କର୍କଟ ରାଶିରୁ ସିଂହ ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ 12ଟି ରାଶିର ଶୁଭାଶୁଭ, ଜାଣିବା ପାଇଁ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା ୧୭ / ୦୮ / ୨୦୨୨ ମସିହା ବୁଧବାରଦିନ କର୍କଟରାଶିରୁ ସିଂହରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବି ମହାଗ୍ରହ ଶୁଭ ସ୍ଥିତିରେ ରହିବା ଆବଶ୍ୟକ । ରବି ମହାଗ୍ରହ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ସ୍ୱୟଂ ଶକ୍ତି, ଜ୍ଞାନବିଜ୍ଞାନ, ମାନସମ୍ମାନ, ପଦପ୍ରତିଷ୍ଠା, ବାପାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ ପଦବୀ, ଯଶ, କୀର୍ତ୍ତି, ପ୍ରଶସ୍ତି, ଆୟୁ, ରାଜା, ରାଜନୀତି, ମସ୍ତିସ୍କ, ହାଡ, ସ୍ୱାସ୍ଥ୍ୟ ଚିକିତ୍ସା, ହୃଦୟ, ଉଋ, ପିତ୍ତ, ଚକ୍ଷୁ, ରକ୍ତ ପ୍ରବାହ, ଗରମ ତଥା କରେଣ୍ଟ ଆଦିର କାରକ ସୂର୍ଯ୍ୟ ବା ରବି ମହାଗ୍ରହ ଅଟନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରି ଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ ।

ମେଷ:-ମେଷରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପଞ୍ଚମଭାବ ବା ସନ୍ତାନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ । ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ । କମିଶନ ସମ୍ବନ୍ଧିତ କାର୍ଯ୍ୟରେ ପ୍ରଚୁର ଲାଭ ମିଳିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଅସହାୟ ମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ସାଧାରଣ ଲୋକମାନେ ସମ୍ମାନ ଦେବେ । କର୍ମକ୍ଷେତ୍ରରେ ଆନ୍ତରିକ ଉତ୍ସାହ ବୃଦ୍ଧିହେବା ଫଳରେ ଜଟିଳ ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବଢିବା ସହ ମୁଖ୍ୟନେତାଙ୍କର ପ୍ରିୟପାତ୍ର ହେବେ । ଶତ୍ରୁ ମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ । ଅର୍ଥକୁ ଭଗବାନ ଜ୍ଞାନ କରି ବିବାଦମାନ ପରିସ୍ଥିତିର ବି ସମ୍ମୁଖୀନ ହେବାକୁ ପଡିପାରେ । ସ୍ଥଳ ବିଶେଷେ ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷର କାରଣ ହେବ । ପ୍ରତିକାର:- ପ୍ରତ୍ୟେକ ଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବୃଷ:-ବୃଷରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଚତୁର୍ଥ ଭାବରେ ବା ସୁଖ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଉଚ୍ଚ ସମ୍ଭାବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବା ସହ ଆୟ ଉତ୍ତମ ହେବ ଓ ବ୍ୟୟ ହ୍ରାସ ପାଇବ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂରଣ ହୋଇ ଯିବ । ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧୀକାରୀଙ୍କ ପ୍ରିୟଭାଜନ ହେବେ । ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରି ବେଶ୍ ଆନନ୍ଦ ଅନୁଭବ କରିବେ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ଅଧ୍ୟୟନ ଅଧ୍ୟାପନ କାର୍ଯ୍ୟରେ ବ୍ୟସ୍ତ ରହିବେ । ମନୋରଞ୍ଜନ ଓ ମଉଜ ମସ୍ତିରେ ସମୟ କଟି ପାରେ । ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି । ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିବେ । ପ୍ରତିକାର- ପ୍ରତ୍ୟେକ ଦିନ ପାଣିରେ କିଛି ଗୋଟାଲୁଣ ପକାଇ ଘରକୁ ପୋଛନ୍ତୁ ।

ମିଥୁନ:-ମିଥୁନରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ତୃତୀୟ ଭାବରେ ବା ବିକ୍ରମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । କର୍ମକ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବେ ଓ ମନ ଲଗାଇ କାର୍ଯ୍ୟ ମଧ୍ୟ କରିବେ । ସୁସ୍ଵାଦୁ ଖାଦ୍ୟ ପ୍ରାପ୍ତି ହେବ । ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବେ । ସାମ୍ବାଦିକ ମାନେ ଜନ ସମର୍ଥନ ପାଇ ସଫଳ ହେବେ । ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ମନ ନିବେଶ କରିବେ । ପ୍ରେମକ୍ଷେତ୍ରରେ ସାହାଯ୍ୟ ପାଇ ଆଗକୁ ବଢିବା ସମ୍ଭବ ହେବ । ପ୍ରତିକାର-ପ୍ରତ୍ୟେକ ଦିନ ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କର୍କଟ:-କର୍କଟରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦ୍ଵିତୀୟ ଭାବରେ ବା ଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସଂପତ୍ତି କ୍ରୟକରିବା ପାଇଁ ଅତ୍ୟନ୍ତ ଶୁଭ ସମୟ । ସନ୍ତାନଠାରୁ ସୁଖପ୍ରାପ୍ତି ହେବ । ପୁତ୍ରରତ୍ନ ପ୍ରାପ୍ତି ହେବ । କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ବ୍ୟବସାୟୀମାନେ ଯେକୌଣସି ଜାଗାରୁ ଧନଉପାର୍ଜନ କରିପାରିବେ ଓ ବ୍ୟବସାୟକୁ ବିସ୍ତାରିତ କରିବାପାଇଁ ସକ୍ଷମହେବେ । ଇଂରାଜୀ ପ୍ରଫେସର, ଅଭିନେତା ଓ ଅଭିନେତ୍ରୀ, ସଙ୍ଗୀତଜ୍ଞ, ଉଚ୍ଚ ଅଧିକାରୀ ପଦରେ ପହଞ୍ଚି ପାରିବେ । ଶତୃମାନେ ତଳମୁହାଁ ହେବେ । ମାଲିମକଦ୍ଦମାରେ ବିଜୟଲାଭ ହେବ । ସମସ୍ତ ସମସ୍ୟା ଧିରେ ଧିରେ ଅପସରି ଯିବ । ବିଶେଷକରି ବିଦ୍ୟାର୍ଥୀ ମାନଙ୍କପାଇଁ ଏହାଏକ ସୁବର୍ଣ୍ଣ ସୁଯୋଗ । ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ । ପ୍ରତିକାର- ପ୍ରତ୍ୟେକ ଦିନ ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ସିଂହ:-ସିଂହରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଧର୍ମଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତକ୍ଷେତ୍ରରେ ଉତ୍ସାହିତ ହେବେ । ଗୃହରେ ସୁଖଶାନ୍ତି ବିରାଜମାନ କରିବ । ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ । ସନ୍ତାନଙ୍କ ପ୍ରତି ସଜାଗ ରହିବା ଉଚିତ । ଅନେକଅର୍ଥ ପାରିବାରିକକ୍ଷେତ୍ରରେ ଆତ୍ମୀୟମାନଙ୍କର ଉପଚାର ରୋଗ ନିବୃତ୍ତି ପାଇଁ ଖର୍ଚ୍ଚହୋଇଯିବ । ବେପାର ବଣିଜରେ ପ୍ରଚୁର ଲାଭ ମିଳିବ ଏବଂ ନୂଆ ନୂଆ ଉପାୟ ଚିନ୍ତା କରିବେ । ଇଲେକ୍ଟ୍ରୀ, ଇଲେକଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନହେବେ । ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ । ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ । ଆୟର ଯଥେଷ୍ଟ ଅର୍ଥ ଶୁଭକାର୍ଯ୍ୟରେ ଖର୍ଚ୍ଚକରିବେ । ପ୍ରତିକାର:- ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-କନ୍ୟାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ବ୍ୟୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେପଢିବା, ପଢେଇବା ମାମଲାରେ ଆଗକୁ ଗତି କରିବେ । ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ । ରାଜନୀତି କ୍ଷେତ୍ରରେ ସଫଳତାସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ । ଏହି ସମୟରେ ସମାନ ବିଚାରଧାରା ଲୋକଙ୍କ ଆବଶ୍ୟକତା ଅନୁଭବ କରିବେ । ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ । ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ସତର୍କ ରହି କର୍ମଚାରୀମାନଙ୍କ ଉପରେ ନଜର ରଖିପାରିଲେ କ୍ଷୟକ୍ଷତିରୁ ରକ୍ଷାପାଇ ଲାଭବାନ୍ ହେବେ । ଶତୃଙ୍କଠାରୁ ଦୂରେଇ ରହିବା ଉଚିତ୍ । ପାରିବାରିକ ସମସ୍ୟା, ଗୃହରେ କଳହ, ପତି-ପତ୍ନୀଙ୍କ ମଧ୍ୟରେମତଭେଦ, ବିରୋଧଭାବ ଏବଂ ତିକ୍ତତା ଦୂରେଇ ଯିବ । ନ୍ୟାୟଧୀଶ, ପ୍ରଶାସନିକସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ପାଇଁଚେଷ୍ଟାକଲେ ସଫଳ ହେବେ । ସମ୍ପତ୍ତିବିବାଦ, ଛୋଟଛୋଟ କଥାକୁନେଇ ସମସ୍ୟା ସୃଷ୍ଟିହୋଇ ପାରେ । ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ତୁଳାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଏକାଦଶ ଭାବରେ ବା ଲାଭଭାବରେ ଅବସ୍ଥାନ କରିବେ । ଯାହାଫଳରେ କର୍ମପାଇଁ ଅପେକ୍ଷା କରିଥିବା ଯୁବକ ଓ ଯୁବତୀମାନେ ଉପଯୁକ୍ତ ବିଭାଗରେ କର୍ମ ନିଯୁକ୍ତି ପାଇବେ । ନୂତନ ସଂପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ । ବାଣିଜ୍ୟ, ବ୍ୟବସାୟ ନବିକରଣ, ଦୋକାନ, ଅଫିସ, ବାସଗୃହ ଆଦି ସାଜସଜ୍ଜା କରିବାପାଇଁ ମଧ୍ୟ ଉପଯୁକ୍ତ ସମୟ । ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ । ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ । ଦୀର୍ଘଦିନପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି । ଅନେକ କ୍ଷେତ୍ରରେ ବାରମ୍ବାର ଲାଭର ସୁଯୋଗ ପାଇବେ । ବ୍ୟବସାୟ ପାଇଁ ଦୂରଯାତ୍ରା କରିବା ଫଳରେ ଆଶାତୀତ ଲାଭପାଇବେ । ଶିକ୍ଷା ବିଭାଗ କର୍ମଚାରୀ, ରାଜ୍ୟପାଳ ଭବନ କର୍ମଚାରୀ, ଓକିଲ ସଂଘ, ସାର୍ବଜନିନ ନିର୍ମାଣ ବିଭାଗର କର୍ମଚାରୀ, ଜଳବଣ୍ଟନ ବିଭାଗ କର୍ମଚାରୀ ଚିକିତ୍ସା ବିଭାଗ କର୍ମଚାରୀମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ସହ ପଦୋନ୍ନତି ହେବ । ପ୍ରତିକାର:- ପ୍ରତ୍ୟେକଦିନ ଶୟନ କକ୍ଷରେ ତେଲ ଦୀପ ଜାଳନ୍ତୁ ।

ବିଚ୍ଛା:-ବିଚ୍ଛାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦଶମଭାବରେ ବା କର୍ମଭାବରେ ଅବସ୍ଥାନ କରିବେ । ଯାହାଫଳରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ । ପ୍ରେମିକ ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ । ପୁରାତନ ରୋଗର ଉପଶମ ହୋଇ ଶରୀର ସୁସ୍ଥ ରହିବ । ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷାରେ ପ୍ରଶଂସା ପାଇବେ । କର୍ମଚାରୀମାନେ କର୍ମକ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବଜାୟ ରଖିବେ । ବ୍ୟବସାୟରେ ଉନ୍ନତି ହେବା ସହ ପ୍ରବଳ ଲାଭ ପାଇବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋାଗ ପାଇବା ସହ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ । ଯେ କୌଣସି କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କକୁ ଆଧାରକରି ତିଷ୍ଠି ପାରିବେ । ପ୍ରତିକାର-ପ୍ରତ୍ୟେକ ଦିନ ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ଧନୁରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ନବମ ଭାବରେ ଭାଗ୍ୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ ଓ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଛାତ୍ର ଛାତ୍ରୀମାନେ କ୍ରୀଡ଼ା, କଳା, ସାହିତ୍ୟ କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବା ସହ ନିର୍ମାଣମୂଳକ ଯୋଜନାରେ ଆଗେଇବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ପାଇବେ । ଆୟ ଉପାର୍ଜ୍ଜନର ବୃଦ୍ଧିହୋଇ ଆର୍ଥିକ କ୍ଷେତ୍ରରେ ପ୍ରବଳ ଉନ୍ନତି ହେବ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ । ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ । କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ । ପ୍ରତିକାର- ପ୍ରତ୍ୟେକ ଦିନ କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ମକର ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଅଷ୍ଟମ ଭାବରେ ବା ନିଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଖଣିଜ ବ୍ୟବସାୟ, ଯାନବାହନ ବ୍ୟବସାୟ, ଯାତାୟତ ବ୍ୟବସାୟ, ବାୟୁଯାନ, ରେଳବିଭାଗର ଟିକେଟ ବିକ୍ରି, ଭୂ-ଜାତ ଦ୍ରବ୍ୟ ବ୍ୟବସାୟ, ସାନିଟାରୀ, ଇଟା, କୋଇଲା, ହାଡୱାର, ମହମବତୀ ଓ ଶ୍ରମିକ ବ୍ୟବସାୟରେ ଅତ୍ୟଧିକ ଲାଭପାଇବେ । ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ବିଶେଷ ଅନୁକୂଳ ଥିବାରୁ ଉଚ୍ଚଶିକ୍ଷାର ସ୍ଵପ୍ନ ସାକାର ହେବ । ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ । ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ । ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭନ୍ୱିତ ହେବେ । ରାଜନୈତିକ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ପ୍ରତି ସତର୍କ ନରହିଲେ ସମସ୍ୟାର ସମ୍ମୁଖୀନ ହେବେ । ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ରହିବେ । ପ୍ରତିକାର:- ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କୁମ୍ଭ:-କୁମ୍ଭରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ସପ୍ତମ ଭାବରେ ବା ଜାୟାବ୍ୟବସାୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇ ପାରନ୍ତି । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ । ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ଖାଦ୍ୟପେୟ ଓ ଔଷଧ ସେବନ ପ୍ରତି ଧ୍ୟାନ ନ ରଖିଲେ, ବିଶେଷ କ୍ଷତି ହେବ । ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହୋଇ ପାରନ୍ତି । ନିଜ ଆଚାର ବ୍ୟବହାର ଦ୍ଵାରା ଗୁରୁଜନଙ୍କ ସନ୍ତୋଷ ଭାଜନ ହେବେ । ପ୍ରତିକାର- ପ୍ରତ୍ୟେକ ଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ମୀନରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଷଷ୍ଠଭାବରେ ବା ରୋଗ, ରୁଣ, ଶତ୍ରୁ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ବ୍ୟବସାୟରେ ସାଧାରଣ ପରିଶ୍ରମ ଫଳରେ ଅଧିକ ଉନ୍ନତି ହେବ । ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ । ବାସସ୍ଥାନ ଓ ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ପାଇବେ । ଦୂରଯାତ୍ରାରେ ସଫଳ ହେବେ । ଜାଗା, ଜମି, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ । ନୂଆ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ନିଜରବୁଦ୍ଧି, ବିବେକ ଖଟାଇ ସମାଧାନ କରି ପାରିବେ । ପ୍ରତିକାର- ଗୋଟାଗୁଆ ଗୋଟିଏ ପକେଟରେ ରଖି ଯାତ୍ରା କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!