୨୦୨୩ ମସିହା ଇଂରାଜୀ ନବବର୍ଷ କେମିତି କଟିବ ମିଥୁନ ରାଶିର ଆବାଳବୃଦ୍ଧ ବନିତାମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା – ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୩ ମସିହାରେ ମିଥୁନରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।
ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ବୁଧ, ମେଷରାଶିରେ ଚନ୍ଦ୍ର, ରାହୁ, ବୃଷରେ ମଙ୍ଗଳ, ମକରରେ ଶନି, ଶୁକ୍ର, ମୀନରାଶିରେ ଗୁରୁ, ତୁଳାରାଶିରେ କେତୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୩ ମସିହା ଜାନୁୟାରୀ୧୭ ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।
ମିଥୁନରାଶିର ଜାତକଙ୍କ ପାଇଁ ୨୦୨୩ ମସିହାରେ ଗ୍ରହରାଜ ଶନିଶ୍ଚର ଭାଗ୍ୟଭାବରେ, ଗୁରୁ କର୍ମଭାବରୁ ଅପ୍ରେଲ ମାସପରେ ଆୟଭାବକୁ ଓ ରାହୁଆୟଭାବରେ ଅବସ୍ଥାନ କରିବେ ଯାହାଫଳରେ ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତ ହେବ । କ୍ୟାରିୟର, ଆର୍ଥିକ, ରାଜନୀତି, ପାରିବାରିକ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଶୁଭାଶୁଭ ମିଶ୍ରିତଫଳ ପ୍ରାପ୍ତ ହେବ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଉଚ୍ଚଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ସହ ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ ଓ ନିଜ ଲୋକମାନେ ହିଁ କାମରେ ଆସିବେ । କର୍ମରେ ଉନ୍ନତି ସହିତ ଯଶ, ମାନକୁ ଅଧିକ ମହତ୍ତ୍ୱ ଦେଇ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ । କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବାକଷ୍ଟ ହେବ ।
କ୍ୟାରିୟରରେ କିଛି ପରିବର୍ତ୍ତନ ହୋଇପାରେ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ, କିନ୍ତୁ ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରହିବା ଆବଶ୍ୟକ । ବୈବାହିକ ଜୀବନରେ ଓ ପ୍ରେମ ସମ୍ପର୍କରେ କିଛି ସମସ୍ୟା ଦେଖାଦେଇ ପାରେ । ଜାନୁୟାରୀ ଠାରୁ ଏପ୍ରିଲ ମାସ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡିବ । ଏପ୍ରିଲମାସ ପରେ ସମସ୍ତ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ ଓ ବ୍ୟବସାୟରେ ନୂତନ ଅଂଶୀଦାରମାନଙ୍କ ଯୋଗଦାନର ମଧ୍ୟ ସମ୍ଭାବନା ଅଛି । ସମସ୍ତ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି । ରାଜନୀତି ସହ ଜଡିତ ଲୋକମାନେ ଉଚ୍ଚ ପଦପଦବୀ ପାଇପାରିବେ । ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରର ଲୁଚକାଳି ଖେଳର ଅବସାନ ହେବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ ।
ପରିବାରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ସହ ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ । ପ୍ରେମ ସମ୍ପର୍କରେ ସକରାତ୍ମକ ଭାବନା ସୃଷ୍ଟି ହବ । ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ସମ୍ମାନିତ ହେବେ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ସ୍ୱାସ୍ଥ୍ୟ ସାମସ୍ୟା ଦୂରେଇ ଯାଇ ଶରୀର ସୁସ୍ଥ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ ।
ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ନିର୍ବାଚନ କ୍ଷେତ୍ରରେ ସଫଳ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଶୁଭଫଳ ପାଇବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ ।
ମାଆଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ମାନସିକ ଚିନ୍ତା ଲାଗିରହିବ । ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ସେଥିପାଇଁ ଅଧିକ ପରିଶ୍ରମ କରିବା ସହିତ ଅନ୍ୟଥା ଚିନ୍ତା ନ କରିବା ଉଚିତ୍ । ପ୍ରତିକାର- ୧- ପ୍ରତ୍ୟେକ ଶନିବାର ପାଣିରେ କିଛି ଗୋଟାଲୁଣ ପକାଇ ଘରକୁ ପୋଛନ୍ତୁ ଓ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ । ୨-ପ୍ରତ୍ୟେକ ଦିନ କଦଳୀଗଛ ମୂଳରେ ହଳଦୀ ପାଣି ଦିଅନ୍ତୁ ଓ କଉଡି ଗୋଟିଏ ପାଖରେ ରଖନ୍ତୁ । ୩- ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ଓ କିନ୍ନରଙ୍କୁ କିଛି ଦାନ ଦିଅନ୍ତୁ ।