ବୃହସ୍ପତି ଚଳିଲେ ମକର ରାଶିକୁ (କର୍କଟ, ସିଂହ ଓ କନ୍ୟା ) ରାଶିର ବ୍ୟକ୍ତିଙ୍କ ପାଇଁ କଣ ରହିବ ଶୁଭାଶୁଭ ଫଳ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଲଗ୍ନରେ ବିଶେଷ ଗୁରୁତ୍ୱ ନଦେଇ ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ ।  ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ ।

ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରପଳ ବିବେଚନା କରିବାକୁ ପଡିଥାଏ । ଗୁରୁଗ୍ରହ ସବୁଠାରୁ ଶୁଭଗ୍ରହ ଅଟନ୍ତି । ଗୁରୁଗ୍ରହ ସନ୍ତାନ, ଧନ, ଜ୍ଞାନ ତଥା ନ୍ୟାୟର ପ୍ରତୀକ ବୋଲି କୁହାଯାଏ । ଗୁରୁଗ୍ରହ ପ୍ରଭାବିତ ଜାତକ ବହୁତ ଜ୍ଞାନୀ ହୋଇଥାନ୍ତି ।

ଯଦି ଗ୍ରହ ଅଶୁଭରେ ଅବସ୍ଥିତ ହୋଇଛନ୍ତି ତେବେ ଧନହାନୀ, ଆର୍ଥିକ କ୍ଷତି, ସନ୍ତାନ ସୁଖରେ ବିଳମ୍ବ ବା ଝିଅମାନଙ୍କ ବିବାହ ହୋଇପାରେ ନାହିଁ । ନବଗ୍ରହରେ ବୃହସ୍ପତିଙ୍କୁ ଗୁରୁଙ୍କ ଉପାଧି ପ୍ରାପ୍ତ ହୋଇଛି । ମାନବ ଜୀବନରେ ବୃହସ୍ପତିଙ୍କ ମହତ୍ୱପୂର୍ଣ୍ଣ ପ୍ରଭାବ ପଡେ । ବୃହସ୍ପତି ସର୍ବଦା ଆପଦ ବିପଦରେ ରକ୍ଷା କରି ଥାନ୍ତି । ବୃହସ୍ପତି ଦଶା ଶେଷ ହେଲେ ଜାଣିବାକୁ ହେବ ଯେ ଶରୀରରୁ ଆତ୍ମା ଅଲଗା ହେବା ସହିତ ସମାନ ।

କର୍କଟ:-

କର୍କଟରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ସପ୍ତମଭାବରେ ପ୍ରବେଶ କରି ଲାଭଭାବ, ପରାକ୍ରମ ଭାବ ଏବଂ ଲଗ୍ନଭାବକୁ ପ୍ରଭାବିତ କରୁଛନ୍ତି । ଏହା ଫଳରେ ଆପଣଙ୍କର ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ଧନ, ଧାନ୍ୟ, ଐଶ୍ୱର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ । ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ । ନୂଆ ନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ଭୂମି, ବାହନକ୍ରୟ, ଗୃହ ନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡିବ । ବିଦ୍ୟାର୍ଥୀମାନେ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ ।

ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ । କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଏବଂ କଣ୍ଟ୍ରାକ୍ଟରମାନେ ଆନନ୍ଦିତହେବେ । ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ, ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ । ଅବିବାହିତ ହୋଇଥିଲେ ବିବାହ ସମ୍ପନ୍ନ ହେବ । ମନ ମୁତାବକ ଜୀବନସାଥି ପ୍ରାପ୍ତି ହେବ । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶ୍ରେଷ୍ଠ ସମୟ । ଏହାକୁ ସଦୁପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ୍ । ଆପଣ ପ୍ରତିରୋଧ ଶକ୍ତି ବଢ଼ାଇବା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ବିଧେୟ । ପ୍ରତିକାର- ହଳଦୀ ରଙ୍ଗର ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍ । ନତୁବା ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ ।

ସିଂହ:-

ସିଂହରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଷଷ୍ଠ ସ୍ଥାନରେ ପ୍ରବେଶ କରି କର୍ମସ୍ଥାନ, ବ୍ୟୟସ୍ଥାନ ଏବଂ ଧନ ବା କୁଟୁମ୍ବ କ୍ଷେତ୍ରକୁ ପ୍ରଭାବିତ କରୁଛନ୍ତି । ଯାହା ଫଳରେ ଆପଣଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି ହେବ । ମାନସିକ ଶାନ୍ତି ଓ ଉଚ୍ଚ ଆଶା ଅକାଂକ୍ଷା ପୂରଣ ହେବ । ପରିବାରରୁ ସାହାଯ୍ୟ ସହଯୋଗ ଏବଂ ସ୍ନେହ ପ୍ରାପ୍ତି ହେବ । ଗୃହରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିବେ । ବିବାହ ଯୋଗ୍ୟ ସନ୍ତାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ । ନୂତନ ଉତ୍ସାହ ସଂଚାରଣ ହେବ । ଭାଇ ବନ୍ଧୁ, ପଡ଼ା ପଡ଼ୋଶୀ ମାନଙ୍କ ସହଯୋଗ ପ୍ରାପ୍ତି ହେବ । ଆୟ ବୃଦ୍ଧି ପାଇବା ସହ ଆର୍ଥିକସ୍ଥିତିରେ ଉନ୍ନତି ଦେଖାଦେବ । ଧନ ସଂଚୟ କରିବା, ଋଣ ପରିଶୋଧ କରିବାରେ ସମର୍ଥ ହେବେ । ଶତୃମାନେ ପରାଜିତ ହେବେ ।

କର୍ମକ୍ଷେତ୍ରରେ ପଦୋନ୍ନତି ଇପ୍ସିତ ଜାଗାକୁ ସ୍ଥାନାନ୍ତରଣ, ଅସ୍ଥାୟୀ କର୍ମୀମାନେ ସ୍ଥାୟୀ ନିଯୁକ୍ତି ପାଇବେ । ବ୍ୟବସାୟୀମାନେ ଅଶାତୀତ ଲାଭ ପାଇବେ । ନୂତନ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟର ପ୍ରସାର ହୋଇପାରିବ । ଉଚ୍ଚାଧିକାରୀ ବ୍ୟକ୍ତିଙ୍କର ପ୍ରଶଂସାଭାଜନ ହେବେ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆନନ୍ଦିତ ହେବେ । ଉଚ୍ଚବିଦ୍ୟା ଅଧ୍ୟୟନ କରିବାର ସୁଯୋଗ ପାଇବେ । ଶୁଭସମାଚାର ପ୍ରାପ୍ତ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସମ୍ବନ୍ଧ ସୃଷ୍ଟି ହେବ । ଜନସେବାରେ ନିଜକୁ ସମର୍ପଣ କରିବେ । ମାନସିକ ଦୁଶ୍ଚିନ୍ତା, ଦାମ୍ପତ୍ୟ ମନୋମାଳିନ୍ୟ, ଅଧିକ ଯୌନପ୍ରକ୍ରିୟା ଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍ । ପ୍ରତିକାର- ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ବିଷ୍ଣୁ ମନ୍ଦିରରେ ହଳଦିଆ ଦ୍ରବ୍ୟ, ଲଡୁ, ହଳଦିଆ ବସ୍ତ୍ର ଦାନ ଦେବେ ।

କନ୍ୟା:-

କନ୍ୟାରାଶିଜାତ ମହିଳା ଓ ପୁରୁଷମାନଙ୍କର ଦେବଗୁରୁ ପଞ୍ଚମ ଭାବରେ ଅର୍ଥାତ୍ ବୁଦ୍ଧି ଏବଂ ସନ୍ତାନ କ୍ଷେତ୍ରରେ ଗୁରୁ ପ୍ରବେଶ କରିଛନ୍ତି ଯାହା ଫଳରେ ଏହି ସମୟ ମଧ୍ୟରେ ଭାଗ୍ୟ ଭାବ, ଆୟଭାବ, ଶରୀରଭାବ ଓ ସନ୍ତାନକ୍ଷେତ୍ର ପ୍ରଭାବିତ ହେବ । ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତୀ ପଥରେ ଅଗ୍ରସର ହେବ । ବେପାର ବଣିଜରେ ପ୍ରଚୁର ଲାଭ ମିଳିବା ସହ ନୂଆ ନୂଆ ଉପାୟ ଚିନ୍ତା କରିବେ । ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ । ଉଚ୍ଚ ସ୍ତରୀୟ ଯାନ ବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ । ବ୍ୟବସାୟିକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ । ଦୀର୍ଘଦିନ ଧରି ଅଧା ହୋଇ ପଡିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ । ପୁତ୍ରରତ୍ନ ପ୍ରାପ୍ତି ହେବ ।

ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୁନର୍ବାର ଫେରିପାଇ ସମ୍ମାନୀତ ହେବେ । ଆୟର ଯଥେଷ୍ଟ ଅର୍ଥ ମାଙ୍ଗଳିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ । ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ ସାମାଜିକ କ୍ଷେତ୍ରରେ ଯୋଗଦେଇ ଉତ୍ସାହିତ ହେବେ । ଧନଧାନ୍ୟ ମାନ ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଗୃହରେ ସୁଖଶାନ୍ତି ବିରାଜମାନ କରିବ । ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦୀନର କଷ୍ଟ ଦୂର ହୋଇ ବର୍ତ୍ତମାନ ଆପଣ ସୁଖର ସ୍ୱପ୍ନ ଦେଖି ପାରିବେ । ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ । ପ୍ରତିକାର- ହଳଦୀ ରଙ୍ଗର ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍ । ନତୁବା ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ । ୨- ହଳଦୀ ମାଳରେ ପ୍ରତ୍ୟେକଦିନ ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ଜପକରନ୍ତୁ – ଓଁ ବୃଂ ବୃହସ୍ପତୟେ ନମଃ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!