ଏହି ଗଛ ଆମ ଦେଶରେ ସର୍ବତ୍ର ଦେଖାଯାଏ । ଏ ଗଛର ସମସ୍ତ ଅଂଶ ତିକ୍ତ ରସରେ ପୂର୍ଣ୍ଣ । ଏଭଳି ଉପକାରୀ ବୃକ୍ଷ ଆଉ ନାହିଁ କହିଲେ ଚଳେ । ଜଗତରେ ଯେତେ ଉପକାରୀ ଗଛ ଅଛି ସବୁଠାରୁ ଏ ଶ୍ରେଷ୍ଠ ଅଟେ । ଏ ଗଛକୁ ସମସ୍ତେ ଭଲରୂପେ ଚିହ୍ନିଥିବାରୁ ପରିଚୟ ଦିଆ ଗଲା ନାହିଁ ।
ଉକ୍ରଳରେ ଏହାକୁ ନିମ୍ବ, ବଙ୍ଗଳାରେ ନିମ୍, ହିନ୍ଦିରେ ନିମ୍, ତେଲୁଗୁରେ ଦୀୟାଚେଟ୍ଟୁ ଏବଂ ସଂସ୍କୃତରେ ଅରିଷ୍ଟ, ପିଚୁମର୍ଦ୍ଧ, ପାରିଭଦ୍ର, ତିକ୍ତକ, ହିଙ୍ଗୁନିର୍ଯ୍ୟାସ ଓ ତିକ୍ତପୂର୍ଣ୍ଣା ଆଦି କୁହାଯାଏ ।
ଶାସ୍ତ୍ରୋକ୍ତ ଗୁଣ ଓ ମାତ୍ରା
ନିମ୍ବ ଅତ୍ୟନ୍ତ ତିକ୍ତରସ, ଶୀତବୀର୍ଯ୍ୟ ଧାରକ, କାମନିବାରକ ଏବଂ ଜ୍ୱର, ତୃଷ୍ଣା, କଣ୍ଡୁ, କ୍ଷତ, ବ୍ରଣ, କୁଷ୍ଠା, ବାୟୁ, ଶ୍ଳେଷ୍ମା, ବିସର୍ପ, ବିସ୍ଫୋଟ, ବିବର୍ଚ୍ଚିକା, କୃମି, କାସ, ଅର୍ଶ, ପିତ୍ତବିକାର, ରକ୍ତବିକୃତି, ବମନ, ଯାବତୀୟ ପ୍ରକାର ଚର୍ମରୋଗ, ଅରୁଚି, ଦଦ୍ରୂ ଓ କାମଦୀପନା ନିବାରକ ଅଟେ । ମାତ୍ରା-ଦୁଇଅଣାରୁ ଆଠଅଣା ।
ରୋଗରେ ବ୍ୟବହାର ବିଧି
୧. ନିମ୍ବପତ୍ରକୁ ଜଳରେ ସିଝାଇ ସେହି ଜଳରେ ଯେକୌଣସି ଘାଆ ଧୋଇଲେ ସେ ଘାଆ ଶୀଘ୍ର ଶୁଷ୍କ ହୋଇଯାଏ ।
୨. ଏହାର କେତେକ ପତ୍ରକୁ ଆଣି ଗବ୍ୟଘୃତରେ ଭାଜି ପୋଡ଼ିଗଲେ ସେହି ପୋଡିଯିବା ପତ୍ରକୁ ମର୍ଦ୍ଦଳ କରି ସେ ମଲମକୁ ଯେକୌଣସି ପ୍ରକାର କ୍ଷତରେ ଲଗାଇଲେ ସେ କ୍ଷତ ଅଳ୍ପଦିନରେ ଶୁଶିଯାଏ ।
୩. ନିମ୍ବଛେଲି, ନିମ୍ବପତ୍ର ଓ ନିମ୍ବଗଛର ମୂଳ ଏ ତିନି ଦ୍ରବ୍ୟକୁ ସମାନ ଲେଖାଏଁ ଆଣି ଏକତ୍ର ଜଳରେ ସିଝାଇ ଛାଣି ସେହି କ୍ୱାଥ ସହିତ ଅଳ୍ପ ମହୁ ମିଶାଇ ସେବନ କରିଲେ ସମସ୍ତ ପ୍ରକାର ଜ୍ୱର ଛାଡିଯାଏ ।
୪. ନିମ୍ବ ମଞ୍ଜିରୁ ବାହାରିବା ତେଲକୁ ନିମ୍ବତେଲ କୁହାଯାଏ । ଏହି ତେଲକୁ ଯେ କୌଣସି ପ୍ରକାର କ୍ଷତ୍ରରେ ଲଗାଇଲେ ସେ କ୍ଷତ ସବୁ ଭଲ ହୋଇଯାଏ । ଏପରିକି ବାତରକ୍ତ, ଅମ୍ଳପିତ୍ତ, କନ୍ଦା, କଣ୍ଡୁ, ଦଦ୍ରୁ, ଛଉ ଓ କୁଷ୍ଠ ଆଦି ଅଳ୍ପଦିନ ମଧ୍ୟରେ ଆରୋଗ୍ୟ ହୋଇଯାଏ ।
୫. ନିମ୍ବପତ୍ରକୁ ଅତି ଚିକ୍କଣ କରି ବାଟି ଗବ୍ୟଘୃତ ମିଶାଇ ନିଅାଁରେ ଗରମ କରି ବାଘୀ, ବଥ କିମ୍ବା ଯେକୌଣସି ପ୍ରକାର ବ୍ରଣ ଶୋତ ଉପରେ ଲେପଦେଲେ ତାହା ପାଚିଯାଇ ସେଥିରୁ ପୂଜ ପ୍ରଭୃତି ନିବୃତି ନିର୍ଗତ ହୋଇ ଶୁଷ୍କ ହୋଇଯାଏ ।
୬. ପ୍ରତିଦିନ ନିମ୍ବତେଲର ନସ୍ୟ ଗ୍ରହଣ କରିଲେ ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି ବୃଦ୍ଧି ହୁଏ । ଏହି ତୈଳର ନସ୍ୟ ଗ୍ରହଣ ପରେ ପ୍ରତ୍ୟେହ ଗବ୍ୟଦୁଗ୍ଧ ପାନ କଲେ ମସ୍ତକର ଶୁକ୍ଳକେଶ କୃଷ୍ଣବର୍ଣ୍ଣ ଧାରଣ କରେ ।
୭. ବସନ୍ତ ଋତୁର ପୂର୍ବରୁ ନିମ୍ବକଢ଼ ଦ୍ୱାରା ଖାଦ୍ୟଦ୍ରବ୍ୟ ପ୍ରସ୍ତୁ କରି ପିଲା ବଡ଼ ସମସ୍ତଙ୍କୁ ଖାଇବାକୁ ଦେଲେ ସେମାନଙ୍କୁ ବସନ୍ତ ରୋଗ ଆକ୍ରମଣ କରେ ନାହିଁ ।
୮. ଖାଦ୍ୟଦ୍ରବ୍ୟ ସଙ୍ଗରେ ନିମ୍ବପତ୍ରର ଗୁଣ୍ଡା କିମ୍ବା ନିମ୍ବକଢ଼ ପକାଇ ଖାଦ୍ୟ ପ୍ରସ୍ତୁତ କରି ଭୋଜନ କରିବ । ପ୍ରତ୍ୟେହ ହେଉ କିମ୍ବା ଦିନ ଦୁଇଦିନ ଉତ୍ତାରେ ହେଉ ଏହିପରି ଖାଦ୍ୟ ପ୍ରସ୍ତୁତ କରି ଖାଇଲେ କୃମି, ବାୟୁ ଅରୁଚି, ବ୍ରଣ, କ୍ଷତାଦି ରୋଗ ଭଲ ହୁଏ ।
ତାନ୍ତ୍ରିକ ପ୍ରୟୋଗ ବିଧି
୧. କୁଷ୍ଠରୋଗୀ କେବଳ ନିମ୍ବ ବଗିଚା ମଧ୍ୟ ଦିନ ରାତି ରହିଲେ ତାହାର ସେ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଏ ।
୨. ଗୃହର ଯେ କୌଣସି ପାଖରେ ବିଶେଷତଃ ଦକ୍ଷିଣ ପାଖରେ ନିମ୍ବଗଛ ଥିଲେ ସେ ଗୃହସ୍ଥିତି ସମସ୍ତ ବ୍ୟକ୍ତିଙ୍କର ଦେହ ସବୁଦିନେ ଭଲ ରହିଥାଏ ।
୩. ଶନିବାର କିମ୍ବା ରବିବାରରେ ଯଦି ପୁଷ୍ୟାନକ୍ଷତ୍ର ହୋଇଥିବ, ତେବେ ସେହିଦିନ ସକାଳୁ ସ୍ନାନାନ୍ତେ ନିମ୍ବ ଚେରକୁ ଯଥାବିଧିରେ ନିମନ୍ତ୍ରି ଆଣି ପିଲାଙ୍କ ଦେହରେ ଧାରଣ କରାଇଲେ ସେମାନଙ୍କ ଦେହ ଭଲ ରହିଥାଏ । ଆଉ ମଧ୍ୟ ସଙ୍ଗରେ ରଖିଲେ ସବୁଠାରୁ ଯଶ ମିଳେ ଏବଂ ଦେହ ନିରୋଗ ହୁଏ ।
୪. ନିମ୍ବ ଗଛର ମଲାଙ୍ଗକୁ ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟପରାଗ ଲାଗିଥିବା ବେଳେ ଆଣି ନିକଟରେ ଏବଂ ଗୃହରେ ରଖିଲେ ସର୍ପ ଭୟ ହୁଏ ନାହିଁ ।
୫. ଚନ୍ଦ୍ରଗ୍ରହଣ ସମୟରେ ନିମ୍ବଗଛରୁ ଚେର ଆଣି ଗୋରୁଗୁହାଳରେ ରଖିଲେ ସେମାନଙ୍କଠାରେ କୌଣସି ରୋଗ ପ୍ରବେଶ କରେ ନାହିଁ ।
୬. ନିମ୍ବଛେଲି ଦ୍ୱାରା କୌଣସି ଜ୍ୱର ରୋଗୀର ପଥ୍ୟ ରନ୍ଧନ କଲେ ଅର୍ଥାତ୍ ନିମ୍ବଛେଲିକୁ ଚାଉଳ ଅଥବା ଅନ୍ୟଦ୍ରବ୍ୟ ସହିତ ମିଶାଇ ବାଟି କିମ୍ବା ନିମ୍ବପତ୍ର ମିଶାଇ ବାଟି ପିଷ୍ଟକ କରି ଖୁଆଇଲେ ସେ ରୋରୀର ଦେହ ଶୀଘ୍ର ଭଲ ହୋଇଯାଏ ।