ମକର ରାଶିରୁ କୁମ୍ଭ ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ 12ଟି ରାଶିର ଶୁଭାଶୁଭ, ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ମେଷରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଏକାଦଶ ଭାବରେ ବା ଲାଭଭାବରେ ଅବସ୍ଥାନ କରିବେ । ଯାହାଫଳରେ ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବା ଫଳରେ ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ ହୋଇ ପାରିବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍ । କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ପାଇ, ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବା ଦ୍ଵାରା ଆୟର ସ୍ରୋତ ଖୋଲିଯିବ । ବନ୍ଧୁ ମିତ୍ରଙ୍କର ସହଯୋଗରେ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ପାରିବାରିକ ଜୀବନରେ ଅଶାନ୍ତି ଦୂର ହେବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ପ୍ରତିକାର- ଅଷ୍ଟଗନ୍ଧ ତିଳକଚନ୍ଦନ ଧାରଣ କରନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ବୃଷରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦଶମଭାବରେ ବା କର୍ମଭାବରେ ଅବସ୍ଥାନ କରିବେ । ଯାହାଫଳରେ ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ନୂତନ ଯୋଜନାରେ ସଫଳତା ମିଳିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ଆଚାର ବ୍ୟବହାରରେ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ । ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ । କର୍ମକ୍ଷେତ୍ରରେ ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ବ୍ୟବସାୟରେ ଉନ୍ନତି ଓ ଲାଭ ହେବା ସହ ଆର୍ଥିକ ସ୍ଥିତିରେ ବୃଦ୍ଧିହେବ । ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ପ୍ରତିକାର- ପ୍ରତ୍ୟେକଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ମିଥୁନରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ନବମ ଭାବରେ ଭାଗ୍ୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ଉନ୍ନତିର ସୁଯୋଗ ପାଇ ପାରିବେ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ । ପରହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବା ଫଳରେ ସାଂସାରିକ ଜୀବନ ସୁଖମୟ ହେବ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବା ଫଳରେ ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତାର ସୁଯୋଗ ପାଇବେ । ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-କର୍କଟରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଅଷ୍ଟମ ଭାବରେ ବା ନିଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ । ବାଦବିବାଦ, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିବା ଫଳରେ ମାନସିକ ଚିନ୍ତା ବୃଦ୍ଧି ପାଇବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ଆୟ ତୁଳନାରେ ବ୍ୟୟ ବହୁତ ହେବା ଫଳରେ ଆର୍ଥିକ ଅନାଟନ ଦେଖା ଦେଇ ପାରେ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗହେବା ସହ ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଦେଖାଦେଇ ପାରେ । ପ୍ରତିକାର:- ପ୍ରତ୍ୟେକ ଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ସିଂହ:-ସିଂହରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ସପ୍ତମ ଭାବରେ ବା ଜାୟା, ବ୍ୟବସାୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବା ଫଳରେ ମାନସିକ ଏକାଗ୍ରତା ବଜାୟ ରହିବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବା ସହ ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ । ବ୍ୟବସାୟରେ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆୟ ଉପାର୍ଜନରେ ବୃଦ୍ଧି ହୋଇ ଆଶାତୀତ ଲାଭମିଳିବ । ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ବାଧା ଉପୁଯିପାରେ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ଶତ୍ରୁମାନେ ଷଡ଼ଯନ୍ତ୍ରକରି କ୍ଷତି କରିବା ପାଇଁ ଚେଷ୍ଟା କରି ପାରନ୍ତି । କିଛି କାରଣ ନଥାଇ ବଦନାମ୍ ବା ମିଛ କେଶ୍ ରେ ଫଶି ଯାଇ ପାରନ୍ତି । ଆର୍ଥିକ ସ୍ଥିତିରେ ବାଧା ହେବା ସହ ଶତୃ ବୃଦ୍ଧି ହେବେ । ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-କନ୍ୟାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଷଷ୍ଠଭାବରେ ବା ରୋଗ, ରୁଣ, ଶତ୍ରୁ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ନୂତନକର୍ମ ନିଯୁକ୍ତିରେ ସଫଳ ହେବେ । ନୂତନ ଗୃହ, ନୂତନ ଯାନ, ନୂତନ ବ୍ୟବସାୟ, ନୂତନ ଜାଗା ଜମିପ୍ରାପ୍ତି ହେବ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ସାମୟିକ ରକ୍ତଚାପ ବା ଶିରୋପୀଡା ଜନିତ ପୀଡାରୁ ମୁକ୍ତି ମିଳିବ । ଦିବ୍ୟ ଗୁଣ ଗୁଡିକ ପ୍ରକାଶ ପାଇବ । ଉଚ୍ଚଆଶା ସଫଳହେବ । ବିଦେଶ ଯାତ୍ରାରେ ଲାଭବାନ୍ ହେବେ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ପ୍ରତିକାର- ତୁଲସୀ ମୂଳ ମାଟି ମସ୍ତକରେ ଧାରଣ କରନ୍ତୁ ।

ତୁଳା:-ତୁଳାରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପଞ୍ଚମଭାବ ବା ସନ୍ତାନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବା ଫଳରେ ସରକାରୀ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । ସାମାଜିକ ସ୍ତରରେ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବା ସହ ପରାକ୍ରମ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନ ପ୍ରିୟ, ଗୁଣିଜ୍ଞାନୀ, ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ । ବରିଷ୍ଠ ବ୍ୟକ୍ତିଙ୍କ ପ୍ରେରଣା ଓ ଆର୍ଥିକ ସହାୟତା ଫଳରେ ନୂତନ ଯୋଜନା ପ୍ରସ୍ତୁତ କରିବେ । ଧନଲାଭ କରିବାର ସୁଯୋଗ ପାଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଗୃହାରମ୍ଭ, ଜାଗା, ଜମି, ସଂପତ୍ତି କ୍ରୟ କରିବାପାଇଁ ଅତ୍ୟନ୍ତ ଶୁଭ ସମୟ । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ । ପ୍ରତିକାର:- ପ୍ରତ୍ୟେକ ଦିନ କଦଳୀଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ ।

ବିଚ୍ଛା:-ବିଚ୍ଛାରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଚତୁର୍ଥ ଭାବରେ ବା ସୁଖ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇ ପାରେ । ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ । ବ୍ୟବସାୟୀମାନେ କର୍ମଚାରୀମାନଙ୍କ ସାହାଯ୍ୟ ସହଯୋଗ ପାଇ ବ୍ୟବସାୟକୁ ବିସ୍ତାରିତ କରିବାପାଇଁ ସକ୍ଷମ ହେବେ । ରାଜନିତୀ କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ । ଅଚାନକ ଆୟ ବୃଦ୍ଧି ହେତୁ ଆଚମ୍ବିତ ହୋଇଯିବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ସାଧାରଣ ଲୋକଙ୍କୁ ସହଯୋଗ କରିବା ଦ୍ଵାରା ସାମାଜିକ ପତିଆରା ଅମଳିନ ରହିବ । ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସନ୍ତାନର ଭବିଷ୍ୟତ ପାଇଁ ଚିନ୍ତିତ ରହିବେ । ବେପରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ ଓ ମାନହାନୀର ସମ୍ଭାବନା ଅଧିକ । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।

ଧନୁ:-ଧନୁରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ତୃତୀୟ ଭାବରେ ବା ବିକ୍ରମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସନ୍ତାଠାରୁ ସୁଖପ୍ରାପ୍ତି ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ଶତୃମାନେ ପରାଜିତ ହୋଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବା ଫଳରେ ମାନସିକ ଦୁଃଶ୍ଚିନ୍ତା ଦୂର ହେବ । କର୍ମସଂଧାନୀ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଦ୍ଵାରା ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ପାଇବ । ପାରିବାରିକ କ୍ଷେତ୍ରରେ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ନୂତନପନ୍ଥା ଅନୁସରଣ କରିବେ । ପ୍ରତିକାର- ପ୍ରତ୍ୟେକ ଦିନ ତୁଲସୀ ମୂଳ ମାଟି ମସ୍ତକରେ ଧାରଣ କରନ୍ତୁ ।

ମକର:-ମକରରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦ୍ଵିତୀୟ ଭାବରେ ବା ଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟର ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସୁଫଳ ପାଇବେ । ଯୁକ୍ତିତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ । ରାଜନୀତି କ୍ଷେତ୍ରରେ ସଂଘର୍ଷ ଦ୍ୱାରା ସଫଳତା ମିଳିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି । ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କୁମ୍ଭ:-କୁମ୍ଭରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇ ଲାଭର ପରିମାଣ ଅଧିକ ହେବ । ବେମାର, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । କର୍ମକ୍ଷେତ୍ରରେ ନୂଆଲକ୍ଷ ନିର୍ଦ୍ଧାରିତ କରି ମନ ଲଗାଇ କାର୍ଯ୍ୟ କରିବେ । ବନ୍ଧୁମାନଙ୍କ ସାହାଯ୍ୟ ପାଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ସାଙ୍ଗ ସାଥିମାନେ ସାହାଯ୍ୟ କରିବେ । ବରିଷ୍ଠ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ପ୍ରେମିକ ପ୍ରେମିକାମାନେ ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ । ଭୁଲ୍ ଲୋକର ପରାମର୍ଶରେ ଜାଣିଶୁଣି ଭୁଲ୍ ବାଟରେ ଯିବେ । କର୍ମ ମୁଖରତା ଯୋଗେ ଶାରୀରିକ ପିଡ଼ା ଭୋଗି ପାରନ୍ତି । ଆତ୍ମୀୟମାନେ ଭିତରେ ଚେର କାଟିବେ । ବିଷକୁମ୍ଭ ପୟୋମୁଖ ବ୍ୟକ୍ତିମାନେ ଅନେକ କ୍ଷେତ୍ରରେ ଅପଦସ୍ଥ କରିବେ । ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ । ପ୍ରତିକାର:- ପ୍ରତ୍ୟେକ ଦିନ ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମୀନ:-ମୀନରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ବ୍ୟୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ ଦଳଗତ ସମସ୍ୟାରେ ସଫଳତା ପାଇଁ ଗର୍ବିତ ହେବେ । ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟୟ ଅପେକ୍ଷା ଆୟ ଅଧିକ ହେବା ଫଳରେ ନୂତନ ସଂସ୍ଥାର ଆୟୋଜନ କରିବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଅନେକ ସମସ୍ୟା ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ମାନସିକ ଶାନ୍ତି ମିଳିବ ଓ ଋଣଭାର ଲାଘବ ହେବ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ଦାମ୍ପତ୍ୟ ସୁଖରେ ଖୁସି ହେବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବ । ପ୍ରତିକାର- ପ୍ରତ୍ୟେକଦିନ କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!