ବୃହସ୍ପତି ବିଶାଖା ନକ୍ଷତ୍ର ବିଛା ରାଶିକୁ ସ୍ଵଚାର ହୋଇ ଗମନ କଲେ – ଏହି ଚଳନ ଫଳରେ (ମକର, କୁମ୍ଭ, ମୀନ) ଉପରେ କି ପ୍ରକାର ପ୍ରଭାବ ପଡିବ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୃହସ୍ପତି ବିଶାଖା ନକ୍ଷତ୍ର ବିଛା ରାଶିକୁ ସ୍ଵଚାର ହୋଇ ଗମନ କରିବେ

ପ୍ରତ୍ୟେକ ମଣିଷ ଭବିଷ୍ୟତ ଫଳ ଜାଣିବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କରିଥାଏ। ଗୋଚର ଗ୍ରହ ମାନଙ୍କର ବିଚାର ଦେଖିବାକୁ ହେଲେ ତିନି (୩) ପ୍ରକାର ଦୃଷ୍ଟିରେ ଦେଖାଯାଏ। ୧- ଜନ୍ମ ନକ୍ଷତ୍ର ଦ୍ୱାରା, ୨- ଗ୍ରହ ଦ୍ୱାରା, ୩- ଗୋଚର ବିଚାର ଜନ୍ମରାଶି ଦ୍ୱାରା। ତେଣୁ ଚନ୍ଦ୍ରଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଗୁରୁତ୍ୱ ଦିଆ ଯାଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ। ସେଥିପାଇଁ ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍। ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ। ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତି ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ। ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗେ ମନରେ କାଳ୍ପନିକ ଚିନ୍ତା ଯାଗେ ଏବଂ ଆଶଙ୍କା ବଶତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ। ଅନେକ ସମୟରେ ଦେଖାଯାଉଛି ଚତୁଃପାଶ୍ୱର୍ରୁ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରି ପକେଇ ଥାଏ। ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚର ଫଳ ବିବେଚନା କରିବାକୁ ପଡିଥାଏ।

ବୃହସ୍ପତି ବ୍ୟକ୍ତିକୁ ଅଧିକ ବୁଦ୍ଧିବଳ ପ୍ରଦାନ କରିଥାନ୍ତି। ତା ସହ ଧନବଳ ଓ ଦେହବଳ ମଧ୍ୟ ପୁଷ୍ଟ ହୋଇଥାଏ। କାରଣ ସମସ୍ତଙ୍କର ଧାରଣା ବୃହସ୍ପତି ସବୁ ସମୟରେ ଶୁଭଫଳ ପ୍ରଦାନ କରନ୍ତି। କିନ୍ତୁ ଅନୁଭବରୁ ପ୍ରମାଣ ମିଳେ ଅଶୁଭ ସମୟରେ ଅଶୁଭ ଫଳ ପ୍ରଦାନ କରନ୍ତି। ଶୁଭ ସମୟରେ ଶୁଭଫଳ ପ୍ରଦାନ କରିଥାନ୍ତି।

୨୦୧୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଗୁରୁବାର ଦିନ ବୃହସ୍ପତି ବିଶାଖା ନକ୍ଷତ୍ର ବିଛା ରାଶିକୁ ସ୍ଵଚାର ହୋଇ ଗମନ କଲେ।  ତୁଳା ରାଶିରେ ଚନ୍ଦ୍ର ବିଦ୍ୟମାନ କରିଥିବାରୁ ବୃଷ, ତୁଳା, ମକର ରାଶିର ବୃହସ୍ପତି ଗୋଚର ଓ ଶୁଭ ଚନ୍ଦ୍ରରେ ଚଳନ ହେତୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ। କର୍କଟ, ମୀନ ରାଶିର ଗୋଚରରେ ଶୁଭ ଓ ଚନ୍ଦ୍ର ଅଶୁଭ ହେତୁ ମଧ୍ୟମ ଶୁଭଫଳ ପ୍ରଦାନ କରିବେ। ମେଷ, ମିଥୁନ, ସିଂହ, କନ୍ୟା, ଧନୁ ଓ କୁମ୍ଭ ରାଶିର ଗୋଚରରେ ଅଶୁଭ ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ। ବର୍ତ୍ତମାନ ବୃହସ୍ପତିଙ୍କର ବିଛା ରାଶିସ୍ଥିତିରେ ପ୍ରତ୍ୟେକ ରାଶିର ବ୍ୟକ୍ତିମାନେ କିପ୍ରକାର ଫଳ ଭୋଗ କରିବେ ବିଚାର କରି ନିମ୍ନରେ ତାହା ପ୍ରଦତ୍ତ କରୁଅଛି।

(ମେଷ, ବୃଷ, ମିଥୁନ)(କର୍କଟ, ସିଂହ, କନ୍ୟା) | (ତୁଳା, ବିଛା, ଧନୁ) | (ମକର, କୁମ୍ଭ, ମୀନ)

ମକର:-

ଆପଣଙ୍କ ରାଶିଠାରୁ ଏକାଦଶଭାବରେ ବୃହସ୍ପତି ପ୍ରବେଶ କରି ପରାକ୍ରମ ଭାବ, ସନ୍ତାନ ଭାବ, ଦାମ୍ପତ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ବିଦ୍ୟାର୍ଥିମାନଙ୍କ ପାଇଁ ବର୍ତ୍ତମାନ ବିଶେଷ ଅନୁକୂଳ ସମୟ। ପ୍ରତିଯୋଗିତାରେ ପ୍ରଶାସନ ସେବା ସମ୍ବଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଶାତୀତ ଫଳ ପାଇବେ। ନେଇଥିବା ଲୋକ କିମ୍ବା ନଦଉଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ। ନୂତନ ବ୍ୟବସାୟ ଆରମ୍ଭ ପାଇଁ ଅତ୍ୟନ୍ତ ଉତ୍ତମ ସମୟ। ଯଶ-ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ। ସନ୍ତାନ ଏବଂ ସ୍ତ୍ରୀଙ୍କ ସହଯୋଗ ପାଇ ଗୃହସ୍ଥ ଜୀବନରେ ଭରପୁର ସୁଖ ପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ ବନ୍ଧୁ, ମିତ୍ର, ସହକର୍ମୀ ଓ ଭାଗୀଦାରୀଙ୍କ ପାଇଁ ପ୍ରଚୁର ଲାଭ ପାଇବେ। ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ। କର୍ମ କ୍ଷେତ୍ରରେ ପୁରୁଣା ସମ୍ପର୍କରୁ ଲାଭବାନ ହେବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ପାଇବେ। ରାଜନୈତିକ କ୍ଷେତ୍ରରେ ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ।

କୁମ୍ଭ:-

ଆପଣଙ୍କ ରାଶିଠାରୁ ଦଶମ ସ୍ଥାନରେ ବୃହସ୍ପତି ପ୍ରବେଶ କରିବା ଫଳରେ ଧନଭାବ, ସୁଖଭାବ ଓ ରୋଗ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଏହା ଦ୍ୱାରା ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ରାଜନୈତିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଏବଂ ସମ୍ମାନଜନକ ଘଟଣା ଦେଖାଦେବ। ନୂତନ ସମ୍ପତ୍ତି କ୍ରୟ କରିବେ। ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ। ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ। ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନପ୍ରଦାନରେ ଲାଭବାନ୍ ହେବେ। ଶିକ୍ଷାର୍ଥୀମାନେ ଅଧ୍ୟୟନରେ ବାଧା ଉପୁଜିଲେ ମଧ୍ୟ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ ଓ ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ। ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ଆନନ୍ଦ ଉଲ୍ଲାସରେ ଦିନ ବିତାଇବେ। ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ପୀଡାପ୍ରତି ସାବଧାନ ରହିବା ଉଚିତ୍। ପ୍ରତିକାର କଲେ ସମସ୍ତ ଶୁଭଫଳ ନିଶ୍ଚୟ ପାଇବେ।

ମୀନ:-

ଆପଣଙ୍କ ରାଶିଠାରୁ ବୃହସ୍ପତି ଭାଗ୍ୟସ୍ଥାନରେ ପ୍ରବେଶ କରି ଲଗ୍ନ, ପରାକ୍ରମ ଓ ସନ୍ତାନ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯଦ୍ୱାରା ଆପଣଙ୍କୁ ସର୍ବାଧିକ ଭାଗ୍ୟଶାଳୀ କରିବେ। ବିଶେଷ କରି ବିଦ୍ୟାର୍ଥିମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରତିଯୋଗିତା ପରୀକ୍ଷା, ପ୍ରବେଶିକା ପରୀକ୍ଷାରେ ଓ ପ୍ରଶାସନିକ ସେବା ପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। ପରାକ୍ରମ ପ୍ରତିଷ୍ଠା ମାନ ବୃଦ୍ଧି ହେବ। କର୍ମଚାରୀମାନେ ପ୍ରମୋଶନ ପାଇ ଖୁସୀ ହେବେ ଏବଂ ଧନ ଲାଭ କରିବାର ସୁଯୋଗ ପାଇବେ। ବ୍ୟବସାୟୀମାନେ ଯେ କୌଣସି ଯାଗାରୁ ଧନ ଉପାର୍ଜନ କରି ପାରିବେ। ଏହି ସମୟରେ ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ ଏବଂ ସମ୍ପତ୍ତି କ୍ରୟ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ। ସନ୍ତାନ ଠାରୁ ସୁଖପ୍ରାପ୍ତି ହେବ। ପୁତ୍ର ରତ୍ନ ପ୍ରାପ୍ତି ହେବ। ଧର୍ମ କାର୍ଯ୍ୟରେ ସାମାଜିକ କ୍ଷେତ୍ରରେ ଓ ରାଜନୈତିକ କ୍ଷେତ୍ରରେ  ପ୍ରଶଂସିତ ହେବା ସହ ସଫଳତା ପ୍ରାପ୍ତି ହେବ।

ଅଶୁଭ ବୃହସ୍ପତିଙ୍କ ପାଇଁ ପ୍ରତିକାର।

୧- ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କଲେ ବହୁତ ଭଲ।

୨- ହଳଦୀ ରଙ୍ଗର ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍। ନତୁବା ହଳଦୀ ରଙ୍ଗର ରୁମାଲ ପାଖରେ ରଖିବା ଆବଶ୍ୟକ।

୩- ବ୍ରହ୍ମଜଷ୍ଠି ମୂଳ ବା ବ୍ରାହ୍ମଣଝାଟିଆ ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଓ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ୍ ସୂତାରେ ସ୍ତ୍ରୀମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିଲେ ବୃହସ୍ପତି ସନ୍ତୁଷ୍ଟ ରହିବେ।

୪- ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ବିଷ୍ଣୁ ସହସ୍ରନାମ ଶ୍ରବଣ କିମ୍ବା ପଠନ କରିବେ । ଗୋଟିଏ ଥର ହରିବଂଶ ବସେଇ ଶ୍ରବଣ କଲେ ଅନେକ କ୍ଷୟକ୍ଷତିରୁ ରକ୍ଷା ମିଳିବ ।

୫- ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ଜପକଲେ ଅଶୁଭତ୍ୱ ଖଣ୍ଡନ ହେବ ।

(କ) ଏକାକ୍ଷରୀ ଜୀବମନ୍ତ୍ର – ଓଁ ବୃଂ ବୃହସ୍ପତୟେ ନମଃ ।

(ଖ) ତାନ୍ତ୍ରିକ ବୃହସ୍ପତି ମନ୍ତ୍ର – ଓଁ ଗ୍ରାଂ ଗ୍ରୀଂ ଗ୍ରଂ ସଃ ଗୁରୁବେ ନମଃ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!