2022 ମସିହା ଇଂରାଜୀ ନବବର୍ଷ କେମିତି କଟିବ ମେଷ ରାଶିର ଆବାଳ ବୃଦ୍ଧ ବନିତାମାନଙ୍କ ପାଇଁ, ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା ଇଂରାଜୀ ନବବର୍ଷ କେମିତି କଟିବ ମେଷରାଶିର ଆବାଳବୃଦ୍ଧ ବନିତାମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା-

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୨ ମସିହାରେ ମେଷରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୨ମସିହା ଏପ୍ରିଲମାସ ୧୩ତାରିଖରେ ମୀନ ରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୨ ମସିହା ଅପ୍ରେଲ ୨୯ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହେବେ ଓ ଜୁଲାଇ ୧୨ତାରିଖରେ ମକର ରାଶିକୁ ବକ୍ରହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ରାହୁ ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ଓ କେତୁ ତୁଳାରାଶିକୁ ବକ୍ର ସଂଚାର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

ମେଷ – ମେଷ ରାଶିର ଜାତକଙ୍କ ପାଇଁ ୨୦୨୨ ମସିହାରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ୟାରିୟର, ରାଜନୀତି, ଦାମ୍ପତ୍ୟ ଓ ପାରିବାରିକ କ୍ଷେତ୍ରରେ ସାମାନ୍ୟ ଉତ୍ଥାନ ପରିସ୍ଥିତି ଦେଖା ଦେଇପାରେ । ବର୍ଷ ଆରମ୍ଭରେ ଗ୍ରହରାଜ ଶନିଶ୍ଚର ମେଷ ରାଶିର ଦଶମ ଭାବରେ ରହିବେ ଓ ଅପ୍ରେଲ ୨୯ତାରିଖରେ ଏକାଦଶ ଭାବରେ ରହିବା ଫଳରେ ସକାରାତ୍ମକ ଫଳ ମିଳିବ । କେତେଗୁଡିଏ ମହତ୍ଵପୂର୍ଣ୍ଣ କାର୍ଯ୍ୟର ପରିବର୍ତନ ହୋଇ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ ।

କାରଣ ରବି ଓ ଶନି ଦୁଇଟି ଶତୃ ଗ୍ରହ ଦଶମ ଭାବରେ ବା କ୍ୟାରିୟର ଭାବରେ ଯୁକ୍ତ ହୋଇ ରହିବା ସମୟରେ କର୍ମ କ୍ଷେତ୍ରରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିଭା ପ୍ରଦର୍ଶନ ଜନିତ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବା ସହ ଅଟକି ଥିବା କାର୍ଯ୍ୟ ପୂରଣ କରି ପାରିବେ । କର୍ମକ୍ଷେତ୍ରରେ ପଦ ପଦବୀ ମିଳିବା ସହ ସ୍ଥାନ ପରିବର୍ତ୍ତନ ହେବାର ଯୋଗ ମଧ୍ୟ ରହିଛି । ରାଜନୀତି କ୍ଷେତ୍ରରେ କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ଓ ବିବେକାନୁମୋଦିତ ଚିନ୍ତାଧାରା ସାଙ୍ଗକୁ ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ ।

ବ୍ୟବସାୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କଲେ ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବିଦେଶରେ ରହି ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟଧିକ ଲାଭ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । ମଙ୍ଗଳ ଗ୍ରହ ଆପଣଙ୍କ ଜୀବନକୁ ମଙ୍ଗଳମୟ କରିବେ । ଆପଣଙ୍କୁ ଅନେକ ଶୁଭଫଳ ମିଳିବାର ସୁଯୋଗ ଆସିବ । ବର୍ଷ ଆରମ୍ଭରେ ପ୍ରେମ କ୍ଷେତ୍ରରେ ସୁଧାର ହେବ । ଜୀବନସାଥିଙ୍କ ସହିତ ସମ୍ପର୍କ ମଜବୁତ ହେବ । ପରିବାର ସଦସ୍ୟଙ୍କର ସାହାଯ୍ୟ ସହଯୋଗ ମଧ୍ୟ ମିଳିବ । ଏହି ବର୍ଷ ଆର୍ଥିକ ସ୍ଥିତି ଭଲ ରହିବ ।

ଘର ଖର୍ଚ୍ଚ ବା ଆବଶ୍ୟକ ଜିନିଷ ପୂରଣ କରିବା ପାଇଁ ବିଦେଶରୁ ଧନ ଆଗମନ ହେବାର ସମ୍ଭାବନା ଅଛି । କାରଣ ମେଷ ରାଶିର ବ୍ୟୟ ବା ଦ୍ଵାଦଶ ଭାବର ସ୍ଵାମୀ ଗୁରୁ ଆୟ ଭାବରେ ରହିବେ । ଆୟ ଭାବର ସ୍ଵାମୀ ଶନି ନିଜସ୍ଵ ଗୃହରେ ରହିବେ, ଯାହା ଫଳରେ ସୁଖ ଐଶ୍ଵର୍ଯ୍ୟ ପ୍ରାପ୍ତି ହେବ । ରବି ଗ୍ରହଙ୍କ ଗୋଚର ହେତୁ ଅଚାନକ ଭାବରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଯାହାକି ଆର୍ଥିକ ସ୍ଥିତି ମଜବୁତ ହେବ । ଗୁରୁ ଗ୍ରହଙ୍କ ଗୋଚର ହେତୁ ଗୃହରେ ମାଙ୍ଗଳିକ ବା ଧାର୍ମିକ କାର୍ଯ୍ୟ ମଧ୍ୟ ଆୟୋଜନ କରିପାରିବେ । ଆର୍ଥିକ ସହଯୋଗ ପାଇ ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହେବାରୁ ମାନସିକ ଶାନ୍ତି ପାଇବେ ।

ପୈତୃକ ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି । ଯାହାକି ନିଶ୍ଚିତ ରୂପରେ ଆପଣଙ୍କ ପାଇଁ ଲାଭଦାୟକ ହେବ । ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ନିର୍ଦୋନ୍ଦରେ କାର୍ଯ୍ୟ ଆରମ୍ଭ କରିପାରିବେ । ଗୁରୁ ଗ୍ରହ ଦ୍ଵାଦଶ ଭାବରେ ବିରାଜମାନ କରିବା ବେଳେ ଦ୍ଵାଦଶ ଭାବକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବେ ଓ ଜାତକର ଷଷ୍ଠ ଭାବକୁ ଦୃଷ୍ଟି ଦେବେ । ଯାହାକି ଶିକ୍ଷାରେ ସୁଧାର ହେବ । ଯେଉଁ ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଛନ୍ତି ବା କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଶୁଭ ଫଳ ପାଇ ପାରନ୍ତି । ଶିକ୍ଷା କ୍ଷେତ୍ରରେ କୌଣସି ଶୁଭ ସମାଚାର ମଧ୍ୟ ମିଳିପାରେ ।

ଏହି ସମୟରେ ଯଦି କୌଣସି କଲେଜ ବା ପ୍ରଶିକ୍ଷଣ ସଂସ୍ଥାରେ ଯୋଗ ଦେବାକୁ ଚେଷ୍ଟା କରିବେ ବା ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ତେବେ ସେଥିରେ ସଫଳତା ପାଇବେ । କାରଣ ନବମ ଭାବର ଅଧିପତି ଗୁରୁ ଗ୍ରହ ଦ୍ଵାଦଶ ଭାବରେ ଗୋଚର କରିବେ । ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ସମୟ ଅନୁକୂଳ ରହିବ । କାରଣ ଗୁରୁ ଗ୍ରହ ସେବା ଭାବକୁ ଦୃଷ୍ଟି ଦେବେ । ଏହା ବ୍ୟତୀତ ରବି ଗ୍ରହ ପ୍ରତିଯୋଗୀତା ଭାବରେ ବିରାଜମାନ କରିବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଯେଉଁ ବିଦ୍ୟାର୍ଥୀମାନେ ବିଦେଶରେ ରହି ପାଠ ପଢିବା ପାଇଁ ଯୋଜନା କରୁଛନ୍ତି ବା ବିଦେଶରେ ରହି ପାଠ ପଢୁଛନ୍ତି ସେମାନଙ୍କର ବିଦ୍ୟାରେ ଉନ୍ନତି ହେବ । ବୃହସ୍ପତି ମୀନ ରାଶିରେ ଗୋଚର ହେବା ଫଳରେ ପ୍ରେମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇପାରେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ମାର୍ଚ୍ଚ ମାସପରେ ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ସୃଷ୍ଟି ହୋଇ ତିକ୍ତତା ଭାବ ଦେଖାଦେଇପାରେ । ବୈବାହିକ ଜୀବନରେ ଉତ୍ଥାନ ପତ୍ତନ ଲାଗି ରହିବ । ତେଣୁ ସାବଧାନ ରହିବା ଆବଶ୍ୟକ । ଛୋଟ ଛୋଟ କଥାକୁ ବଡ ଆକାର କରିବେ । ଛାୟା ଗ୍ରହ କେତୁ ଜାୟାଭାବକୁ ଗୋଚର କରିବେ, ତେଣୁ ଜୀବନସାଥୀଙ୍କ ସହିତ ମତଭେଦ ସୃଷ୍ଟି ହେବ । ଜୀବନସାଥୀଙ୍କ କଥାକୁ ଶୁଣି ବୁଝିବାକୁ ଚେଷ୍ଟା କରିବା ଉଚିତ୍ । ଜୀବନସାଥୀଙ୍କ ସହିତ ଅଯଥା କଥାରେ ତର୍କ ବିତର୍କ ନ କରିବା ଉଚିତ୍ ।

ବାଦବିବାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ନଚେତ୍ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ୨୦୨୨ ମସିହାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଙ୍କ ପ୍ରଭାବରେ ଛୋଟମୋଟ ଶାରୀରିକ କଷ୍ଟ ଦେଖାଦେଇ ପାରେ । ସେହିପରି ହଜମ ଶକ୍ତି ଓ ପେଟ ରୋଗ ମଧ୍ୟ ଦେଖାଦେବ । ତେଣୁ ଶରୀର ପ୍ରତି ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଖାଇବା ପିଇବାରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଚେଷ୍ଟା କରନ୍ତୁ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଓ ଫିଟନେସ୍ ରହିବା ପାଇଁ ଜିମ୍ ବା ଯୋଗ ଆଦି କରନ୍ତୁ । ଏହା ଆପଣଙ୍କ ପାଇଁ ଭଲ ହେବ । ବିଶେଷ କରି ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ଆବଶ୍ୟକ । ପ୍ରତିକାର- ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ଓ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!