ତୁଳା ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ 12ଟି ରାଶିର ଶୁଭା ଶୁଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା ୧୭ / ୧୦ / ୨୦୨୧ ମସିହା ରବିବାର ଦିନ ତୁଳାରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବି ମହାଗ୍ରହ ଶୁଭ ସ୍ଥିତିରେ ରହିବା ଆବଶ୍ୟକ । ରବି ମହାଗ୍ରହ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ସ୍ୱୟଂ ଶକ୍ତି, ଜ୍ଞାନବିଜ୍ଞାନ, ମାନସମ୍ମାନ, ପଦପ୍ରତିଷ୍ଠା, ବାପାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ ପଦବୀ, ଯଶ, କୀର୍ତ୍ତି, ପ୍ରଶସ୍ତି, ଆୟୁ, ରାଜା, ରାଜନୀତି, ମସ୍ତିସ୍କ, ହାଡ, ସ୍ୱାସ୍ଥ୍ୟ ଚିକିତ୍ସା, ହୃଦୟ, ଉଋ, ପିତ୍ତ, ଚକ୍ଷୁ, ରକ୍ତ ପ୍ରବାହ, ଗରମ ତଥା କରେଣ୍ଟ ଆଦିର କାରକ ସୂର୍ଯ୍ୟ ବା ରବି ମହାଗ୍ରହ ଅଟନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରି ଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ ।

ମେଷ:- ମେଷ ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ସପ୍ତମ ଭାବରେ ବା ଜାୟାବ୍ୟବସାୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବା ସହ ଦୂରଯାତ୍ରାର ସୁଯୋଗ ପାଇବେ । ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବା ଫଳରେ ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବନ୍ଧୁଙ୍କ ଶୁଭକର୍ମରେ ଯୋଗଦେବାକୁ ବାଧ୍ୟ ହେବେ । ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ ।

ବୃଷ:- ବୃଷରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଷଷ୍ଠଭାବରେ ବା ରୋଗ, ରୁଣ, ଶତ୍ରୁ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବା ସହ କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ ଓ ସହଯୋଗୀ, ସହକର୍ମୀ, ବରିଷ୍ଠ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ନିବିଡ଼ ହେବ । ସାମାଜିକ କାର୍ଯ୍ୟରେ କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇ ସଫଳତା ହାସଲ କରିବା ସହ ମାନସମ୍ମାନ ବୃଦ୍ଧି ହେବ । ବନ୍ଧୁଙ୍କ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ କିନ୍ତୁ ଯାତ୍ରାରେ ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧିହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ବିଦ୍ୟାକ୍ଷେତ୍ରରେ ବୁଦ୍ଧିମତା କାରଣରୁ ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ ଓ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ମିଥୁନ:- ମିଥୁନରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପଞ୍ଚମଭାବ ବା ସନ୍ତାନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ପୁରାତନ ରୋଗରୁ ଉପଶମ ମିଳିବା ଫଳରେ ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବା ସହ ସୁନାମ ଅର୍ଜନ କରିବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ । ବନ୍ଧୁ ମିତ୍ରମାନେ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:- କର୍କଟରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଚତୁର୍ଥ ଭାବରେ ବା ସୁଖ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । କର୍ମ କ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ଆର୍ଥିକ ସଙ୍କଟ ଦୂରେଇଯିବ । ଧାର କରଜ ସୁଝିବା ପାଇଁ ସୁଯୋଗ ପାଇବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଧର୍ମକାର୍ଯ୍ୟରେ ନିୟୋଜିତ ହେବେ । ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ପ୍ରତିକାର-ଭୋକିଲା ଲୋକକୁ ନିରାଶ କରିବେ ନାହିଁ ।

ସିଂହ:- ସିଂହରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ତୃତୀୟ ଭାବରେ ବା ବିକ୍ରମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଅଭିଳଷିତ ଜିନିଷ କ୍ରୟ କରି ପାରନ୍ତି । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ । ବିଦ୍ୟାର୍ଥିମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ଆନନ୍ଦ ଉଲ୍ଲାସରେ ସମୟ ବିତାଇବେ । ଅନେକ ପ୍ରକାର କାର୍ଯ୍ୟରେ ପରିବର୍ତ୍ତନ ଦେଖାଦେଇ ପାରିବାରିକ କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି ହେବ । ସରକାରୀ ସାହାଯ୍ୟ ପାଇବା ସହ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:- କନ୍ୟାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦ୍ଵିତୀୟ ଭାବରେ ବା ଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଯୋଗେ ନୂତନ କାର୍ଯ୍ୟକିଛି ଶୁଭାରମ୍ଭ କରି ପାରନ୍ତି । କର୍ମ କ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ ଓ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ । ଯଥେଷ୍ଟ ଅଗ୍ରଗତି ଘଟିବା ସହ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ନିଜ ଲୋକମାନେ ସାହାଯ୍ୟ ସହଯୋଗ କରିବେ । ଆୟ ଉପାର୍ଜନ ବୃଦ୍ଧି ହେବ । ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଲାଭ ପାଇ ପାରନ୍ତି । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ତୁଳାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଅନେକ ଦିଗରୁ ଖୁସି ମିଳିବ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ଅଦମ୍ୟ ଉଦ୍ୟମ ବା ଚେଷ୍ଟାଦ୍ୱାରା ସାଫଲ୍ୟପ୍ରାପ୍ତି ହେବ । କେତେକ କ୍ଷେତ୍ରରେ ସୁଖଶାନ୍ତି ଲାଭ ଓ ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ବିଦ୍ୟୁତ୍, ଯନ୍ତ୍ରଚାଳନ, ଯାନବାହାନ, ଖଣିଖାଦାନ ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନଙ୍କର ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ । କୋର୍ଟ କଚେରୀ ମାମଲାରେ ଜିଦରୁ ନିବୃତ ହେବା ଶ୍ରେୟସ୍କର ହେବ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନାହିଁ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ବିଚ୍ଛା:-ବିଛାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ବ୍ୟୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ । ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ଲେଖକ, ପତ୍ରକାର, ସଙ୍ଗୀତଜ୍ଞ, ଠିକାଦାର ଓ ସରକାରୀ କର୍ମରତଥିବା ବ୍ୟକ୍ତିମାନଙ୍କର ଅନେକ ଶୁଭହେବ । ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରି ପାରିବେ ନାହିଁ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ଜାଗା, ଜମି ଓ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ସହିତ ମତଭେଦ ସମାପ୍ତହେବ । ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କାମ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ଧନୁରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଏକାଦଶ ଭାବରେ ବା ଲାଭଭାବରେ ଅବସ୍ଥାନ କରିବେ । ଯାହାଫଳରେ ଆୟ ବୃଦ୍ଧି ହୋଇ ଅର୍ଥଲାଭର ମାର୍ଗ ଖୋଲିଯିବ । ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବ । ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହୋଇ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବା ଫଳରେ ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ ଓ କର୍ମକ୍ଷେତ୍ରରେ ପ୍ରସିଦ୍ଧି, ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ । ପରିବାରରେ ପୂର୍ବକଳହର ଅବସାନ ହୋଇ ଭାଇ ବନ୍ଧୁମାନଙ୍କ ଠାରୁ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ସାମାଜିକସ୍ଥିତି, ମାନସମ୍ମାନ ପାଇଁ କଠିନ ପରିଶ୍ରମ କରିବେ । ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:- ମକର ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦଶମଭାବରେ ବା କର୍ମଭାବରେ ଅବସ୍ଥାନ କରିବେ । ଯାହାଫଳରେ କର୍ମକ୍ଷେତ୍ରରେ ଶତୃତା କମିଯିବା ଫଳରେ ପଦୋନ୍ନତିର ସଙ୍କେତ ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହୋଇ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ଅତୁଟ ରହିବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବା ସହ ସମୟ ମଧ୍ୟ ଆନନ୍ଦମୟ ହେବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ପ୍ରବାସ ଯାତ୍ରାରେ ଲାଭବାନ ହେବେ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ରାଜନୀତି କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବା ସହ ପରିଶ୍ରମ ଓ ମେହନତର ପରିଣାମ ମିଳିବ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ମୁଣ୍ଡରେ ଧାରଣ କରନ୍ତୁ ।

କୁମ୍ଭ:-କୁମ୍ଭରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ନବମ ଭାବରେ ଭାଗ୍ୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ । ଅସହାୟ ଓ ନୀଚ ଲୋକଙ୍କୁ ସାହାଯ୍ୟ କରିବା ଫଳରେ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ସହଯୋଗ ପାଇ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । ବ୍ୟବସାୟୀ ମାନଙ୍କୁ ନୂଆ କାମ ନୂଆ ପ୍ରେରଣା ଦେବ । ପ୍ରାୟକ୍ଷେତ୍ରରେ ଜୟ ଜୟକାର ହେବ । ଦୂରଯାତ୍ରାର ସୁଯୋଗ ପାଇ ଧନଲାଭ ସହିତ ଜିମ୍ମେଦାରୀ ବା ଦଇତ୍ଵ ବଢିଯିବ । ବଂଧୁଙ୍କଠାରୁ ଶୁଭ ସମାଚାର ଶୁଣି ବା ଶୁଭ ସନ୍ଦେଶ ପାଇ ମନ ଆନନ୍ଦିତ ହେବ । ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତହେବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ନୂତନ ଗୃହସୁଖ ମିଳିବ । ମାଲିମୋକଦ୍ଦମାରେ ମୁଣ୍ଡଉଚ୍ଚ ରହିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:- ମୀନରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଅଷ୍ଟମ ଭାବରେ ବା ନିଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହୋଇ ମାନସିକ ଶାନ୍ତିପାଇବେ । ସହକର୍ମୀ ମାନଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟର ଜୀବନ ଓ ପରିବାରର ଉନ୍ନତି ହେବ । ଧର୍ମକାର୍ଯ୍ୟର ଆୟୋଜନ କିମ୍ବା ଧର୍ମାନୁଷ୍ଠାନରେ ଯୋଗଦାନ କରି ଗୁରୁଜନଙ୍କ ଆଶୀର୍ବାଦ ପାଇବେ । ଉଚ୍ଚଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ । ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!