ପିତୃ ପକ୍ଷରେ ବହୁତ ଜରୁରୀ ଏହି 4 ଟି କଥା
ପିତୃପୁରୁଷଙ୍କୁ ଶ୍ରଦ୍ଧାରସହ ଅର୍ପଣକରିବା ହିଁ ଶ୍ରାଦ୍ଧ। ଆସନ୍ତୁ ଜାଣିବା ଶ୍ରାଦ୍ଧରେ କେଉଁ ଚାରୋଟି ତଥ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ – ତର୍ପଣ, ଭୋଜନ, ଦାନ ଓ ଦକ୍ଷିଣା।
୧- ତର୍ପଣ –କ୍ଷୀର, କୁଶୋଦକ, ତିଳ, ପୁଷ୍ପ, ଚନ୍ଦନ ମିଶ୍ରିତ ଜଳରେ ଅପର ପକ୍ଷର ପ୍ରତ୍ୟେକ ଦିନ ତର୍ପଣ କରିବା ଉଚିତ୍।
୨- ଭୋଜନ ଓ ପିଣ୍ଡଦାନ – ମାତୁଳପକ୍ଷ ଓ ପିତୃପକ୍ଷଙ୍କୁ ପିଣ୍ଡଦାନ, ବ୍ରାହ୍ମଣ ଭୋଜନ, କୁଆ, କୁକୁର, ଗୋମାତାଙ୍କୁ ଖାଦ୍ୟଦେବା ଉଚିତ୍।
୩- ବସ୍ତ୍ରଦାନ- ବସ୍ତ୍ରଦାନ ଦେବା ଶ୍ରାଦ୍ଧର ମୁଖ୍ୟ ଲକ୍ଷ ବ୍ରାହ୍ମଣଙ୍କୁ ଓ ଦରିଦ୍ରଙ୍କୁ ବସ୍ତ୍ରଦାନ ଦେବା ନିତ୍ୟାନ୍ତ ଆବଶ୍ୟକ।
୪-ଦକ୍ଷିଣା- ବସ୍ତ୍ର ଦାନଦେଇ ଭୋଜନ କରାଇ ଯେଉଁ ପର୍ଯ୍ୟନ୍ତ ଦକ୍ଷିଣା ଦେଇ ନ ଥିବେ ସବୁ ନିଷ୍ଫଳ ହେବ।
ପିତା ଧର୍ମ, ପିତା ସ୍ଵର୍ଗ ପିତା ହିଁ ପରମ ତପଃ,
ପିତ୍ତରୀ ପ୍ରୀତିମା ପନ୍ନେ ପ୍ରିୟନ୍ତୀ ସର୍ବ ଦେବତା,
ଜନନୀ ଜନ୍ମ ଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ,
ଶ୍ରାଦ୍ଧଦିନର ନିୟମ
ଦାନ୍ତଘଷିବା, କ୍ଷୌର ହେବା, ଅନ୍ୟଦ୍ୱାରା ଖାରରେ ଲୁଗା ଧୁଆଇବା, ତୈଳ ମର୍ଦ୍ଦନ, ମାଛମାଂସଭୋଜନ, ଦିବାନିଦ୍ରା, ଏକକ୍ରୋଶରୁ ଅଧିକ ଦୂରବର୍ତ୍ତୀ ପ୍ରବାସକୁ ଯିବା, ପାନ ଚୋବାଇବା, ଚନ୍ଦନଫୁଲ ପ୍ରଭୃତି ଘେନିବା, ମିଥ୍ୟା କହିବା, ଅଶ୍ଳୀଳ ଭାଷା ଉଚ୍ଚାରଣ କରିବା, କ୍ରୋଧ, ଖେଳ, ବୀର୍ଯ୍ୟତ୍ୟାଗ, ଏକାଧିକ ଥର ଭୋଜନ ଓ ପରାନ୍ନଭୋଜନ ଶ୍ରାଦ୍ଧ ଦିବସରେ ତ୍ୟାଗ କରିବ। ପରାନ୍ନ ଶବ୍ଦର ଅର୍ଥ ଅନ୍ୟ ବ୍ୟକ୍ତିଙ୍କର ପିତୃନିବେଦିତ ଅନ୍ନ। ଗୁରୁଙ୍କ ଅନ୍ନ, ମାମୁଙ୍କ ଅନ୍ନ, ଶ୍ୱଶୁରଙ୍କ ଅନ୍ନ, ବିମାତାପୁଅ ଭାଇର ଅନ୍ନପରାନ୍ନ ନୁହେଁ ।
ନିତ୍ୟ, ନୈମିତ୍ତିକ ଓ କାମ୍ୟ ଭେଦରେ ଶ୍ରାଦ୍ଧ ତିନି ପ୍ରକାର ।
ନିତ୍ୟଶ୍ରାଦ୍ଧ ଯଥା- ପ୍ରତି ଅମାବାସ୍ୟା, ତିନିଅଷ୍ଟକା, ତିନି ଅନ୍ୱଷ୍ଟକା, ମାଘପୂର୍ଣ୍ଣିମା, ଆଶ୍ୱିନକୃଷ୍ଣ ତ୍ରୟୋଦଶୀ, ବୈଶାଖ ମାସର ଶୁକ୍ଳ ତୃତୀୟା, କାର୍ତ୍ତିକ ଶୁକ୍ଳ ନବମୀ ଏହି କାଳମାନଙ୍କୁ ନିତ୍ୟ ଶ୍ରାଦ୍ଧକାଳ ବୋଲି ପ୍ରଜାପତି କହିଅଛନ୍ତି । ଯେଉଁ ଲୋକ ଏହି ଶ୍ରାଦ୍ଧକାଳମାନଙ୍କରେ ଶ୍ରାଦ୍ଧ ନକରେ ସେ ରୋଗ, ଋଣ, ସତୃଙ୍କ ଦ୍ଵାରା ପୀଡିତ ହୋଇ ନରକକୁ ଯାଏ।
ନୈମିତ୍ତିକ ଶ୍ରାଦ୍ଧ
ନୈମିତ୍ତିକ ଶ୍ରାଦ୍ଧ ପୁଣି ଦୁଇ ପ୍ରକାର-ଏକୋଦ୍ଦିଷ୍ଟ ଓ ପାର୍ବଣ। ଗଙ୍ଗା, ଗୟା,ପ୍ରାଚୀ, ମହୋଦଧି ପ୍ରଭୃତିରେ ତୀର୍ଥ ସ୍ଥାନ ଓ ମୃତାହାଶ୍ରାଦ୍ଧ ନୈମିତ୍ତିକ ଅଟେ। କାରଣ ତୀର୍ଥସ୍ଥାନକୁ ଗଲେ ବା ମୃତାହରୂପ ନିମିତ୍ତ ମିଳିଲେ ଏ ସବୁ କରାଯାଏ। ଆହୁରି ମଧ୍ୟ ଏହା ନିତ୍ୟ ବା କାମ୍ୟଶ୍ରାଦ୍ଧର ଅନ୍ତର୍ଗତ ନୁହେଁ । ମୃତାହ ନୈମିତ୍ତିକ ଶ୍ରାଦ୍ଧ ପୁଣି ପାର୍ବଣ ଓ ଏକୋଦ୍ଦିଷ୍ଟ ଭେଦରେ ଦୁଇପ୍ରକାର। ତାହାର ଲକ୍ଷଣ ଯଥା-ଏକ ପୁରୁଷ ଅର୍ଥାତ୍ ଜନକଙ୍କୁ ଉଦ୍ଦେଶ୍ୟ କରି ଯେଉଁ ଶ୍ରାଦ୍ଧ କରାଯାଏ, ତାହାକୁ ଏକୋଦ୍ଦିଷ୍ଟ କହନ୍ତି ଏବଂ ତିନି ପରୁଷଙ୍କୁ ଉଦ୍ଦେଶ୍ୟ କରି ଯେଉଁ ଶ୍ରାଦ୍ଧ କରାଯାଏ, ତାହାକୁ ପାର୍ବଣ ଶ୍ରାଦ୍ଧ କହନ୍ତି ।
କାମ୍ୟଶ୍ରାଦ୍ଧ ଯଥା-
ମେଷ, ତୁଳା, ମକର, କର୍କଟ- ଏହି ଚାରି ରବିସଂକ୍ରମଣ ବା ସଂକ୍ରାନ୍ତି, ବ୍ୟତିପାତ, ଜନ୍ମନକ୍ଷତ୍ର ଓ ଯାଗ, ବ୍ରତ, ବିବାହାଦି ସମୟ- ଏମାନଙ୍କୁ କାମ୍ୟଶ୍ରାଦ୍ଧକାଳ ବୋଲି ପ୍ରଜାପତି ନିର୍ଦ୍ଦେଶ କରିଅଛନ୍ତି । ଏହି ଶ୍ରାଦ୍ଧର ଫଳ ଅକ୍ଷୟ। ଶ୍ରବଣା, ଅଶ୍ୱିନୀ, ଧନିଷ୍ଠା, ଆର୍ଦ୍ରା, ଅଶ୍ଳେଷା ଏହି ନକ୍ଷତ୍ରମାନଙ୍କର ପ୍ରଥମ ପାଦରେ ରବିବାରରେ ଅମାବାସ୍ୟା ତିଥି ପଡିଲେ ତାହାକୁ ବ୍ୟତୀପାତ ବୋଲାଯାଏ।
ମାଘା, ବ୍ୟତିପାତ, ଚନ୍ଦ୍ରସୂର୍ଯ୍ୟଗ୍ରହଣ, ସଂକ୍ରାନ୍ତି, ଚାରିଯୁଗର ଆଦିତିଥି, ଘରଛପର ଦିନ, ନବଶସ୍ୟଲାଭ ଦିନ ଇତ୍ୟାଦିରେ ଦେବତାମାନେ ପିଣ୍ଡଶୂନ୍ୟ ଶ୍ରାଦ୍ଧ କାମନା କରନ୍ତି।