ଏହି ସବୁ ଫୁଲରେ ହେବେ ଦେବାଦେବୀ ପ୍ରସନ୍ନ, ଜାଣନ୍ତୁ ଦେବାଦେବୀଙ୍କ ପ୍ରିୟ ପୁଷ୍ପ କ’ଣ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

କଲ୍ୟାଣ ଚାହୁଁଥିବା ଗୃହସ୍ଥ ଗୋଟିଏ ଠାକୁରଙ୍କୁ ପୂଜା ନକରି ଅନେକ ଠାକୁରଙ୍କୁ ପୂଜା କରିବା ଉଚିତ୍। କିନ୍ତୁ ଗୁରୁଙ୍କ ବିନା ପରାମର୍ଶରେ ଅନେକ ଠାକୁରଙ୍କୁ ପୂଜା କରିବାଦ୍ୱାରା ଆୟୁ, ଯଶ, ମାନନାସହୋଇ ଦରିଦ୍ରତା ଓ ରୋଗରେ ପୀଡିତ ହେବାକୁ ପଡିଥାଏ। ଗୁରୁଙ୍କ ପରାମର୍ଶରେ ଗୋଟିଏ ଠାକୁରଙ୍କୁ ପୂଜା କରିବାଦ୍ୱାରା କାମନା ପୂର୍ଣ୍ଣ ହୋଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

“ଏକା ମୂର୍ତ୍ତିର୍ନ ସମ୍ପୂଜ୍ୟା ଗୃହିଣା ସ୍ୱେଷ୍ଟମିଚ୍ଛତା। ଅନେକ ମୂର୍ତ୍ତିସମ୍ପନ୍ନଃ ସର୍ବାନ୍ କାମାନବାପ୍ନୁୟାତ୍।”

ଗୃହରେ ଦୁଇଟି ଶିବଲିଙ୍ଗ, ତିନୋଟି ଗଣେଷ, ଦୁଇଟି ଶଙ୍ଖ, ଦୁଇଟି ସୂର୍ଯ୍ୟ, ତିନୋଟି ଦୁର୍ଗାମୂର୍ତ୍ତି, ଦୁଇଟି ଗୋମତୀଚକ୍ର, ଦୁଇଟି ଶାଳଗ୍ରାମ୍ ପୂଜା କରିବା ଦ୍ୱାରା ଗୃହରେ ଅଶାନ୍ତି ହୋଇଥାଏ।

“ଗୃହେ ଲିଙ୍ଗଦ୍ୱୟଂ ନାର୍ଚ୍ୟଂ ଗଣେଶ ତ୍ରିତୟଂ ତଥା

ଶଙ୍ଖଦ୍ୱୟଂ ତଥା ସୂର୍ଯ୍ୟା ନାର୍ଚେ୍ୟାଶକ୍ତିତ୍ରୟଂ ତଥା।

ଦ୍ୱେଚକ୍ରେ ଦ୍ୱାରକାୟାସ୍ତୁ ଶାଳଗ୍ରାମ ଶିଳାଦ୍ୱୟମ୍

ତେଷାଂ ତୁ ପୂଜନେ ନୈବ ଉଦ୍ୱେଗଂ ପ୍ରାପ୍ନୁୟାତ୍ ଗୃହୀ।।” (ଆଚାର ପ୍ରକାଶ, ଆଚାରେନ୍ଦୁ)

ପଥର କାଠ, ସୁବର୍ଣ୍ଣ, ରୌପ୍ୟ ଇତ୍ୟାଦି ଧାତୁମାନଙ୍କରେ ଦେବମୂର୍ତ୍ତି ନିର୍ମାଣ କରି ପ୍ରାଣ ପ୍ରତିଷ୍ଠା ପୂର୍ବକ ଗୃହରେ କିମ୍ବା ମନ୍ଦିରରେ ପୂଜା କରିବା ଉଚିତ୍।

“ଶୈଳୀଂ ଦାରୂମୟୀଂ ହୈମୀଂ ଧାତ୍ୱାଦ୍ୟାକାରସମ୍ଭବାମ୍।

ପ୍ରତିଷ୍ଠାଂ ବୈ ପ୍ରକୁର୍ବୀତ ପ୍ରାସାଦେ ବା ଗୃହେ ନୃପ।।” (ବୃଦ୍ଧ ପାରାଶର)

 

କିନ୍ତୁ ଗୃହରେ ଥିବା ଦେବ ପ୍ରତିମା ଚଳପ୍ରତିଷ୍ଠା ଓ ମନ୍ଦିରରେ ଥିବା ଦେବ ପ୍ରତିମାକୁ  ଅଚଳ  ପ୍ରତିଷ୍ଠା କରିବା ଉଚିତ୍। (ଏହା କର୍ମଜ୍ଞାନୀ ଋଷି ମାନଙ୍କର ମତ…)

“ଗୃହେ ଚଳାର୍ଚା ବିଙ୍ଗ୍ୟେୟା ପ୍ରାସାଦେ ସ୍ଥିରସଂଜ୍ଞିକା

ଇତ୍ୟେତେ କଥିତା ମାର୍ଗା ମୁନିଭିଃ କର୍ମବାଦିଭିଃ।।” (ଲୌଗାକ୍ଷିଭାସ୍କର)

ଗୃହରେ ଥିବା ଦେବ ପ୍ରତିମା ଏକ ବିତ୍ତ ପରମାଣ ଉଚ୍ଚତା ମଧ୍ୟରେ ହେବା ଉଚିତ୍ ଅର୍ଥାତ୍ ୧୨ଆଙ୍ଗୁଳ ଭିତରେ ଏହାଠାରୁ  ଉଚ୍ଚ ଦେବ ପ୍ରତିମା ମନ୍ଦିରରେ ପୂଜା କରିବା ଉଚିତ୍।

“ଅଙ୍ଗୁଷ୍ଟପର୍ବାଦାରଭ୍ୟ ବିତସ୍ତିର୍ଯ୍ୟାବଦେବ ତୁ।

ଗୃହେଷୁ ପ୍ରତିମା କାର୍ଯ୍ୟା ନାଧିକା ଶସ୍ୟତେ ବୁଧୈଃ।” (ମତ୍ସ୍ୟ ପୁରାଣ ୨୫୮/୨୨)

ଗଙ୍ଗାରେ, ଶାଳଗ୍ରାମରେ, ଶିବଲିଙ୍ଗରେ ସମସ୍ତ ଦେବା ଦେବୀଙ୍କୁ ପୂଜା କରାଯାଇପାରେ ଅବାହନ ବିସର୍ଜନ ନ କରି।

“ଗଙ୍ଗାପ୍ରବାହେ ଶାଳଗ୍ରାମଶିଳାୟାଂ ଚ ସୁରାର୍ଚନେ।

ଦ୍ୱିଜପୁଙ୍ଗବ! ନାପେକ୍ଷେ ଆବାହନ ବିସର୍ଜନେ।

ଶିବଲିଙ୍ଗେଽପି ସର୍ବେଷାଂ ଦେବାନାଂ ପୂଜନଂ ଭବେତ୍

ସର୍ବଲୋକମୟେ ଯସ୍ମାତ୍ ଶିବଶକ୍ତି ବିଭୁଃ ପ୍ରଭୁଃ।” (ବୃହତ୍ ଧର୍ମପୁରାଣ ଅ.୫୭)

ଗଣେଶ-

ଗଣେଶଙ୍କୁ କେବଳ ତୁଳସୀ ଦିଆଯିବ ନାହିଁ। ଅନ୍ୟ ସମସ୍ତ ପତ୍ରପୁଷ୍ପ ଗଣେଷଙ୍କୁ ଦିଆଯିବ। ଗଣେଶଙ୍କୁ ଦୂର୍ବା(ଦୁବ)ଅଧିକ ପ୍ରିୟ(ଧଳା ହେଉ ବା ହରିତ) ନୈବେଦ୍ୟରେ ଗଣେଶଙ୍କୁ ଲଡୁ ସର୍ବାଧିକ ପ୍ରିୟ।

ଉଗ୍ରଦେବୀ–

ଉଗ୍ରଦେବୀଙ୍କର ଅପାମାର୍ଗ ବିଶେଷପ୍ରିୟ। ଶିବଙ୍କ ପାଇଁ ନିଷିଦ୍ଧ ଫୁଲ ମଧ୍ୟ ଦେବୀଙ୍କୁ ଦିଆଯାଇ ପାରିବ। ସମସ୍ତ ପ୍ରକାରର ଲାଲ ଓ ସୁଗନ୍ଧିତ ଧଳା ଫୁଲ ଭଗବତୀଙ୍କର ବିଶେଷପ୍ରିୟ। ଚମେଲୀ, କେଶର, ଶ୍ୱେତ ଓ ଲାଲ ଫୁଲ, ପଦ୍ମ, ପଳାଶ, ଟଗର, ଅଶୋକ, ଚମ୍ପା, ମୌଳଶ୍ରୀ, ମନ୍ଦାର, କୁଳ, କନିଅର, ଅର୍କ, ଅପରାଜିତା ଦେବୀଙ୍କର ପ୍ରିୟ ଫୁଲ। ଏହାଛଡ଼ା ଶମୀ, କନିଅର, ଅଗସ୍ତିର ଲତା, ବିଲ୍ୱପତ୍ର, କେତକୀଫୁଲ, କଦମ୍ବ, ପଦ୍ମ ମଧ୍ୟ ଦେବୀଙ୍କର ପ୍ରିୟ।

ଶିବ-

ଶିବଙ୍କୁ କେତକୀ ଛଡ଼ା ଅନ୍ୟ ସମସ୍ତ ପ୍ରକାରର ଫୁଲ ଦିଆଯାଇ ପାରିବ। ଦୁଦୁରା ଫୁଲ ଶିବଙ୍କର ଅତି ପ୍ରିୟ। ଗୋଟିଏ ଶମୀ ଫୁଲ ହଜାରଟି ଦୁଦୁରା ଫୁଲ ସହିତ ସମାନ। ନୀଳପଦ୍ମ ଶିବଙ୍କର ଭାରି ପ୍ରିୟ। ମୌଳଶ୍ରୀ ପୁଷ୍ପ ମଧ୍ୟ ତାଙ୍କୁ ପ୍ରିୟ। କନିଅର, କାଶ, ମନ୍ଦାର, ଅପରାଜିତା, ଶମୀ, ଶଙ୍ଖପୁଷ୍ପୀ, ନାଗଚମ୍ପା, ଚମ୍ପା, ଟଗର, ପଳାଶ, ବେଲପତ୍ର, କୁସୁମ, ନୀଳ ଓ ଲାଲ ପଦ୍ମ ସମସ୍ତ ପ୍ରକାରର ସୁଗନ୍ଧିତ ଫୁଲ ଶିବଙ୍କର ପ୍ରିୟ। (ନିଷିଦ୍ଧ ପୁଷ୍ପ-କଦମ୍ବ, କେୱଡା, ଶିରୀଷ, ବକୁଳ, କପା, କେତକୀ, ଡାଳିମ୍ବ, ବସନ୍ତରେ ଫୁଟୁଥିବା ଫୁଲ, କୁଳ, ମଦସ୍ତୀ)

ବିଷ୍ଣୁ-

ବିଷ୍ଣୁଙ୍କର ତୁଳସୀ ମଞ୍ଜରୀ ଅତିପ୍ରିୟ। ରତ୍ନ, ମଣି, ସ୍ୱର୍ଣ୍ଣ ମଧ୍ୟ ତୁଳସୀ ତୁଳନାରେ ନିକୃଷ୍ଟ। କଳା ଓ ଧଳା ଦୁଇ ପ୍ରକାରର ତୁଳସୀରୁ ଧଳା ତୁଳସୀ ଅଧିକ ପ୍ରିୟ। ତୁଳସୀ ପୂଜିତ ବିଷ୍ଣୁ ଦର୍ଶନରେ ବ୍ରହ୍ମହତ୍ୟା ପାପ ମଧ୍ୟ ଦୂର ହୋଇଯାଏ। ବିଷ୍ଣୁଙ୍କର ପ୍ରିୟ ଫୁଲ ହେଲେ ସମସ୍ତ ପ୍ରକାର ହଳଦୀ ରଙ୍ଗର ଫୁଲ, ମାଳତୀ, କାଠଚମ୍ପା, ମୌଳଶ୍ରୀ, ଅଶୋକ, ଶେଫାଳି, ଟଗର କଦମ୍ବ, ସ୍କନ୍ଦ, ପାଟଳ, ଚମ୍ପା, ମାଧବୀ, କେତକୀ, ଶ୍ୱେତପଦ୍ମ। ଗୋଟିଏ ପଦ୍ମ ଦେଲେ କୋଟିଏ ବର୍ଷର ପାପ କ୍ଷୟ ହୋଇଯାଏ।(ନିଷିଦ୍ଧ ପୁଷ୍ପ – ଅରଖ, ଦୁଦୁରା, ଅପରାଜିତା, କାଞ୍ଚି, ଶିମିଳି, ସୋରିଷ, କଇଥ, ସଜନା, କଚଜାର, ବର, ଶ୍ୱଲର, ପିପ୍ପଳ, ଆମଡ଼ା ଓ କପୀଥ।

ସୂର୍ଯ୍ୟ-

ସୂର୍ଯ୍ୟଙ୍କର ନାଲିମନ୍ଦାରଫୁଲ, କାରଣ ଗୋଟିଏ ନାଲିମନ୍ଦାରଫୁଲ ଦଶଟି ସ୍ୱର୍ଣ୍ଣମୁଦ୍ରା ତୁଲ୍ୟ ସମାନ। ଫୁଲ ତୁଳନାରେ ମାଳ ଅଧିକ ଫଳ ଦାୟକ। ପ୍ରିୟ ପୁଷ୍ପ – ମାଳତୀ, କନିଅର, ଜବାକୁସୁମ ବା ନାଲିମନ୍ଦାର, କର୍ଣ୍ଣିକାର, ଚମ୍ପା, କୁନ୍ଦ, ଅଶୋକ, ପଦ୍ମ, ମୌଳଶ୍ରୀ, ଅଗସ୍ତି, ପଳାଶ, ଦୁର୍ବା, ଶ୍ୱେତପଦ୍ମ ଓ ମନ୍ଦାର। ବିହିତ ପତ୍ର – ବେଲ, ଶମୀ, ତମାଳ ପତ୍ର, ତୁଳସୀ, ପଦ୍ମପତ୍ର ଓ ବରକୋଳି ପତ୍ର। (ନିଷିଦ୍ଧ ଫୁଲ – ଦୁଦୁରା, କାଞ୍ଚି, ଅପରାଜିତା।)


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!