ବୃହସ୍ପତି ଚଳିଲେ ମକର ରାଶିକୁ (ତୁଳା, ବିଛା ଓ ଧନୁ)ରାଶି ଉପରେ କଣ ପଡିବ ଏହାର ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଲଗ୍ନରେ ବିଶେଷ ଗୁରୁତ୍ୱ ନଦେଇ ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ। ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍। ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ। ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ। ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ। ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ। ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ। ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରପଳ ବିବେଚନା କରିବାକୁ ପଡିଥାଏ।

ଗୁରୁଗ୍ରହ ସବୁଠାରୁ ଶୁଭଗ୍ରହ ଅଟନ୍ତି। ଗୁରୁଗ୍ରହ ସନ୍ତାନ, ଧନ, ଜ୍ଞାନ ତଥା ନ୍ୟାୟର ପ୍ରତୀକ ବୋଲି କୁହାଯାଏ। ଗୁରୁଗ୍ରହ ପ୍ରଭାବିତ ଜାତକ ବହୁତ ଜ୍ଞାନୀ ହୋଇଥାନ୍ତି। ଯଦି ଗ୍ରହ ଅଶୁଭରେ ଅବସ୍ଥିତ ହୋଇଛନ୍ତି ତେବେ ଧନହାନୀ, ଆର୍ଥିକ କ୍ଷତି, ସନ୍ତାନ ସୁଖରେ ବିଳମ୍ବ ବା ଝିଅମାନଙ୍କ ବିବାହ ହୋଇପାରେ ନାହିଁ। ନବଗ୍ରହରେ ବୃହସ୍ପତିଙ୍କୁ ଗୁରୁଙ୍କ ଉପାଧି ପ୍ରାପ୍ତ ହୋଇଛି। ମାନବ ଜୀବନରେ ବୃହସ୍ପତିଙ୍କ ମହତ୍ୱପୂର୍ଣ୍ଣ ପ୍ରଭାବ ପଡେ। ବୃହସ୍ପତି ସର୍ବଦା ଆପଦ ବିପଦରେ ରକ୍ଷା କରି ଥାନ୍ତି। ବୃହସ୍ପତି ଦଶା ଶେଷ ହେଲେ ଜାଣିବାକୁ ହେବ ଯେ ଶରୀରରୁ ଆତ୍ମା ଅଲଗା ହେବା ସହିତ ସମାନ।

ତୁଳା:-

ତୁଳାରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ସୁଖ ସ୍ଥାନରେ ପ୍ରବେଶ କରିବେ। ଏହି ସମୟ ମଧ୍ୟରେ ଅଷ୍ଟମ ଭାବ, କର୍ମଭାବ ଓ ହାନୀ ଭାବକୁ ପ୍ରଭାବିତ କରିବେ। ଆପଣଙ୍କ ରାଶି ପାଇଁ ଗୋଚର ବୃହସ୍ପତି ପ୍ରତିକୂଳ ଫଳ ପ୍ରଦାନ କରିବେ।ତଥାପି ବୃହସ୍ପତିଙ୍କ ଶୁଭଦ୍ରୁଷ୍ଟି ଯୋଗେ ଆଶା କରୁଥିବା ଫଳ ପାଇପାରିବେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ।

ତେଜରାତି, ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ବ୍ୟବସାୟୀମାନେ ଲାଭବାନ ହେବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆନନ୍ଦିତ ହେବେ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଅଭିଳଷିତ ଜିନିଷ କ୍ରୟ କରି ପାରନ୍ତି। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବା ସହ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ। ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

କିନ୍ତୁ ଅତ୍ୟଧିକ ସାବଧାନତା ଆବଶ୍ୟକ। ଶେଷରେ ଅଧିକ ଖର୍ଚ୍ଚାନ୍ତ ହେବା ଫଳରେ ହିସାବ ପାଇବେ ନାହିଁ। ଋଣ ଭାର ବୃଦ୍ଧି ହେବ। ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ। ସାଙ୍ଗସାଥୀ ଭାଗିଦାର ମାନଙ୍କ ପାଇଁ ରୋଗାଗ୍ରସ୍ତ ହୋଇ ପାରନ୍ତି। ପ୍ରତିକାର- ଗୁରୁବାର ଦିନ କଳଦୀଗଛ ମୂଳରେ ପାଣି ଢ଼ାଳନ୍ତୁ। ମାଆବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ। ୨୦୨୧ମସିହା ଏପ୍ରିଲମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ କୌଣସି ଏକ ଗୁରୁବାର ଦିନ ମନ୍ଦିରରେ ଦାନ କରି ଦିଅନ୍ତୁ।

ବିଚ୍ଛା:-

ବିଚ୍ଛାରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ତୃତୀୟ ବା ପରାକ୍ରମ ସ୍ଥାନରେ ପ୍ରବେଶ କରିଛନ୍ତି। ଏହି ଭାବରେ ବୃହସ୍ପତି ପ୍ରବେଶ କରିବା ଫଳରେ ସପ୍ତମ ଭାବ ନବମଭାବ ଏବଂ ଲାଭ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଆପଣ ବୃହସ୍ପତିଙ୍କ ଯୋଗେ ଅତି ଉତ୍ତମ ଫଳ ଭୋଗ କରିବେ। ଘର, କାର୍ଯ୍ୟାଳୟ, ବ୍ୟବସାୟିକସ୍ଥଳ ନିର୍ମାଣ, ସାଜ୍ଜସଜାରେ ପରିବର୍ତ୍ତନ ହେବ। ଗୃହପୋକରଣ କ୍ରୟ କରିବେ। ଆୟ ଅତି ମାତ୍ରାରେ ବୃଦ୍ଧି ହେବ। ବହୁତ ଦିଗରୁ ଧନ ଉପାର୍ଜନ ହେବ। ପରିବାର, ପ୍ରିୟଜନଙ୍କ ପାଇଁ ଅର୍ଥ ବ୍ୟୟ ହେବ। ଅର୍ଥ ଆଦାନ ପ୍ରଦାନ, ସାମାଜିକ ଅନୁଷ୍ଠାନରେ ଓ ମାଙ୍ଗଳିକ କାର୍ଯ୍ୟରେ ଆପଣଙ୍କର କ୍ଷମତା ପ୍ରଦର୍ଶନ ହେବ।

ସୌଭାଗ୍ୟଶାଳୀ, ସନ୍ତାନସୁଖ, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ପରହାତରେ ଥିବା ଧନ ସହଜରେ ଆଦାୟ ହୋଇଯିବ। ଆପଣଙ୍କ ବ୍ୟବସାୟରେ ସର୍ବଦା ଉନ୍ନତୀ ଓ ଲାଭ ପ୍ରାପ୍ତି ହେବ। ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ଦୀର୍ଘଦିନ ଧରି ଚନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରିପାରିବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ସାଂସାରିକ ଜୀବନ ସୁଖମୟ ହେବ। କିନ୍ତୁ ଗୁରୁଙ୍କର ନକରାତ୍ମକ ପ୍ରଭାବ ଫଳରେ ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ।

ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଚିନ୍ତିତ ରହି ପାରନ୍ତି। ସତର୍କତା ଅବଲମ୍ବନ ନକଲେ ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେବାସହ ଜାଗା ଜମିବାଡ଼ି ନେଇ ସମସ୍ୟା ଦେଖା ଦେଇପାରେ। ପ୍ରତିକାର- ପ୍ରତିଦିନ ଏକମାଳା ଏହିମନ୍ତ୍ର ଜପ କରିବା ଉଚିତ୍‌। ମନ୍ତ୍ର- ଓଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ। ୨୦୨୧ମସିହା ଅପ୍ରେଲମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ କୌଣସି ଏକ ଗୁରୁବାର ଦିନ ମନ୍ଦିରରେ ଦାନ କରି ଦିଅନ୍ତୁ।

ଧନୁ:-

ଧନୁରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଦ୍ୱିତୀୟ ସ୍ଥାନରେ ବା ଧନ ଓ କୁଟୁମ୍ବଭାବରେ ସ୍ଥିତ ହେବେ। ଅଷ୍ଟମ ସ୍ଥାନ, ଷଷ୍ଠସ୍ଥାନ ଓ କର୍ମସ୍ଥାନ ଉପରେ ପୂର୍ଣ୍ଣ ଦୃଷ୍ଟି ରଖିବେ। ଯାହାଫଳରେ ନୂତନ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିପାରିବେ। ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ।ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ। ମିଷ୍ଠାନ୍ନ ଭୋଜନ ବା ସୁସ୍ଵାଦୁ ଭୋଜନ ପ୍ରାପ୍ତି ହେବ। ଉତ୍ତମ ଆୟର ପଥ ପରିଷ୍କାର କରିବେ।

ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଓ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରିପାରନ୍ତି। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। କୁଟୁମ୍ବଙ୍କ ସହିତ ପୂର୍ବ କଳହ, ଦ୍ୱନ୍ଦ ଝଗଡ଼ା ଝାଣ୍ଟି ଓ ପୈତୃକ ସମ୍ପତ୍ତିକୁ ନେଇ ମାଲିମୋକଦ୍ଦମା କୋର୍ଟ କଚେରୀରେ ଥିବା ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବ। ଭାଗିଦାରୀ ବ୍ୟବସାୟ ପ୍ରଗତି ପାଇଁ ଚେଷ୍ଟିତ ହେବେ। ଭ୍ରାତୃବିବାଦ ମେଣ୍ଟିଯିବ। ଧର୍ମରେ ଆସ୍ଥା ବଢ଼ିବ। ଧାର୍ମିକ କର୍ଯ୍ୟ ଯଜ୍ଞାଦି ଅନୁଷ୍ଠାନରେ ମନୋବୃତ୍ତି ନିବେଶ କରି କେତେକାଂଶରେ ବିପଦକୁ ଖଣ୍ଡନ କରିଦେଇ ପାରିବେ। କର୍ମକ୍ଷେତ୍ରରେ ଉନ୍ନତି, ଆଶା କରୁଥିବା କ୍ଷେତ୍ରକୁ ସ୍ଥାନାନ୍ତରଣ ଯୋଗେ ଆନନ୍ଦିତ ହେବେ।

ବ୍ୟବସାୟକ୍ଷେତ୍ର ପ୍ରସାର ପ୍ରଚାର ଫଳରେ ବିଶେଷ ଲାଭବାନ୍ ହେବେ। ଶିକ୍ଷାକ୍ଷେତ୍ରରେ ଖେଳକୁଦ ମନୋରଂଜନରେ ଅଧିକ ସମୟ କଟାଇଲେ ମଧ୍ୟ ପରୀକ୍ଷା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସା ପାଇବେ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା କରିବେ। ପ୍ରଭାବଶାଳୀ ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ ହେବ। ସନ୍ତାନ ବିବାହ, ବନ୍ଧୁ ବେଭାର ଆଦିରେ ଅନେକ ଖର୍ଚ୍ଚାନ୍ତ ହେବେ। ଅନ୍ୟକୁ ସାହାଯ୍ୟ କରିବା ପାଇଁ କିଛିଅର୍ଥ ହରେଇ ବସିବେ। ପ୍ରତିକାର- ହଳଦୀ ରଙ୍ଗର ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍ । ନତୁବା ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ। ୨- ହଳଦୀ ମାଳରେ ପ୍ରତ୍ୟେକଦିନ ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ଜପକରନ୍ତୁ – ଓଁ ବୃଂ ବୃହସ୍ପତୟେ ନମଃ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!