ଦେବାଦେବୀଙ୍କ ପୂଜାର୍ଚ୍ଚନାରେ ପୁଷ୍ପର ମହତ୍ତ୍ୱ।
ସଂସାରର ସମସ୍ତ ବ୍ୟକ୍ତି ଏମିତିକି ଆବାଳ ବୃଦ୍ଧ ବନିତା ସମସ୍ତେ ନିଜ ନିଜର ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କେହି ପଞ୍ଚୋପଚାର, ଦଶୋପଚାର ଓ ଷୋଡ଼ଶପଚାରରେ ପୂଜା କରିଥାନ୍ତି । କିନ୍ତୁ ଦେବତାଙ୍କୁ କେଉଁ ପୁଷ୍ପରେ ଅର୍ଚ୍ଚନା କରାଯାଏ, ଦେବତାଙ୍କର କେଉଁ ଅଙ୍ଗରେ ପୁଷ୍ପ ଚଢ଼େଇବା ଉଚିତ୍, କେଉଁ ପୁଷ୍ପ କେତେଦିନ ପର୍ଯ୍ୟନ୍ତ ନିର୍ମଳ ଓ ସ୍ୱଚ୍ଛ ରହିପାରିବ ଏ ସମସ୍ତ ବିଷୟରେ ପ୍ରାୟତଃ ଅନଭିଜ୍ଞ ଥାନ୍ତି ।
ଦୁଷିତ ପୁଷ୍ପ କୌଣସି ଦେବାଦେବୀଙ୍କୁ ଅର୍ପିତ କରିବା ଫୁଲ ତୋଳିବା ସମୟରେ ଉପଯୁକ୍ତ ମନ୍ତ୍ର, ନିଶିଦ୍ଧ କାଳ, ବିହିତ ଫୁଲ, ନିଶିଦ୍ଧ ଫଉଲ, ଫୁଲ ଚଢ଼େଇବାର ବିଧିବିଧାନ, ଚଢ଼ିଥିବା ଫୁଲକୁ ଦେବତାଙ୍କ ଅଙ୍ଗରୁ ବାହାର କରିବା ବିଧାନ ଜାଣିବା ନିତ୍ୟାନ୍ତ ଆବଶ୍ୟକ ।
ଫୁଲ ତୋଳିବା ମନ୍ତ୍ର-
ମାନୁଷକଂ ଗୁରୁତ୍ୱ ତ୍ୱଂ ସ୍ଥାନତ୍ୟାଗଂଚମା କୁରୁ, ଦେବତା ପୂଜନାର୍ଥାୟ ପ୍ରାର୍ଥୟାମି ବନସ୍ପତେ ।
ପୂର୍ବ ଦିଗକୁ ମୁହଁକରି ହାତଯୋଡ଼ି ଉପରୋକ୍ତ ମନ୍ତ୍ରକୁ ଉଚ୍ଚାରଣ କରିସାରିବା ପରେ ପ୍ରଥମ ଫୁଲକୁ ଓଁ ପୃଥିବୈ ନମଃ କହି ନିକ୍ଷେପ କରିବ । ତୃତୀୟ ଫୁଲ ତୋଳିବା ସମୟରେ ଓଁ ପୃଥିବୈ ନମଃ କହି ଫୁଲ ପାତ୍ରରେ ରଖିବ । ପ୍ରାତଃ କାଳରେ ସୂର୍ଯ୍ୟୋଦୟ ସମୟରେ ବା ଶଯ୍ୟା ତ୍ୟାଗ କରିବା ପରେ ହାତପାଦ ଧୌତକରି ପୁଷ୍ପ ଚୟନ କରିବ । ସ୍ନାନ ସାରି ତୁଳସୀ ଓ ବେଲପତ୍ର ତୋଳିବା ଉଚିତ୍ ।
ପୂର୍ବଦିନର ଫୁଲ, ପୂର୍ବଦିନର ଜଳ ବାସି ହୋଇଯାଇଥାଏ । ଏହାକୁ ଦେବତାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବା ଅନୁଚିତ୍ । କିନ୍ତୁ ତୁଳସୀ ଜଳ ଓ ଗଙ୍ଗାଜଳ କିମ୍ବା ତିର୍ଥଜଳ କେବେ ବାସି ହୁଏ ନାହିଁ । ବସ୍ତ୍ର ଯଜ୍ଞପବିତ ଏବଂ ଆଭୁଷଣାଦିରେ ଦୋଷ ନଥାଏ । ମାଳିଘରେ ରଖା ହୋଇଥିବା ଫୁଲ ବାସି ହୁଏ ନାହିଁ । ଏହି ଫୁଲକୁ ପ୍ରକ୍ଷଣ କରି ଦେବତାଙ୍କୁ ଅର୍ପଣ କରିବା ଉଚିିତ୍ ।
ଫୁଲକୁ ଶୁଙ୍ଗିଲେ ଦେବତାଙ୍କ ପାଇଁ ଅଯୋଗ୍ୟ ହୋଇଯାଏ । ନାଗଚମ୍ପା, ବାଇଗଣ ଫୁଲ, ଶୁଷ୍କ, ବାସି, ମଳିନ, ଦୂଷିତ ଓ ଉଗ୍ରଗନ୍ଧଯୁକ୍ତ ଫୁଲ ଦେବତାଙ୍କୁ ଅର୍ପଣ କରିବା ଅନୁଜିତ୍ । ଫୁଲ କଢ଼ ଦେବତାଙ୍କୁ ଅର୍ପଣ କରିବା ଅନୁଚିତ୍ କିନ୍ତୁ ପଦ୍ମକଢ଼ ଦେବତାଙ୍କୁ ଅର୍ପଣ କରିବା ଉଚିତ୍ । କୌଣସି ଫୁଲକୁ ପାଣିରେ ବୁଡେଇ ଧୋଇବା ଅନୁଚିତ୍ । କେବଳ ଫୁଲ ଉପରେ ପାଣି ସିଞ୍ଚନ କରାଯିବ ।
ସ୍ନାନସାରି ଯେକୌଣସି ଫୁଲ ତୋଳିଲେ ପୁଣ୍ୟ ଅପକ୍ଷା ପାପର ମାତ୍ରା ବୃଦ୍ଧି ପାଇଥାଏ । ସେ ଫୁଲକୁ ଦେବତାମାନେ ଗ୍ରହଣ କରନ୍ତି ନାହିଁ । ସମସ୍ତ କ୍ଷେତ୍ରରେ ଅକ୍ଷତ ପ୍ରୟୋଗ କରାଯାଏ । କିନ୍ତୁ ଶାଳଗ୍ରାମ ଉପରେ ଅକ୍ଷତ ଚଢ଼େଇବା ନିଷେଧ ।
ଶିବଙ୍କର ପ୍ରିୟଫୁଲ-
ବେଲପତ୍ର, ଅରଖ, କନିଅର, କିଆ, ପୁଶଫୁଲ, ପାଟଳୀ, ମନ୍ଦାର, ପୁନଙ୍ଗ, ନାଗଚମ୍ପା, ରାଶିଫୁଲ, ଟଗର, ଜୟନ୍ତି, ପଳାସ, ନାଗକେଶର, ଶଙ୍ଖପୁଷ୍ଫି, ଗୟଶ, ଅପରାଜିତା, ଧୂତୁରା ଫୁଲ ।
ଶିବଙ୍କର ନିଷେଧ ଫୁଲ-
କଦମ୍ବ, ଶିରିସ, କଇଁଥ, ଗାଜର, ବାହାଡା, କପା, ଗମ୍ଭାରୀ, ସିମିଳି, କେତକୀ, ମାଳତୀ, ଯୁଇ, ବନ୍ଧୁକ, କୁନ୍ଦ, ଜୟପର୍ଣ୍ଣ ମୟୂରକଣ୍ଠି, କୁନ୍ଦଫୁଲ ମାଘ ମାସକୁ ଛାଡ଼ି ଅନ୍ୟ ମାସରେ ଗ୍ରହଣ କରାଯାଏ ।
ବିଷ୍ଣୁଙ୍କର ପ୍ରିୟଫୁଲ-
ତୁଳସୀଦଳ, ମାଳତୀ, ଅଶୋକ, ସେଫାଳି, ବାସନ୍ତୀ, ଆମ୍ବଡ଼ା, ଟଜ୍ଞର, ଯୁଇ, ଯାଇ, ପାଟଳୀ, ଚମ୍ପା, ଲବଙ୍ଗ, ମାଧବୀ, ଚାମେଲୀ, ବାଣ, ପାରିଜାତ, ତିଳକ, ବୈଜୟନ୍ତି, ମଂଜରୀ ଓ କାଠଚମ୍ପା, କେତକୀ ଫୁଲରେ କାର୍ତ୍ତିକ ମାସରେ ବିଷ୍ଣୁପୂଜା କଲେ ମୋକ୍ଷପ୍ରାପ୍ତି ହୋଇଥାଏ । ସମସ୍ତ ପ୍ରକାର ଧଳା ଏବଂ ହଳଦିଆ ଫୁଲ ବିଷ୍ଣୁଙ୍କର ପ୍ରିୟ ଅଟେ ।
ବିଷ୍ଣୁଙ୍କର ନିଶିଦ୍ଧ ଫୁଲ-
ଅରଖ, ଧୂତୁରା, କାଂଚି, ସିମୁଳି, ଶିରସ, କଇଥ, କନିଅର । ବିଷ୍ଣୁଙ୍କ ଉପରେ ଅକ୍ଷତ ଅର୍ପଣ କରିବା ଦୋଷାବହ ।
ଗଣେଶ ଓ ସୂର୍ଯ୍ୟପୂଜାରେ ତୁଳସୀ ବ୍ୟତୀତ ସମସ୍ତଫୁଲ ଗ୍ରହଣୀୟ । ଲାଲ୍ ରଙ୍ଗର ଫୁଲ ଅତ୍ୟନ୍ତ ପ୍ରିୟ । ଗଣେଶଙ୍କର ଧଳା ଫୁଲ ଏବଂ ଦୁବ, ବରକୋଳି ପତ୍ର ଅତ୍ୟନ୍ତ ପ୍ରିୟ।
ଦୂର୍ଗାଙ୍କର ପ୍ରିୟ ଫୁଲ-
ଶିବଙ୍କର ସମସ୍ତ ପ୍ରିୟ ପୁଷ୍ପସହ ଲୋଧ, କେଶର, ଅଶୋକ, ଅଗସ୍ତି, ମଦନ, ସିନ୍ଦୁବାର, ମାଧବୀ ଆଦି ଦୁର୍ଗାଙ୍କର ଅତିପ୍ରିୟ ।
ଦୂର୍ଗାଙ୍କର ନିଶିଦ୍ଧ ଫୁଲ-
ତିଳକ, ତୁଳସୀ, ତମାଳ, ଦୂବ, ଫୁଲ, ପତ୍ର ଫଳ ଏ ସମସ୍ତ ପଦାର୍ଥ ଅଧମୁଖ ବା ଓଲଟା କରି ଦେବତାଙ୍କୁ ସମର୍ପଣ କରିବେ ନାହିଁ । ଫୁଲର ଅଭାବରେ ତୁଳସୀ ପତ୍ର, ଚମ୍ପା, କମଳିନି, ବେଲ, ଅଶୋକ, କୁଶ, ଦୂବ, ନାଗବଲ୍ଲୀ, ଅପାମାର୍ଗ, ଅଗସ୍ତ୍ୟ ଓ ଅଁଳା ଏହି ପତ୍ରମାନଙ୍କରେ ଦେବପୂଜାର୍ଚ୍ଚନା କରିବା ଉଚିତ୍ ।