ବୃହସ୍ପତି ଚଳିଲେ ମକର ରାଶିକୁ, (ମେଷ, ବୃଷ ଓ ମିଥୁନ) ରାଶି ଉପରେ କଣ ପଡିବ ଏହାର ପ୍ରଭାବ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା ନଭେମ୍ବରମାସ ୨୦ତାରିଖ ଶୁକ୍ରବାର ଦେବଗୁରୁ ବୃହସ୍ପତି ଉତ୍ତରାଷାଢା ନକ୍ଷତ୍ର ଧନୁରାଶିରୁ ମକର ରାଶିକୁ ସ୍ଵଚର ହୋଇ ଏପ୍ରିଲମାସ ୬ ତାରିଖ ପର୍ଯ୍ୟନ୍ତ ରହିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଲଗ୍ନରେ ବିଶେଷ ଗୁରୁତ୍ୱ ନଦେଇ ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ। ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍। ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ।

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ। ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ। ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ। ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ।

ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ। ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରପଳ ବିବେଚନା କରିବାକୁ ପଡିଥାଏ। ଗୁରୁଗ୍ରହ ସବୁଠାରୁ ଶୁଭଗ୍ରହ ଅଟନ୍ତି। ଗୁରୁଗ୍ରହ ସନ୍ତାନ, ଧନ, ଜ୍ଞାନ ତଥା ନ୍ୟାୟର ପ୍ରତୀକ ବୋଲି କୁହାଯାଏ। ଗୁରୁଗ୍ରହ ପ୍ରଭାବିତ ଜାତକ ବହୁତ ଜ୍ଞାନୀ ହୋଇଥାନ୍ତି।

ଯଦି ଗ୍ରହ ଅଶୁଭରେ ଅବସ୍ଥିତ ହୋଇଛନ୍ତି ତେବେ ଧନହାନୀ, ଆର୍ଥିକ କ୍ଷତି, ସନ୍ତାନ ସୁଖରେ ବିଳମ୍ବ ବା ଝିଅମାନଙ୍କ ବିବାହ ହୋଇପାରେ ନାହିଁ। ନବଗ୍ରହରେ ବୃହସ୍ପତିଙ୍କୁ ଗୁରୁଙ୍କ ଉପାଧି ପ୍ରାପ୍ତ ହୋଇଛି। ମାନବ ଜୀବନରେ ବୃହସ୍ପତିଙ୍କ ମହତ୍ୱପୂର୍ଣ୍ଣ ପ୍ରଭାବ ପଡେ। ବୃହସ୍ପତି ସର୍ବଦା ଆପଦ ବିପଦରେ ରକ୍ଷା କରି ଥାନ୍ତି। ବୃହସ୍ପତି ଦଶା ଶେଷ ହେଲେ ଜାଣିବାକୁ ହେବ ଯେ ଶରୀରରୁ ଆତ୍ମା ଅଲଗା ହେବା ସହିତ ସମାନ।

ମେଷ:-

ମେଷରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଦଶମ ସ୍ଥାନରେ ବା କର୍ମ ଭାବରେ ପ୍ରବେଶ କରିବା ଫଳରେ ଧନଭାବ, ସୁଖଭାବ, ରୋଗ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଏହା ଦ୍ୱାରା ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ଆପଣଙ୍କ ଧୈର୍ଯ୍ୟ ସାହାସରେ ବୃଦ୍ଧି ହେବ, ଯାହା ଫଳରେ କାର୍ଯ୍ୟରେ ସଫଳତା ହାସଲ୍‌ କରି ପାରିବେ।ବ୍ୟବସାୟ କରୁଥିଲେ ଲାଭ ଲାଗି ରହିବ। ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉ ନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ପଡୋଶୀଙ୍କ ସହିତ ମଧୁର ସମ୍ପର୍କ ସ୍ଥାପନ ହେବ। ମହତ୍ତ୍ୱ ଉଦ୍ୟେଶ୍ୟ ନେଇ ଉଚ୍ଚ ଆକାଂକ୍ଷାରେ ବିଦେଶ ଯାତ୍ରା କଲେ ନିଶ୍ଚୟ ଭାଗ୍ୟୋନ୍ନତି ହେବା ସହ ଅଭିଳାଷ ପୂର୍ଣ୍ଣ ହେବ।

ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ନପାଇବାରୁ ବାରମ୍ବାର ମନ ଉଚ୍ଚାଟ ରହିବ। ପୁରୁଣା ରୋଗ ଓ ଶତୃମାନେ ପୁନରାୟ ପଛରେ ଲାଗିଯିବେ। ଯାହାକିଛି ଆୟହେବ ଅଧିକ ଅର୍ଥ ପାରିବାରିକ କ୍ଷେତ୍ରରେ ଆତ୍ମିୟମାନଙ୍କ ଉପଚାର ରୋଗ ନିବୃତ୍ତି ପାଇଁ ଖର୍ଚ୍ଚ ହୋଇ ଯାଇପାରେ। ଏଣୁ ଉପରୋକ୍ତ ବୃହସ୍ପତିଙ୍କ ବ୍ରତ ବୀଜ ମନ୍ତ୍ର ଜପ କରିବା ଉଚିତ୍। ଗଳଗଣ୍ଡ, ଉଦରପୀଡ଼ା, କଫକାଶ, କ୍ଷୟରୋଗ, ଚକ୍ଷୁରୋଗ, ହୃଦ୍ରୋଗ, ଗୋଦର, ଜଳୋଦର, ଆମାଶୟ, ଅତିସାରାଦି ରୋଗ ପାଇଁ ସତର୍କ ରହିବାକୁ ପଡିବ। ମହିଳା ମାନଙ୍କ କ୍ଷେତ୍ରରେ ଋତୁ ଗଣ୍ଡଗୋଳ ଘଟିବ। ବୟସ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଖାଦ୍ୟ ଓ ଯୌନସମ୍ଭୋଗ କ୍ଷେତ୍ରରେ ସଂଯମୀ ହେବା ଆବଶ୍ୟକ। ପ୍ରତିକାର- ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ବିଷ୍ଣୁ ମନ୍ଦିରରେ ହଳଦିଆ ଦ୍ରବ୍ୟ, ଲଡୁ, ହଳଦିଆ ବସ୍ତ୍ର ଦାନ ଦେବେ।

ବୃଷ:-

ରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଭାଗ୍ୟସ୍ଥାନରେ ପ୍ରବେଶ କରୁଥିବାରୁ ଲଗ୍ନ ପରାକ୍ରମ ସନ୍ତାନ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହାଦ୍ୱାରା ଆପଣଙ୍କୁ ସର୍ବାଧିକ ଭାଗ୍ୟଶାଳୀ କରିବେ। ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ସହ ଯଶ, ମାନସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ। ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ବିଶେଷ କରି ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବା ପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। ପରାକ୍ରମ ପ୍ରତିଷ୍ଠା ମାନ ବୃଦ୍ଧି ହେବ। ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଏବଂ ଧନଲାଭ କରିବାର ସୁଯୋଗ ପାଇବେ।

ବ୍ୟବସାୟୀମାନେ ଯେ କୌଣସି ଯାଗାରୁ ଧନ ଉପାର୍ଜନ କରି ପାରିବେ। ଏହି ସମୟରେ ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ ଏବଂ ସମ୍ପତ୍ତି କ୍ରୟ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ। ସନ୍ତାନଠାରୁ ସୁଖପ୍ରାପ୍ତି ହେବ। ପୁତ୍ର ରତ୍ନ ପ୍ରାପ୍ତି ହେବ। ଶନିମଧ୍ୟ ଆପଣଙ୍କ ଉଦ୍ୟେଶ୍ୟ ପୂର୍ଣ୍ଣ କରିବା ପାଇଁ ପୂର୍ଣ୍ଣ ସହାୟତା ଦେବେ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବ। ପ୍ରତିକାର- ଗୁରୁବାର ଦିନ କଳଦୀଗଛ ମୂଳରେ ପାଣି ଢ଼ାଳନ୍ତୁ। ମାଆ ବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ । ନିଜ ପାଖରେ ହଳଦୀ ରଙ୍ଗର ରୁମାଲ ରଖନ୍ତୁ, ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍।

ମିଥୁନ:-

ମିଥୁନରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଅଷ୍ଟମ ସ୍ଥାନରେ ପ୍ରବେଶ କରି ଦ୍ୱାଦଶ ଭାବ, ଧନଭାବ ଓ ସୁଖଭାବକୁ ପ୍ରଭାବିତ କରୁଛନ୍ତି। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ୟେଶ୍ୟକୁ ସଫଳ କରିବାରେ ସକ୍ଷମ ହୋଇପାରିବେ। ଅନାବଶ୍ୟକ ଖର୍ଚ୍ଚ ଅଧିକରୁ ଅଧିକ ହେବା ଫଳରେ ମାନସିକ ଦୁଃଶ୍ଚିନ୍ତା ବଢ଼ିଯିବ। ଆରମ୍ଭ କରିଥିବା କାର୍ଯ୍ୟ ଅଧା ରହିପାରେ। ପଡ଼ୋଶୀ ଓ କୁଟୁମ୍ବଙ୍କ ସହ କଳିଝଗଡା ଲାଗି ରହିବ।

ଅତ୍ୟନ୍ତ ପ୍ରିୟ ଲୋକମାନେ ଅସନ୍ତୁଷ୍ଟ ହୋଇ ଦୂରେଇ ଯିବେ। ବର୍ତ୍ତମାନ ସମୟରେ କୌଣସି ନୂତନ କାର୍ଯ୍ୟ କରିବା ଠିକ୍ ନୁହେଁ। ତେଣୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ। ସ୍ୱାସ୍ଥ୍ୟପାଇଁ ବାରମ୍ବାର ଚିନ୍ତିତ ରହିବେ। ଖାଦ୍ୟ ଓ ଔଷଧର ପ୍ରତିକ୍ରିୟା ଜନିତ ବିଭିନ୍ନ ରୋଗପ୍ରତି ସତର୍କ ରହିବା ଉଚିତ୍। ଅଧିକ ମାଛ, ମାଂସ ଆପଣଙ୍କ ପାଇଁ ଅହିତକର। ପ୍ରତିକାର- ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରନ୍ତୁ। ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ୨୦ତାରିଖ ଦିନ ଗୁଡ଼, କଦଳୀ, ବୁଟଡାଲି, ହଳଦୀ, ଲଡୁ, ହଳଦିଆ ବସ୍ତ୍ର ବିଷ୍ଣୁ ମନ୍ଦିରରେ ଦାନ ଦେବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!