ବିଛା ରାଶିରୁ ଧନୁ ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ 12ଟି ରାଶି ଉପରେ ଏହାର ପ୍ରଭାବ, ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗ୍ରହମାନେ ଚନ୍ଦ୍ରବଳ ଆଶ୍ରୟ କରିଣ। ଶୁଭାଶୁଭ ଫଳ ସବୁ କରନ୍ତି ପ୍ରଦାନ। ଯଥା ମନଯୋଗ ବିନା କାର୍ଯ୍ୟର ବିଫଳ । ଚନ୍ଦ୍ର ବଳ ବିନା ଗ୍ରହ ନ ଦିଅନ୍ତିଫଳ। ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ। ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ। ରବିଗ୍ରହ ଯଦି ଗୋଚରରେ ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରି ଥାନ୍ତି। ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଶୁଭଫଳମିଳେ ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ମେଷରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ନବମ ଭାବରେ ଭାଗ୍ୟ ଭାବରେ ଅବସ୍ଥାନ କରିବେ। ଯାହାଫଳରେ ଅର୍ଥଆଦାନ-ପ୍ରଦାନ କଲେପ୍ରଚୁର ଲାଭବାନ୍ ହେବେ। ପାରିବାରିକ ସମସ୍ୟା, ଗୃହରେ କଳହ, ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଦୂରେଇଯିବ। ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନ ପ୍ରିୟ, ଗୁଣିଜ୍ଞାନୀ ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ। ବିଭାଗୀୟ ପରୀକ୍ଷା, ପ୍ରତିଯୋଗିପରୀକ୍ଷାର ପରିଣାମ ମନ ଅନୁକୂଳହେବ। ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ। ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତିହେବ। ମାସର ଶେଷାର୍ଦ୍ଧ ଆପଣଙ୍କପାଇଁ ଅତ୍ୟନ୍ତ ଶ୍ରେଷ୍ଠସମୟ ଯେକୌଣସି ନୂତନକାର୍ଯ୍ୟ ଆରମ୍ଭକରିବା ଶୁଭଦାୟକ ହେବ। ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଏବଂ ଧନଲାଭ କରିବାର ସୁଯୋଗ ପାଇବେ। ପରାକ୍ରମ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହେବ। ବ୍ୟବସାୟୀମାନେ ଯେକୌଣସି ଜାଗାରୁ ଧନଉପାର୍ଜନ କରିପାରିବେ ଓ ବ୍ୟବସାୟକୁ ବିସ୍ତାରିତ କରିବାପାଇଁ ସକ୍ଷମହେବେ। ନାଲୀ, ଗୋଲାପୀ, ହଳଦୀ ଓ କମଳା ରଙ୍ଗର ପୋଷାକ ପରିଧାନ କରନ୍ତୁ। ୪, ୬, ୮ ସଂଖ୍ୟକ ତାରିଖରେ ନୂତନକାର୍ଯ୍ୟ ଆରମ୍ଭକରନ୍ତୁ ନତୁବା ଯୋଗଯୋଗ ରଖନ୍ତୁ। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବୃଷ:- ବୃଷରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଅଷ୍ଟମ ଭାବରେ ବା ନିଧନ ଭାବରେ ଅବସ୍ଥାନ କରିବେ। ଯାହାଫଳରେ ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ। ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। ଧାର୍ମିକଶାସ୍ତ୍ର, ଆଧ୍ୟାତ୍ମିକସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ। ରାଜନିତୀ କ୍ଷେତ୍ରରେ ସଫଳତାସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇ ପାରିବେ। ଏହି ସମୟରେ ସମାନ ବିଚାରଧାରା ଲୋକଙ୍କ ଆବଶ୍ୟକତା ଅନୁଭବ ହେବ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ। ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ। କିଛି ଏମିତି ଲୋକଙ୍କ ସହିତ ମିଳନ ହେବ ଯେ ସେମାନେ ବିକାଶରେ ବାଧା ଉତ୍ପନ୍ନ କରିବେ। ସମସ୍ତ କଷ୍ଟର ସାମ୍ନା କରିବାକୁ ପଡିବ। ଭାତୃ ବିବାଦ, ଅଯଥା ଧନଖର୍ଚ୍ଚ, ଶତ୍ରୁମାନେ ବିପଦରେ ପକେଇବା ପାଇଁ ଚେଷ୍ଟା କରିବେ। ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇବ ଓ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ହୋଇପାରେ। ଶତୃମାନେ କ୍ଷତି କରିବାକୁ ଚେଷ୍ଟା କରିବେ। ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ମିଥୁନରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ସପ୍ତମ ଭାବରେ ବା ଜାୟାବ୍ୟବସାୟ ଭାବରେ ଅବସ୍ଥାନ କରିବେ। ଯାହାଫଳରେ ବ୍ୟବସାୟରେ ସଫଳତା ଅର୍ଜନ କରିବାସହ ଦୂରଯାତ୍ରାର ସୁଯୋଗ ପାଇବେ। ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ। କୃଷିଜୀବୀମାନନେ କୌଣସି ବାଧା ବନ୍ଧନ ନମାନି ଚାଷ କାର୍ଯ୍ୟରେ ଆଗେଇ ଯିବାର ସୁଯୋଗ ପାଇବେ। ଧାନ, ଗହମ, ବାଜରା, ମକା, ପନିପରିବା କ୍ଷେତରୁ ବେଶ୍ ଲାଭବାନ ହୋଇ ପାରିବେ। ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। କୌଣସିଥିରେ ଅଭିମାନ ନଥାଇ ସନ୍ତାନମାନେ ସୁନାମ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ପରିବାରରେ ନିଜରପଦ ଗରିମା ଅନୁସାରେ ଚିନ୍ତା ବୃଦ୍ଧି ହେବ। ଅର୍ଥବ୍ୟବସ୍ଥା ପୂର୍ଣ୍ଣ ରୂପରେ ସଞ୍ଚାଳିତ ହେବ। ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ ନାହିଁ। ସାଙ୍ଗସାଥି ଭାଗିଦାରମାନଙ୍କ ପାଇଁ ଅତ୍ୟଧିକ ପରିଶ୍ରମ ଯୋଗୁ ରୋଗାଗ୍ରସ୍ତ ହୋଇପାରନ୍ତି। ରାଜକର୍ମଚାରୀ ହୋଇଥିଲେ ଅନେକ ସୁବିଧା ସୁଯୋଗ ପାଇବେ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବ ଆୟ ମଧ୍ୟ ଉତ୍ତମ ହେବ। ପ୍ରତିଦ୍ୱନ୍ଦିତା ବା ପ୍ରତିଯୋଗିତା କରିବା ସୁଯୋଗ ପାଇ ସଫଳ ହେବେ। ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-କର୍କଟରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଷଷ୍ଠଭାବରେ ବା ରୋଗ, ରୁଣ, ଶତ୍ରୁ ଭାବରେ ଅବସ୍ଥାନ କରିବେ। ଯାହାଫଳରେ ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, କୋରିଅର, କୋଇଲା, କୋଳଥ, ଖାଦ୍ୟଦ୍ରବ୍ୟ, ଖାଇବାତେଲ, ଘିଅ, ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର, ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ ଓ କର୍ମଚାରୀମାନେ କ୍ଷୟକ୍ଷତିରୁ ଉଦ୍ଧାର କରିବେ। ସମସ୍ତ ପ୍ରକାର ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ସତର୍କ ରହି ଆଶାତୀତ ଲାଭବାନ୍ ହେବେ। ନ୍ୟାୟଧୀଶ, ପ୍ରଶାସନିକସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ ପ୍ରଶଂସିତ ହେବାସହ ଆର୍ଥିକ ଉନ୍ନତି ଦେଖାଦେବ। ଉପାର୍ଜ୍ଜନ ପାଇଁ ଅନେକ ଉପାୟ ଚିନ୍ତାକରି ସଫଳ ହେବେ। ବ୍ୟବସାୟ ବଢ଼େଇବାପାଇଁ ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କ ଆଦିରୁ ଋଣ ପ୍ରାପ୍ତିହେବ। କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର, ପ୍ରତିଯୋଗିତା ପରୀକ୍ଷା ପ୍ରୟାସୀ, ନୂତନ କର୍ମରେ ନିଯୁକ୍ତି ପାଇବେ। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-ସିଂହରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପଞ୍ଚମଭାବ ବା ସନ୍ତାନ ଭାବରେ ଅବସ୍ଥାନ କରିବେ। ଯାହାଫଳରେ ସମସ୍ତ ସମସ୍ୟା ଧିରେ ଧିରେ ଅପସରିଯିବ। ସନ୍ତାନଠାରୁ ସୁଖପ୍ରାପ୍ତି ହେବ। ପୁତ୍ରରତ୍ନ ପ୍ରାପ୍ତି ହୋଇପାରେ। ସଂପତ୍ତି କ୍ରୟକରିବା ପାଇଁ ଅତ୍ୟନ୍ତ ଶୁଭସମୟ। କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ଇଂରାଜୀ ପ୍ରଫେସର, ଅଭିନେତା ଓ ଅଭିନେତ୍ରୀ, ସଙ୍ଗୀତଜ୍ଞ, ଉଚ୍ଚ ଅଧିକାରୀ ପଦରେ ପହଞ୍ଚି ପାରିବେ। ଶତୃମାନେ ତଳମୁହାଁ ହେବେ। ମାଲିମକଦ୍ଦମାରେ ବିଜୟଲାଭ ହେବ। ପ୍ରେମପ୍ରସଙ୍ଗ ବା ଗୁପ୍ତସମ୍ପର୍କ ବାହାରକୁ ପ୍ରକାଶ ପାଇବ। ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ। ବିଶେଷକରି ବିଦ୍ୟାର୍ଥୀ-ମାନଙ୍କପାଇଁ ଏହାଏକ ସୁବର୍ଣ୍ଣ ସୁଯୋଗ। ନୂତନ ବ୍ୟବସାୟ ଆରମ୍ଭ, ଭାଗିଦାରୀ ବ୍ୟବସାୟରେ ସଫଳ ହେବେ, ଅଟକିଥିବାଧନ, ଦେଇଥିବାଧନ, ସେୟାର ବଜାର, ଲଟେରୀ, ଜୁଆଆଦିରେ ବିଶେଷ ଲାଭବାନ ହେବେ। ପ୍ରତିକାର- ପ୍ରତ୍ୟେକଦିନ ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

କନ୍ୟା:-କନ୍ୟାରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଚତୁର୍ଥ ଭାବରେ ବା ସୁଖ ଭାବରେ ଅବସ୍ଥାନ କରିବେ। ଯାହାଫଳରେ ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତକରି ପ୍ରଚୁର ଲାଭବାନ ହେବେ। ନୂଆନୂଆ ବ୍ୟବସାୟିକ ସଂପର୍କସ୍ଥାପନ, ଭାଗିଦାର ବ୍ୟବସାୟପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅଟକି ଯାଇଥିବାଧନ, ଉଧାର ଦେଇଥିବାଟଙ୍କା, ଋଣକରିଥିବାଅର୍ଥ ସହଜରେ ହସ୍ତଗତହେବ। ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ସଫଳତାସହ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ବିଦେଶଯାତ୍ରା ଫଳରେ ବିଶେଷ ଲାଭବାନହେବେ। ସମାଜକଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତହେବେ। ରାଜନୈତିକ କ୍ଷେତ୍ରରେ ଲୋକସମର୍ଥନ ବୃଦ୍ଧିହେବ। ଆତ୍ମୀୟମାନେ ଭିତରେ ଚେରକାଟିବେ। ବିଷକୁମ୍ଭ ପୟୋମୁଖ ବ୍ୟକ୍ତିମାନେ ସବୁବେଳେ ଘେରି ବସିବେ। ଅନେକକ୍ଷେତ୍ରରେ ବାରମ୍ବାର ଲାଭର ସୁଯୋଗ ପାଇଲେ ମଧ୍ୟ ହରେଇବାକୁ ପଡିପାରେ। ପରିବାରରେ ସମ୍ପତ୍ତିବିବାଦ, ଛୋଟଛୋଟ କଥାକୁନେଇ ସମସ୍ୟା ସୃଷ୍ଟିହେବ। ଆଶାନୁରୂପ ଅର୍ଥ ନପାଇବା ଫଳରେ ଆର୍ଥିକ ସମସ୍ୟା ଦେଖାଦେଇପାରେ। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ତୁଳା:-ତୁଳାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ତୃତୀୟ ଭାବରେ ବା ବିକ୍ରମ ଭାବରେ ଅବସ୍ଥାନ କରିବେ। ଯାହାଫଳରେ ବ୍ୟବସାୟକୁ ପ୍ରସାରିତ କରିବାକୁ ଚାହୁଁଥିଲେ ଆବଶ୍ୟକ ଅର୍ଥପ୍ରାପ୍ତି ହେବାସହ ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କଋଣ ପ୍ରାପ୍ତିହେବ। କୌଣସି ଏକଅଭିନ୍ନ ମିତ୍ରଙ୍କସହ ଏକ୍ସପୋର୍ଟ, ଇନ୍ପୋର୍ଟ, ହାଣ୍ଡିକ୍ରାଫ୍ଟ, ଫର୍ଣ୍ଣିଚର, ସିଜିନ୍ ବ୍ୟବସାୟରେ ମଧ୍ୟ ଅତ୍ୟନ୍ତ ଲାଭାନ୍ୱିତ ହେବେ। ନୂତନକର୍ମ ବା ପରୀକ୍ଷା, ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇଥିଲେ ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷାପାଇଁ ପ୍ରସ୍ତୁତହେବା ଉଚିତ୍ କିମ୍ବା ଡାକ୍ତରୀପାଠ ପଢ଼ୁଥିଲେ ବିଶେଷ ସଫଳତା ପାଇବେ। ଉଚ୍ଚଶିକ୍ଷାପାଇଁ ବିଦେଶଯାତ୍ରା କରିବେ। ଭାଗ୍ୟର ପ୍ରବଳତାହେତୁ ସମସ୍ତକାର୍ଯ୍ୟ ସପୂର୍ଣ୍ଣହେବ। କର୍ମକ୍ଷେତ୍ରରେ ପଦୋନ୍ନତି ଇଚ୍ଛିତସ୍ଥାନରେ ସ୍ଥାନାନ୍ତରଣ, ବିଭାଗିୟ ଅଧିକାରୀ କିମ୍ବା ସହକର୍ମୀଙ୍କସହ ମଧୁରସମ୍ପର୍କ ସ୍ଥାପନହେବ। ପତି ପତ୍ନୀଙ୍କ କ୍ଷେତ୍ରରେ ଦାମ୍ପତ୍ୟଜୀବନ ସୁଖମୟହେବ। ସନ୍ତାନ ସୁଖ ପ୍ରାପ୍ତି ହେବାସହ ପୁତ୍ରରତ୍ନ ପ୍ରାପ୍ତିହେବ ନତୁବା ତତୁଲ୍ୟ ନୂତନଗୃହ, ନୂତନଯାନ, ନୂତନବ୍ୟବସାୟ, ନୂତନଜାଗା ଜମି ପ୍ରାପ୍ତିହେବ। ରାଜନୀତି କ୍ଷେତ୍ରରେ ବିରୋଧୀଙ୍କୁ ପରାସ୍ତ କରିବାରେ ସଫଳହେବେ। ମିଡିଆ ଓ ପ୍ରିଣ୍ଟ ମିଡିଆ ଦ୍ୱାରା ଲୋକସଂପର୍କ ବୃଦ୍ଧିହେବ। ସରକାରୀ ଖର୍ଚ୍ଚରେ ବିଦେଶଯାତ୍ରା କରିବେ। ପ୍ରତିକାର- ପ୍ରତ୍ୟେକଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ।

ବିଚ୍ଛା:-ବିଚ୍ଛାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦ୍ଵିତୀୟ ଭାବରେ ବା ଧନ ଭାବରେ ଅବସ୍ଥାନ କରିବେ। ଯାହାଫଳରେ ଚାକିରୀପାଇଁ ଚେଷ୍ଟାକରୁଥିଲେ ଶିକ୍ଷାକ୍ଷେତ୍ର, ଧର୍ମାନୁଷ୍ଠାନ, ଭୋଜନାଳୟ, ପ୍ରଶାସନ ବିଭାଗ, ଖାଦ୍ୟସଂବନ୍ଧୀୟବିଭାଗ, ଖାଦ୍ୟପ୍ରସ୍ତୁତି କରୁଥିବା କାରଖାନାରେ ଯୋଗାଯୋଗକରନ୍ତୁ। ନିଶ୍ଚୟଚାକିରୀ ମିଳିବ ଓ ରୋଜଗାର ପ୍ରାପ୍ତି ହୋଇପାରେ। ବ୍ୟବସାୟରେ ଉନ୍ନତି କରିବା ପାଇଁ ବନ୍ଧୁ ମିତ୍ର ଓ ଶୁଭଚିନ୍ତକଙ୍କ ସାହାଯ୍ୟ ଲୋଡିବେ। ବାକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ ତେଣୁ ମନରେ ସନ୍ତୁଷ୍ଟି ଆସିବ। ମନୋରଞ୍ଜନ ଓ ହସ-ଖୁସିରେ ଦିନ କାଟିବେ। ରାଜନୀତିରେ ପଦୋନ୍ନତି, ଯଶ-ପ୍ରତିଷ୍ଠା, ମାନ-ସମ୍ମାନ ତଥା ଲୋକପ୍ରିୟତା ମଧ୍ୟ ହାସଲ କରିପାରିବେ। ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିବେ। ଯେକୌଣସି କାର୍ଯ୍ୟରେ ହାତ ଦେବେ ତାହା ସଫଳ ହେବ। ଘର ବା କାର୍ଯ୍ୟଳୟ ପରିବର୍ତ୍ତନ କରିପାରନ୍ତି ଯାହା ଅଳ୍ପ ବାଧା ଆସିବ। ପାରିବାରିକ କ୍ଷେତ୍ରରେ ଇଛାଶକ୍ତି ପ୍ରବଳ କରିବାକୁ ହେବ। ଖରାପକୁ ଭଲରେ ଜିତିବାକୁ ହେବ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଠିକ୍ ବୁଝାମଣା ବଜାୟ ରହିବ। କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ପ୍ରତିକାର:- ପ୍ରତ୍ୟେକ ଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ଧନୁ:-ଧନୁରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ। ଯାହାଫଳରେ ନିଜର ଟେକ ରଖିବା ପାଇଁ କିଛି ଏମିତି କାର୍ଯ୍ୟ କରିବେ ଯାହାଫଳରେ ଲୋକମାନେ ଆପଣଙ୍କ ପ୍ରତି ପ୍ରସନ୍ନ ଓ ସନ୍ତୁଷ୍ଟ ରହିବେ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ଗସ୍ତ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ। ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ମଧ୍ୟ ଚାଲୁରଖିବେ। ଧାର୍ମିକ ସାହିତ୍ୟ ପଢିବା ପାଇଁ ମନ ବଳାଇବେ। ଶିକ୍ଷା କ୍ଷେତ୍ରରେ ମନ ଲଗେଇବେ ଓ ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ରୁଚି କମ୍ ରହିବ। ଆଶା କରୁଥିବା କାର୍ଯ୍ୟ ସ୍ଥଗିତ ରହିବ। ପାରିବାରିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ଧାତୁ ବା ଅଳଙ୍କାରାଦି ହଜିବ। ବ୍ୟବସାୟରେ ଲାଭକ୍ଷତି ଘଟିବା ସହ ଆର୍ଥିକ ଉନ୍ନତିରେ ବାଧା ଉପୁଯିବ। ଅସନ୍ତୋଷ, ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। ସ୍ୱାସ୍ଥ୍ୟ ଦିଗରେ ଛାତି, ଗଳା, ମେରୁଦଣ୍ଡ, ମସ୍ତିଷ୍କ ପ୍ରତି ସତର୍କ ଅବଲମ୍ବନ କରିବା ଉଚିତ୍। ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ମକରରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ବ୍ୟୟ ଭାବରେ ଅବସ୍ଥାନ କରିବେ। ଯାହାଫଳରେ କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ। ସନ୍ତାନ ସନ୍ତତି ମାନଙ୍କପାଇଁ ଫଳ ଉତ୍ତମ। ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ନାନା ବାଟରେ ଧନାଗମ ଘଟିବ ଓ ସେହିପରି ଖର୍ଚ୍ଚର ଦ୍ଵାର ସାହାଣ ମେଲା ରହିବ। ପାରିବାରିକ ଜୀବନରେ ଆବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ। ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ୍ତ କରିପାରିବେ। ପାରିବାରିକ ଜୀବନରେ ଗୁରୁଜନ କେହି ଅସନ୍ତୁଷ୍ଟରହି ପାରନ୍ତି। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନସମ୍ପତ୍ତି ପାଇବାର ଯୋଗ ଥିଲେମଧ୍ୟ ସ୍ଵାର୍ଥକୁ କେନ୍ଦ୍ରକରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରି ହଇରାଣ ହେବେ। ଅବିବାହିତ ଯୁବକ-ଯୁବତୀମାନଙ୍କର ବିିଭିନ୍ନ ସ୍ଥାନରୁ ପ୍ରସ୍ତାବ ମାନ ଆସିବ। ଧନଲାଭ ହେବ କିନ୍ତୁ ବ୍ୟୟ ମଧ୍ୟ ହେବ। ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:- କୁମ୍ଭରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଏକାଦଶ ଭାବରେ ବା ଲାଭଭାବରେ ଅବସ୍ଥାନ କରିବେ। ଯାହାଫଳରେ ସମୟକୁ ସତ୍ ଉପଯୋଗ କରିବାକୁ ଆପ୍ରାଣଚେଷ୍ଟା କରିବା ଉଚିତ୍। ଆର୍ଥିକ ସମସ୍ୟା ନିଶ୍ଚିତରୂପେ ସମାଧାନ ହୋଇଯିବ। ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧିହେବ। ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚକରିବାକୁ ପଡ଼ିବ। କୋର୍ଟକଚେରୀ, ମାଲିମକଦ୍ଦମାରେ ବିଜୟୀହେବେ। ଦୂରଯାତ୍ରା କରିବାଫଳରେ ଆଶାତୀତ ଲାଭପାଇବେ। ଅକସ୍ମାତ ଧନଲାଭ ହେବ। ଶିକ୍ଷା ବିଭାଗ କର୍ମଚାରୀ, ରାଜ୍ୟପାଳ ଭବନ କର୍ମଚାରୀ, ଓକିଲ ସଂଘ, ସାର୍ବଜନିନ ନିର୍ମାଣ ବିଭାଗର କର୍ମଚାରୀ, ଜଳବଣ୍ଟନ ବିଭାଗ କର୍ମଚାରୀ ଚିକିତ୍ସା ବିଭାଗ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ସହ ପଦୋନ୍ନତି ହେବ ଏବଂ କର୍ମପାଇଁ ଅପେକ୍ଷା କରିଥିବା ଯୁବକ ଓ ଯୁବତୀମାନେ ଉପଯୁକ୍ତ ବିଭାଗରେ କର୍ମ ନିଯୁକ୍ତି ପାଇବେ। ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରି ପାରିବେ। ପ୍ରତିକାର-ପ୍ରତ୍ୟେକଦିନ ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମୀନ:-ମୀନରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦଶମଭାବରେ ବା କର୍ମଭାବରେ ଅବସ୍ଥାନ କରିବେ। ଯାହାଫଳରେ ଦୀର୍ଘଦିନପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି। ନୂତନ ସଂପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ। ବାଣିଜ୍ୟ, ବ୍ୟବସାୟ ନବିକରଣ, ଦୋକାନ, ଅଫିସ, ବାସଗୃହ ଆଦି ସାଜସଜ୍ଜା କରିବାପାଇଁ ଉପଯୁକ୍ତ ସମୟ। ଶିକ୍ଷା, ଉଚ୍ଚଶିକ୍ଷା, ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଉଚ୍ଚଶିକ୍ଷା ପାଇଁ ଓ କର୍ମୋନ୍ନତି ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ ହେବେ। ପରିବାରର ସମସ୍ତ ସଦସ୍ୟ ଆପଣଙ୍କ ପ୍ରତି ସହଯୋଗ, ସହାନୁଭୂତି, ସୁସଂପର୍କ ରଖି ପ୍ରଶଂସା କରିବେ ଓ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ। ସରକାରୀ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି ହୋଇ ସଫଳତାଲାଭ କରିବେ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ। ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ପ୍ରତିକାର- ପ୍ରତ୍ୟେକ ଦିନ କଦଳୀଗଛ ମୂଳରେ ହଳଦୀ ପାଣି ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!