୟଭାଗରେ ଅତିକ୍ରମ କରିବା କ୍ଷତିକାରକ। ମାଛଚାଷ ପାଇଁ ଉଦ୍ଦିଷ୍ଟ ପୁଷ୍କରିଣୀ, କ୍ଷେତ୍ରର ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ କିନ୍ତୁ, କଦାପି ଦକ୍ଷିଣ ପଶ୍ଚିମ ଭାଗରେ ନୁହେଁ। କୁକୁଡ଼ାଚାଷ, କ୍ଷେତ୍ରର ପଶ୍ଚିମ ଖଣ୍ଡରେ, ଛେଳିଚାଷ, ପଶ୍ଚିମ କିମ୍ବା ଦକ୍ଷିଣ ଖଣ୍ଡରେ କରିବା ଲାଭଦାୟକ। ଫୁଲ ଚାରା ବିକ୍ରୀ ଉଦେ୍ଦଶ୍ୟରେ, ନର୍ସରୀ କ୍ଷେତ୍ରର ପୂର୍ବ କିମ୍ବା ପଶ୍ଚିମ ଖଣ୍ଡରେ ରହିବା ଉଚିତ। କୃଷିକ୍ଷେତ୍ର ପାଇଁ ଜଗୁଆଳିଙ୍କ ଗୃହ, ପଶ୍ଚିମଦିଗର ଉତ୍ତର-ପଶ୍ଚିମ ବା ବାୟୁ କୋଣରେ କିମ୍ବା ପୂର୍ବ ଦିଗର ଦକ୍ଷିଣ -ପୂର୍ବ ଅଗ୍ନିକୋଣରେ କିମ୍ବା ଦକ୍ଷିଣ ଦିଗରେ ରହିବା ଉଚିତ କିନ୍ତୁ ଦକ୍ଷିଣ-ପଶ୍ଚିମ ବା ବାୟୁ କୋଣରେ ହେବା ଅନୁଚିତ। ଏହାଦ୍ୱାରା ମାଲିକଙ୍କର ଅନେକ କ୍ଷୟକ୍ଷତି ହୋଇଥାଏ। ସୂର୍ଯ୍ୟାସ୍ତପରେ, କୃଷି କ୍ଷେତ୍ରରେ କୌଣସି କାର୍ଯ୍ୟ କରିବା ବାସ୍ତୁ ସମ୍ମତ ନୁହେଁ। ଏପରିକି କୌଣସି ପଶୁକୁ ମଧ୍ୟ ନିୟୋଜିତ କରିବା ଅନୁଚିତ। କୃଷି କ୍ଷେତ୍ରରେ ମନ୍ଦିର ନିର୍ମାଣ କରିବା ଅନୁଚିତ।

ବାସ୍ତୁ କଣ ? || ଗୃହ ଶୁଭଦେବା ଓ ନିର୍ମାଣ ପୂର୍ବରୁ ଜାଣନ୍ତୁ || ଗୃହ ପ୍ରବେଶ ବିଧି || ଗୃହ ନିର୍ମାଣପାଇଁ ଶୁଭ ସମୟ || ରାଶି ଅନୁଯାୟୀ ଗୃହାରମ୍ଭ || ରୋଗ ଓ ତାର ପ୍ରତିକାର || ଦିଗ ନିର୍ଣ୍ଣୟ || ବାସ୍ତୁ ଓ କୃଷିକ୍ଷେତ୍ର || ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ || ବାସ୍ତୁ ଦୋଷ ଓ ତାର ପ୍ରତିକାର

error: Content is protected !!