ବାସ୍ତୁ କଣ ? || ଗୃହ ଶୁଭଦେବା ଓ ନିର୍ମାଣ ପୂର୍ବରୁ ଜାଣନ୍ତୁ || ଗୃହ ପ୍ରବେଶ ବିଧି || ଗୃହ ନିର୍ମାଣପାଇଁ ଶୁଭ ସମୟ || ରାଶି ଅନୁଯାୟୀ ଗୃହାରମ୍ଭ || ରୋଗ ଓ ତାର ପ୍ରତିକାର || ଦିଗ ନିର୍ଣ୍ଣୟ || ବାସ୍ତୁ ଓ କୃଷିକ୍ଷେତ୍ର || ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ || ବାସ୍ତୁ ଦୋଷ ଓ ତାର ପ୍ରତିକାର
ବାସ୍ତୁ କଣ ?
ବାସ୍ତୁ ଶବ୍ଦ ସଂସ୍କୃତରେ ‘ବସ୍’ ଧାତୁର ନିଷ୍ପନ୍ନ, ଯାହାର ଅର୍ଥ ନିବାସ, ବାସସ୍ଥାନ, ଆବାସ, ଆଶ୍ରୟସ୍ଥଳୀ ଇତ୍ୟାଦି। ଗୃହ ରଚନା ଯୋଗ୍ୟ ଅବିଚ୍ଛିନ୍ନ ଭୂମିକୁ ବାସ୍ତୁ କୁହାଯାଏ। ଗୃହ ବାଧା ବିଘ୍ନରୁ ଓ ପ୍ରାକୃତିକ ବିତ୍ପାତରୁ ରକ୍ଷାକରେ। ବାସ୍ତୁକଳାର ଅଧିଷ୍ଠାତା ଦେବତାଙ୍କୁ ବାସ୍ତୁପୁରୁଷ ବା ବାସ୍ତୁଦେବତା କହନ୍ତି। ମଣିଷ ଜୀବନରେ କେବଳ ଆଖ ପାଖର ବାତାବରଣ, ପରିବେଶର ପ୍ରଭାବ ପଡ଼େନାହିଁ। ବରଂ ମାଟିର ସେହି ଭୂଖଣ୍ଡ ଏବଂ ତାହା ଉପରେ ତିଆରି ହୋଇଥିବା ବାସଗୃହର ମଧ୍ୟ ପ୍ରଭାବ ପଡ଼ିଥାଏ। ପ୍ରାଚୀନ କାଳର ଋଷି-ମନୀଷିମାନେ ଏହି ତଥ୍ୟ ସହିତ ଭଲଭାବେ ପରିଚିତ ଥିଲେ। ସେଥିପାଇଁ ସେମାନେ ଗୃହ ନିର୍ମାଣ କଳାକୁ ବାସ୍ତୁବିଜ୍ଞାନ ସହିତ ସଂଶ୍ଲିଷ୍ଟକରି ରଖିଥିଲେ ଏବଂ ଚାରିଉପବେଦ ମଧ୍ୟରୁ ‘ସ୍ତାପତ୍ୟବେଦ’ ନାମରେ ଏକ ସ୍ୱତନ୍ତ୍ର ବେଦ ରଚନା କରିଥିଲେ। ଏହି ସ୍ତାପତ୍ୟ ବେଦର ଆଧାର ଉପରେହିଁ ଆମର ଅନେକ ମନ୍ଦିର ଏବଂ ଅନେକ ଐତିହାସିକ ଭବନ ନିର୍ମିତ ହୋଇଥିଲା। ସେ ଗୁଡ଼ିକ ମଧ୍ୟରୁ ଅନେକ ଏବେ ମଧ୍ୟ ମୁକସାକ୍ଷୀ ସ୍ୱରୂପ ଦଣ୍ଡାୟମାନ। ଏହିସବୁ ନିର୍ମାଣ ମଧ୍ୟରେ ପ୍ରବେଶକଲେ ବ୍ୟକ୍ତି ଅପରିମିତ ସୁଖଶାନ୍ତି ଅନୁଭବ କରିଥାଏ। ଭାରତୀୟ ସଂସ୍କୃତିରେ ଭବନ ନିର୍ମାଣ କଳାକୁ ଏକ ଧାର୍ମିକ କାର୍ଯ୍ୟବୋଲି ମନେ କରାଯାଇ ଏହାକୁ ଜୀବନର ପୁରୁଷାର୍ଥ ଚତୁଷ୍ଟୟ ମଧ୍ୟରେ ଗଣନା କରାଯାଇଛି।
ବୃହତ୍ ପାରାଶର ସମ୍ପୂର୍ଣ୍ଣ ବାସ୍ତୁବିଜ୍ଞାନ ରେ ଭବନ ନିର୍ମାଣ ଉଦେ୍ଦଶ୍ୟକୁ ସ୍ପଷ୍ଟ କରିବାକୁ ଯାଇ କୁହାଯାଇଛି ଯେ:
“ସ୍ତ୍ରୀ ପୁତ୍ରାଦିକ ଭୋଆରଣ୍ୟ ଜନନଂ ଧର୍ମାର୍ଥ କାମପୁରମ୍ ଜନ୍ତୁ ନାମୟନଂ ସୁଖାସ୍ୟ ମିଂ ଶୀତାମ୍ବୁ ଧର୍ମାହମ୍“
ଅର୍ଥାତ୍- ସ୍ତ୍ରୀ ପୁତ୍ରାଦି, ସୁଖ, ଧର୍ମ, ଅର୍ଥ, କାମ ପ୍ରଦାନକାରୀ, ପଶୁସମୂହ ଗାଈଗୋରୁ, ଛେଳି, ମେଣ୍ଢା, ବଳଦ,ଘୋଡ଼ା,ହାତୀ ଆଦିର ସୁଖସ୍ଥାନ, ଶୀତତାପ ନିୟନ୍ତ୍ରିତ, ଜଳ, ବାୟୁ, ସୂର୍ଯ୍ୟଙ୍କଉତ୍ତାପ କଷ୍ଟ ଦୂର କାରୀ ଏକ ମାତ୍ର ଗୃହ। ବାସ୍ତ୍ୁଶାସ୍ତ୍ର ଅନୁସାରେ ଗୃହ ନିର୍ମାଣ କଲେ ଗୃହସ୍ୱାମୀ ଏବଂ ତହିଁରେ ବାସ କରୁଥିବା ସଦସ୍ୟ ମାନଙ୍କୁ ପାରିବାରିକ, ଆର୍ଥିକ, ଶାରୀରିକ, ମାନସିକ କଷ୍ଟ ଭୋଗିବାକୁ ପଡ଼େ ନାହିଁ। ପୃଥିବୀର କୋଣ ଅନୁକୋଣରେ ପୂର୍ବୋତ୍ତର ଦିଗକୁ ମୁହଁକରି ବାସ୍ତୁଦେବତା ଶୟନ କରିଛନ୍ତି। ଯଥା- ବାସ୍ତୁ ଦେବତାଙ୍କୁ ପ୍ରଶନ୍ନକରି ଗୃହ ନିର୍ମାଣ କଲେ ବ୍ୟକ୍ତି ସୁଖଶାନ୍ତିରେ ରହି ପ୍ରଗତି କରିପାରିବ। ଯେଉଁଶାସ୍ତ୍ରରେ ଗୃହ ନିର୍ମାଣର ସର୍ବାଧିକ ନିୟମ ରହିଛି ତାହାକୁ ବାସ୍ତୁ ଶାସ୍ତ୍ର କୁହାଯାଏ।
ବାସ୍ତୁଶାସ୍ତ୍ରର ପ୍ରଧାନ ବିଚାର ବିଷୟରେ ମହାତ୍ମା ପରାଶର କହିଛନ୍ତି।
“ଦକ୍ଷିଣେଶୋଇବ, ଉତ୍ତରେ ଥୋଇବ, ପୂରୁବେ ରାନ୍ଧିବ, ପଶ୍ଚିମେ ବାନ୍ଧିବ, ଉତ୍ତର ପୂରୁବ ନଳା,ପଶ୍ଚିମେ ନରଖ ଜଳା, କହେ ପରାଶର ପ୍ରେତ ଦେବେ କିଳିକିଳା। ”
ବାସ୍ତୁପୁରୁଷ
ବିଶ୍ୱକର୍ମା ପ୍ରକାଶ, ବାସ୍ତୁ ରତ୍ନାବଳୀ, ସମରାଙ୍ଗଣ ଶିଳ୍ପଶାସ୍ତ୍ର ଅନୁସାରେ ବାସ୍ତୁପୁରୁଷ ଭାଦ୍ରବ ମାସର କୃଷ୍ଣପକ୍ଷ ଦ୍ୱାଦଶୀତିଥି ଶନିବାର, ଆର୍ଦ୍ରା ନକ୍ଷତ୍ର, ବ୍ୟତିପାତ ଯୋଗ ଓ ବିଷ୍ଟିକରଣରେ ଜନ୍ମ ହୋଇଛନ୍ତି। ବାସ୍ତୁପୁରୁଷଙ୍କ ଉତ୍ପତ୍ତି ବିଷୟରେ ବିଭିନ୍ନ ପୌରାଣିକ ଗଳ୍ପ ଅଛି। କପିଳ ପାଞ୍ଚରାତ୍ର ମତରେ, ବାସ୍ତୁ ପୁରୁଷ ହେଉଛନ୍ତି ପ୍ରଜାପତି କଶ୍ୟପଙ୍କ ପୁତ୍ର। ଏହାଙ୍କ ମାତା ସିଂହିକା ଓ ଭାଇ ରାହୁ। ସେ ବେଳରେ ବାସ୍ତୁପୁରୁଷଙ୍କ ପୃଷ୍ଠରେ ସବୁ ଦେବତା ଅଧିଷ୍ଠାନ କରିଛନ୍ତି। ଦେବତାମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯେକୌଣସି ବାସ୍ତୁ ନିର୍ମାଣ ସମୟରେ ବାସ୍ତୁପୁରୁଷ ପୂଜା ଓ ବଳି ପାଇବେ। ଯେଉଁ ବ୍ୟକ୍ତି ତାଙ୍କ ପୂଜାକୁ ଉପେକ୍ଷା କରିବ ସେ ସବୁକାର୍ଯ୍ୟରେ ବାଧାପ୍ରାପ୍ତ ହୋଇ ଅଶାନ୍ତିରେ ଜୀବନ ବିତାଇବ। ଏହିଭଳି ବାସ୍ତୁ ସହିତ ଧର୍ମକୁ ଯୋଡ଼ି ଦେଇ ଗୃହକୁ ମନ୍ଦିର କରିବାର ପରମ୍ପରା ପ୍ରଚଳିତ ରହିଛି। ବାସ୍ତୁପୁରୁଷଙ୍କ ବିଷୟରେ ନିମ୍ନଲିଖିତ ତଥ୍ୟ ମନେରଖନ୍ତୁ।ଦେବତାଙ୍କ ଆଦେଶରେ ବାସ୍ତୁପୁରୁଷ ମୁହଁ ମାଡି ଶୋଇଛନ୍ତି। ତାଙ୍କର ମୁଖ ରହିଲା ଐଶାନ୍ୟ କୋଣକୁ, ପାଦ ରହିଲା ନୈଋତ କୋଣକୁ ଦୁଇ ହାତ ଯଥାକ୍ରମେ ବାୟୁ ଓ ଅଗ୍ନିକୋଣକୁ ପ୍ରସାରିତ। ଏହାଙ୍କ ଶିର ଉପରେ ଶିଖି ବା ଶିଖାଯୁକ୍ତ ଯଜ୍ଞାଗ୍ନି ଅବସ୍ଥିତ। ପୂଜା ସମୟରେ ବାସ୍ତୁପୁରୁଷଙ୍କ ଏହି ରୂପକୁ ସ୍ମରଣ କରିବା ଦରକାର। ବାସ୍ତୁପୁରୁଷଙ୍କ ବକ୍ଷସ୍ଥଳରେ କୌଣସି ନିର୍ମାଣ କରିବ ନାହିଁ। ଗୃହନିର୍ମାଣ କରିବାବେଳେ ଏହି ସ୍ଥଳକୁ ଖୋଲା ରଖିବ।
ବାସ୍ତୁ ପୂଜାର ଆବଶ୍ୟକତା
ବିବାହ, ବ୍ରତ, ନୂତନ ନିର୍ମାଣ ,ମନ୍ଦିର ଓ ଗୃହ ପ୍ରବେଶ, ସଂକୀର୍ତ୍ତନ, ଯଜ୍ଞ, ଷଷ୍ଠୀଦେବୀ ପୂଜା ସମୟରେ ବାସ୍ତୁପୂଜା କରିବା ନିତ୍ୟାନ୍ତ ଆବଶ୍ୟକ। ଯଦି ଘରେ ସର୍ପ ବାସ କରନ୍ତି, ପେଚା ରାବକରେ, ଗୋରୁ-ଗାଈ ଓ ବିରାଡିମାନେ ସର୍ବଦା ରାବ କରନ୍ତି, ସ୍ତ୍ରୀଲୋକମାନେ ସର୍ବଦା କଳହ କରନ୍ତି, କପୋତମାନେ ଗୃହରେ ବାସ କରନ୍ତି ଓ ଘରେ ମହୁଫେଣା ଦେଖାଯାଏ, ପ୍ରତି ତିନିବର୍ଷରେ ଗୃହରେ ମୃତୁ୍ୟ, ସରକାରୀ ସ୍ତରରେ ହଇରାଣ, ଚାକିରିରୁ ବହିଷ୍କାର, ଗୃହକର୍ତ୍ତା ଦୀର୍ଘଦିନ ଧରି ରୋଗଗ୍ରସ୍ତ ହୋଇଥାନ୍ତି, ଗୋରୁ ଓ ଗାଈଙ୍କର ଅପମୃତ୍ୟୁ ହୁଏ, ସେ ଗୃହରେ ନିଶ୍ଚୟ ବାସ୍ତୁଦୋଷ ଅଛି ବୋଲି ଜାଣିବେ। ଏଥିପାଇଁ ବାସ୍ତୁପୁରୁଷଙ୍କ ପୂଜନ ଆବଶ୍ୟକ।
ବାସ୍ତୁ କଣ ? || ଗୃହ ଶୁଭଦେବା ଓ ନିର୍ମାଣ ପୂର୍ବରୁ ଜାଣନ୍ତୁ || ଗୃହ ପ୍ରବେଶ ବିଧି || ଗୃହ ନିର୍ମାଣପାଇଁ ଶୁଭ ସମୟ || ରାଶି ଅନୁଯାୟୀ ଗୃହାରମ୍ଭ || ରୋଗ ଓ ତାର ପ୍ରତିକାର || ଦିଗ ନିର୍ଣ୍ଣୟ || ବାସ୍ତୁ ଓ କୃଷିକ୍ଷେତ୍ର || ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ || ବାସ୍ତୁ ଦୋଷ ଓ ତାର ପ୍ରତିକାର