ମେଷ ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ପଡିବ 12ଟି ରାଶି ଉପରେ ପ୍ରଭାବ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା ୧୪ / ୦୪ / ୨୦୨୨ ମସିହା ଗୁରୁବାରଦିନ ମୀନରାଶିରୁ ମେଷରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବି ମହାଗ୍ରହ ଶୁଭ ସ୍ଥିତିରେ ରହିବା ଆବଶ୍ୟକ । ରବି ମହାଗ୍ରହ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ସ୍ୱୟଂ ଶକ୍ତି, ଜ୍ଞାନବିଜ୍ଞାନ, ମାନସମ୍ମାନ, ପଦପ୍ରତିଷ୍ଠା, ବାପାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ ପଦବୀ, ଯଶ, କୀର୍ତ୍ତି, ପ୍ରଶସ୍ତି, ଆୟୁ, ରାଜା, ରାଜନୀତି, ମସ୍ତିସ୍କ, ହାଡ, ସ୍ୱାସ୍ଥ୍ୟ ଚିକିତ୍ସା, ହୃଦୟ, ଉଋ, ପିତ୍ତ, ଚକ୍ଷୁ, ରକ୍ତ ପ୍ରବାହ, ଗରମ ତଥା କରେଣ୍ଟ ଆଦିର କାରକ ସୂର୍ଯ୍ୟ ବା ରବି ମହାଗ୍ରହ ଅଟନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରି ଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ ।

ମେଷ:-ମେଷରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହୋଇ ସାଧାରଣ ଦିନଚର୍ଯ୍ୟାରେ ଅତୁଟ ରହିବ । ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ । ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ତୀର୍ଥାଟନ ଯୋଗ ଥିବାରୁ ଯାତ୍ରା କରି ଆନନ୍ଦିତ ହେବେ । ଖାଦ୍ୟପେୟରେ ନୀତିନିୟମ ରକ୍ଷା କରିବା ସହିତ ମନକୁ ଶାନ୍ତ ରଖି ପାରିଲେ ସ୍ୱାସ୍ଥ୍ୟ ଠିକ୍ ରହିବ । ବୁଦ୍ଧିମତା କାରଣରୁ ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକରଖି ଖେଳ ଖେଳିବେ ଏବଂ ଅପଯଶକୁ ଦୂରକୁ ଠେଲିଦେଇ କେବଳ ଯଶତକ ଗ୍ରହଣ କରିବେ । କୌଣସିକାର୍ଯ୍ୟ କରିବା ପୂର୍ବରୁ ବୁଝିବିଚାରି ନିର୍ଣ୍ଣୟ ନେବା ଆବଶ୍ୟକ । ହୋଟେଲ୍, ତେଲବ୍ୟବସାୟୀ, କଳାକାର, ରେଡିମେଡ୍ ବସ୍ତ୍ରବ୍ୟବସାୟୀ, ମଡେଲିଙ୍ଗ ଓ ପନିପରିବା ବ୍ୟବସାୟୀ ଲାଭାନ୍ଵିତ ହେବେ । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।

ବୃଷ:-ବୃଷରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ବ୍ୟୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଅନେକ ସମସ୍ୟା ସମାଧାନ ହୋଇ ଉଚ୍ଚ ଆଶାରେ ଆଗେଇବେ । ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ । ସେୟାର ମାର୍କେଟ, ଲଟେରୀ, ଜୁଆ ଆଦିରେ ଅର୍ଥ ଖଟେଇଲେ ବିଶେଷ ଲାଭବାନ୍ ହେବେ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହୋଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ସାମାଜିକ କ୍ଷେତ୍ରରେ ମାନ, ସମ୍ମାନ, ଯଶ, ପ୍ରତିଷ୍ଠା, ପ୍ରତିପତ୍ତି ଓ ସୁଖ ସମ୍ପଦ ପ୍ରାପ୍ତିହେବ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ । ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହେବ । ଆକସ୍ମିକ ଧନ ପ୍ରାପ୍ତି ହେବ ଓ ନୂତନ ସମ୍ପତ୍ତି କ୍ରୟ କରିବେ । କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । ପ୍ରତିଯୋଗିତା ପରୀକ୍ଷା ଓ ମାଲିମୋକଦ୍ଦମାରେ ଶୁଭଫଳ ମିଳିବ । ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ଦୂରଯାତ୍ରାର ସୁଯୋଗ ମିଳିବ । ନୂତନ କାର୍ଯ୍ୟରେ ଉନ୍ନତି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ମିଥୁନରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଏକାଦଶ ଭାବରେ ବା ଲାଭଭାବରେ ଅବସ୍ଥାନ କରିବେ । ଯାହାଫଳରେ ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ । ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ । ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଓ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରି ପାରିବେ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ମୂଲ୍ୟବାନ ବା ସୌଖୀନ ପଦାର୍ଥ ସଂଗ୍ରହ ତଥା ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ସମର୍ଥ ହୋଇ ପାରିବେ । କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି । ସ୍ଵାଭିମାନକୁ ବଜାୟ ରଖି କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ । ଅଚାନକ ଭାବରେ ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ । ଶୁଭ ପରିଣାମ ମଧ୍ୟ ସାମ୍ନାକୁ ଆସିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କର୍କଟ:-କର୍କଟରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦଶମଭାବରେ ବା କର୍ମଭାବରେ ଅବସ୍ଥାନ କରିବେ । ଯାହାଫଳରେ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଅଶାନ୍ତିର ଝଡ ଶାନ୍ତ ହେବ । ସ୍ୱାସ୍ଥ୍ୟ ଭଲ ରହିବା ସହ ମାନସିକ ଶାନ୍ତି ଅନୁଭବ କରିବେ । ସରକାରୀ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ । ବ୍ୟବସାୟ କ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଲେ ମଧ୍ୟ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ । ଶତ୍ରୁଙ୍କ ସହିତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବା ସହ ବନ୍ଧୁମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହି ହେବା ସହ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକ ମାନଙ୍କର ବିଶେଷ ଉନ୍ନତିହେବ । ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ସିଂହରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ନବମ ଭାବରେ ଭାଗ୍ୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସାମାଜିକ ପତିଆରା ଅମଳିନ ରହିବ । ବ୍ୟବସାୟରେ ବିରୋଧୀ ମାନଙ୍କୁ ପରାସ୍ତ କରି ବିଜୟୀ ହେବା ସହ ବକେୟା ଅର୍ଥ ପ୍ରାପ୍ତି ହେବା ଫଳରେ ଆର୍ଥିକ ସ୍ଥିତି ସୁଧୁରି ଯିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପରିବାରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ । ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ଧନାଢ୍ୟ ହେବାର ରାସ୍ତା ଖୋଲିଯିବ । ପ୍ରତିକାର- କମଳା ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କନ୍ୟା:-କନ୍ୟାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଅଷ୍ଟମ ଭାବରେ ବା ନିଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । କାରବାରରେ ଉତ୍ଥାନ ହେବା ଫଳରେ ବ୍ୟବସାୟର ପରିବର୍ଦ୍ଧନ କରିବାର ଇଚ୍ଛା ଜାଗ୍ରତ ହେବ । ଅତି ନିକଟତର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟିହେବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ । ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥାକହି କାର୍ଯ୍ୟ ପୂରଣ କରିବେ । ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କର୍ମ କରିବା ଉଚିତ୍ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ତୁଳା:-ତୁଳାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ସପ୍ତମ ଭାବରେ ବା ଜାୟାବ୍ୟବସାୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ କର୍ମକ୍ଷେତ୍ରରେ ଆନ୍ତରିକ ଉତ୍ସାହ ବୃଦ୍ଧିହେବା ଫଳରେ ଜଟିଳ ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବଢିବା ସହ ମୁଖ୍ୟନେତାଙ୍କର ପ୍ରିୟପାତ୍ର ହେବେ । କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ । ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ । କମିଶନ ସମ୍ବନ୍ଧିତ କାର୍ଯ୍ୟରେ ପ୍ରଚୁର ଲାଭ ମିଳିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଅସହାୟ ମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ସାଧାରଣ ଲୋକମାନେ ସମ୍ମାନ ଦେବେ । ଶତ୍ରୁ ମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ । ଅର୍ଥକୁ ଭଗବାନ ଜ୍ଞାନ କରି ବିବାଦମାନ ପରିସ୍ଥିତିର ବି ସମ୍ମୁଖୀନ ହେବାକୁ ପଡିପାରେ । ସ୍ଥଳ ବିଶେଷେ ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷର କାରଣ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ବିଚ୍ଛାରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଷଷ୍ଠଭାବରେ ବା ରୋଗ, ରୁଣ, ଶତ୍ରୁ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସାମ୍ବାଦିକ ମାନେ ଜନ ସମର୍ଥନ ପାଇ ସଫଳ ହେବେ । ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ମନ ନିବେଶ କରିବେ । ପ୍ରେମକ୍ଷେତ୍ରରେ ସାହାଯ୍ୟ ପାଇ ଆଗକୁ ବଢିବା ସମ୍ଭବ ହେବ । ସୁସ୍ଵାଦୁ ଖାଦ୍ୟ ପ୍ରାପ୍ତି ହେବ । ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । କର୍ମକ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବେ ଓ ମନ ଲଗାଇ କାର୍ଯ୍ୟ ମଧ୍ୟ କରିବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ଧନୁ:-ଧନୁରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପଞ୍ଚମଭାବ ବା ସନ୍ତାନ ଭାବରେ ଅବସ୍ଥାନ କରିବେ । ଯାହାଫଳରେସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ । ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରି ପାରିବେ । ଅନେକ ଦିଗରୁ ଖୁସି ମିଳିବ । ସାମ୍ବାଦିକ ମାନେ ପ୍ରଶଂସିତ ହେବେ । କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ । ପ୍ରେମପ୍ରସଙ୍ଗରେ ସୁଖଦ ପରିଣାମ ଅବଶ୍ୟ ଆସିବ । ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ । ବିଦ୍ୟାର୍ଥୀ ମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ସାମାଜିକ କାମରେ ପ୍ରଶଂସା ମିଳିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବ୍ୟବସାୟ କ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ । ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ମକରରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଚତୁର୍ଥ ଭାବରେ ବା ସୁଖ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧୀକାରୀଙ୍କ ପ୍ରିୟଭାଜନ ହେବେ । ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରି ବେଶ୍ ଆନନ୍ଦ ଅନୁଭବ କରିବେ । ଉଚ୍ଚ ସମ୍ଭାବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବା ସହ ଆୟ ଉତ୍ତମ ହେବ ଓ ବ୍ୟୟ ହ୍ରାସ ପାଇବ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂରଣ ହୋଇ ଯିବ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ଅଧ୍ୟୟନ ଅଧ୍ୟାପନ କାର୍ଯ୍ୟରେ ବ୍ୟସ୍ତ ରହିବେ । ମନୋରଞ୍ଜନ ଓ ମଉଜ ମସ୍ତିରେ ସମୟ କଟି ପାରେ । ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି । ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କୁମ୍ଭ:-କୁମ୍ଭରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ତୃତୀୟ ଭାବରେ ବା ବିକ୍ରମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ ଓ ପାରିବାରିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ସ୍ଥଗିତ ଥିବା କର୍ମଟି ସହଜ ସରଳରେ ପୂର୍ଣ୍ଣ ହେବ । ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ । ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ ପ୍ରଶଂସିତ ହେବେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମନ୍ୟତାର ଅଧିକାରୀ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-ମୀନରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦ୍ଵିତୀୟ ଭାବରେ ବା ଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ବିଚାର ବିଭାଗର ରାୟ ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ସହ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଆଶାତୀତ ନମ୍ବର ରଖି ପ୍ରଶଂସିତ ହେବେ ଓ ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ପ୍ରତ୍ୟେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ଼ ରହିବା ଫଳରେ କୌଣସି ଅସୁବିଧା ହେବନାହିଁ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ । ପ୍ରତିକାର- ଅଷ୍ଟଗନ୍ଧ ତିଳକଚନ୍ଦନ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!