ବୃହସ୍ପତି ଚଳନ- ବୃହସ୍ପତିଙ୍କର ଧନୁ ରାଶିକୁ ଗୋଚର ଫଳରେ କଣ ରହିବ ୧୨ଟି ରାଶି ଉପରେ ଏହାର ପ୍ରଭାବ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପ୍ରତ୍ୟେକ ମଣିଷ ଭବିଷ୍ୟତ ଫଳ ଜାଣିବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କରିଥାଏ। ଗୋଚର ଗ୍ରହମାନଙ୍କର ବିଚାର ଦେଖିବାକୁ ହେଲେ ତିନି (୩) ପ୍ରକାର ଦୃଷ୍ଟିରେ ଦେଖାଯାଏ। ୧- ଜନ୍ମ ନକ୍ଷତ୍ର ଦ୍ୱାରା, ୨- ଗ୍ରହ ଦ୍ୱାରା, ୩- ଗୋଚର ବିଚାର ଜନ୍ମରାଶି ଦ୍ୱାରା। ତେଣୁ ଚନ୍ଦ୍ରଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ। ସେଥିପାଇଁ ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍। ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ। ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତି ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ। ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗେ ମନରେ କାଳ୍ପନିକ ଚିନ୍ତା ଯାଗେ ଏବଂ ଆଶଙ୍କା ବଶତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକ ସମୟରେ ଦେଖାଯାଉଛି ଚତୁଃପାଶ୍ୱର୍ରୁ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରି ପକେଇ ଥାଏ। ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚର ଫଳ ବିବେଚନା କରିବାକୁ ପଡିଥାଏ ।

ବୃହସ୍ପତି ବ୍ୟକ୍ତିକୁ ଅଧିକ ବୁଦ୍ଧିବଳ ପ୍ରଦାନ କରିଥାନ୍ତି। ତା ସହ ଧନବଳ ଓ ଦେହବଳ ମଧ୍ୟ ପୁଷ୍ଟ ହୋଇଥାଏ। କାରଣ ସମସ୍ତଙ୍କର ଧାରଣା ବୃହସ୍ପତି ସବୁ ସମୟରେ ଶୁଭଫଳ ପ୍ରଦାନ କରନ୍ତି। କିନ୍ତୁ ଅନୁଭବରୁ ପ୍ରମାଣ ମିଳେ ଅଶୁଭ ସମୟରେ ଅଶୁଭ ଫଳ ପ୍ରଦାନ କରନ୍ତି। ଶୁଭ ସମୟରେ ଶୁଭଫଳ ପ୍ରଦାନ କରିଥାନ୍ତି।

୨୦୧୯ ମସିହା ନଭେମ୍ବର ମାସ ୪ ତାରିଖ ସୋମବାର ଦିନ ବୃହସ୍ପତି ମୂଳାନକ୍ଷତ୍ର ଧନୁରାଶିକୁ ସ୍ଵଚାର ହୋଇ  ଗମନ କରିବେ।  ମକରରାଶିରେ ଚନ୍ଦ୍ର ବିଦ୍ୟମାନ କରିଥିବାରୁ ମେଷ, ମିଥୁନ, ସିଂହ, ବିଛା ଓ କୁମ୍ଭ ରାଶିର ବୃହସ୍ପତି ଗୋଚର ଚଳନ ଶୁଭ ହେତୁ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ମେଷ, ବୃଷ, କର୍କଟ, କନ୍ୟା, ବିଛା, ଧନୁ, ମକର ଓ  ମୀନ ରାଶିର ଗୋଚରରେ ଚନ୍ଦ୍ର ଶୁଭ ହେତୁ ମଧ୍ୟମ ଶୁଭଫଳ ପ୍ରଦାନ କରିବେ। ବର୍ତ୍ତମାନ ବୃହସ୍ପତିଙ୍କର ଧନୁ ରାଶିସ୍ଥିତିରେ ପ୍ରତ୍ୟେକ ରାଶିର ବ୍ୟକ୍ତିମାନେ କିପ୍ରକାର ଫଳ ଭୋଗ କରିବେ ବିଚାର କରି ନିମ୍ନରେ ତାହା ପ୍ରଦତ୍ତ କରୁଅଛି।

ମେଷ:-

ଆପଣଙ୍କ ରାଶିଠାରୁ ବୃହସ୍ପତି ଭାଗ୍ୟସ୍ଥାନରେ ପ୍ରବେଶ କରି ଲଗ୍ନ, ପରାକ୍ରମ ଓ ସନ୍ତାନ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯଦ୍ୱାରା ଆପଣଙ୍କୁ ସର୍ବାଧିକ ଭାଗ୍ୟଶାଳୀ କରିବେ। ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ ବା ଏହି ସମ୍ବନ୍ଧିୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ବିଶେଷ କରି ବିଦ୍ୟାର୍ଥିମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରତିଯୋଗିତା ପରୀକ୍ଷା, ପ୍ରବେଶିକା ପରୀକ୍ଷାରେ ଓ ପ୍ରଶାସନିକ ସେବା ପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। ପରାକ୍ରମ ପ୍ରତିଷ୍ଠା ମାନ ବୃଦ୍ଧି ହେବ। କର୍ମଚାରୀମାନେ ପ୍ରମୋଶନ ପାଇ ଖୁସୀ ହେବେ ଏବଂ ଧନ ଲାଭ କରିବାର ସୁଯୋଗ ପାଇବେ। ବ୍ୟବସାୟୀମାନେ ଯେ କୌଣସି ଯାଗାରୁ ଧନ ଉପାର୍ଜନ କରି ପାରିବେ। ଏହି ସମୟରେ ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ ଏବଂ ସମ୍ପତ୍ତି କ୍ରୟ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ। ସନ୍ତାନ ଠାରୁ ସୁଖପ୍ରାପ୍ତି ହେବ। ପୁତ୍ର ରତ୍ନ ପ୍ରାପ୍ତି ହେବ। ଧର୍ମ କାର୍ଯ୍ୟରେ ସାମାଜିକ କ୍ଷେତ୍ରରେ ଓ ରାଜନୈତିକ କ୍ଷେତ୍ରରେ  ପ୍ରଶଂସିତ ହେବା ସହ ସଫଳତା ପ୍ରାପ୍ତି ହେବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ।

ବୃଷ:-

ଆପଣଙ୍କ ରାଶିଠାରୁ ବୃହସ୍ପତି ଅଷ୍ଟମ ସ୍ଥାନରେ ପ୍ରବେଶ କରି ଦ୍ୱାଦଶଭାବ, ଧନଭାବ ଓ ସୁଖଭାବକୁ ପ୍ରଭାବିତ କରୁଛନ୍ତି। ଯାହା ଫଳରେ କାମ-କାର୍ଯ୍ୟରେ ଗମ୍ଭୀରତା ପୂର୍ବକ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ। ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ ସାଧନ କରିପାରିବେ ନାହିଁ। କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ। ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ। କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବେ ନାହିଁ। ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ। ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ ଓ ଉଦର ରୋଗ, ବାୟୁବିକାର, ଚର୍ମରୋଗ, ସ୍ନାୟୁ ଦୁର୍ବଳତା ଆଦି ରୋଗମାନ ଦେଖାଦେଇପାରେ। ପ୍ରତିକାର କଲେ ସମସ୍ତ ଶୁଭଫଳ ନିଶ୍ଚୟ ପାଇବେ।

ମିଥୁନ:-

ଆପଣଙ୍କ ରାଶିଠାରୁ ବୃହସ୍ପତି ସପ୍ତମ ଭାବରେ ପ୍ରବେଶ କରି ଲାଭଭାବ, ପରାକ୍ରମଭାବ ଏବଂ ଲଗ୍ନଭାବକୁ ପ୍ରଭାବିତ କରୁଛନ୍ତି। ଏହା ଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ଧନ, ଧାନ୍ୟ, ଐଶ୍ୱର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ। ନୂଆନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ଓ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଭୂମିକ୍ରୟ, ବାହନ କ୍ରୟ, ଗୃହ ନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡିବ। ବିଦ୍ୟାର୍ଥୀ ବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହେବେ। ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ସାମାଜିକ କ୍ଷେତ୍ରରେ ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ, ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ।

କର୍କଟ:-

ଆପଣଙ୍କ ରାଶିଠାରୁ ବୃହସ୍ପତି ଷଷ୍ଠସ୍ଥାନରେ ପ୍ରବେଶ କରି କର୍ମସ୍ଥାନ, ବ୍ୟୟସ୍ଥାନ ଏବଂ କୁଟୁମ୍ବ କ୍ଷେତ୍ରକୁ ପ୍ରଭାବିତ କରୁଛନ୍ତି। ଏହା ଫଳରେ କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ବିଜୟୀ ହେବେ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ପ୍ରତିପତ୍ତି, ଉଚ୍ଚସ୍ଥାନ ଲାଭ ବା ପଦୋନ୍ନତି ଭଳି ମର୍ଯ୍ୟଦା ପ୍ରାପ୍ତି ହେବ। ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ ତତ୍ ସଙ୍ଗେ ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବା ସହ ପ୍ରତିଷ୍ଠିତ ହୋଇପାରିବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ସତର୍କ ରହି ଯାତାୟତ କରିବା ଆଦାନ-ପ୍ରଦାନ କରିବା ଉଚିତ୍ ହେବ। ପ୍ରତିକାର କଲେ ସମସ୍ତ ଶୁଭଫଳ ନିଶ୍ଚୟ ପାଇବେ।

ସିଂହ:-

ଆପଣଙ୍କ ରାଶିର ପଞ୍ଚମ ଭାବରେ ବା ଶିକ୍ଷା ଓ ସନ୍ତାନ ସ୍ଥାନରେ ଗୁରୁ ପ୍ରବେଶ କରିଛନ୍ତି, ଯାହା ଫଳରେ ଏହି ସମୟ ମଧ୍ୟରେ ଭାଗ୍ୟଭାବ, ଲାଭଭାବ ଏବଂ ସନ୍ତାନଭାବ ପ୍ରଭାବିତ ହେବ। ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତି ପଥରେ ଅଗ୍ରସର ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ ଏବଂ ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହନ କ୍ରୟକରିବାର ସୁବିଧା ସୁଯୋଗ ପାଇବେ। ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡିଥିବା କାର୍ଯ୍ୟମାନ ଧିରେ ଧିରେ ସପୂର୍ଣ୍ଣ ହୋଇଯିବ। ପୁତ୍ରରତ୍ନ ପ୍ରାପ୍ତି ହେବ। ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୁନର୍ବାର ଫେରିପାଇ ସମ୍ମାନୀତ ହେବେ। ଆୟର ଯଥେଷ୍ଟ ଅର୍ଥ ମାଙ୍ଗଳିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ। ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ଧନଧାନ୍ୟ ମାନ ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନ କଷ୍ଟ ଦୂରହେଇ ବର୍ତ୍ତମାନ ଆପଣ ସୁଖର ସ୍ୱପ୍ନ ଦେଖି ପାରିବେ। ପ୍ରଗତି, ଲାଭ, ଭୌତିକସୁଖ ଓ ସମୃଦ୍ଧି ବୃଦ୍ଧି ହେବ। ୩୦ବର୍ଷ  ପରେ ଏହି ସୁଯୋଗ ଆପଣ ପାଉଛନ୍ତି ।

କନ୍ୟା:-

ଆପଣଙ୍କ ରାଶିରେ ବୃହସ୍ପତି ସୁଖ ସ୍ଥାନରେ ପ୍ରବେଶ କରିଛନ୍ତି। ଏହି ସମୟ ମଧ୍ୟରେ ଅଷ୍ଟମଭାବ, କର୍ମଭାବ, ଏବଂ ବ୍ୟୟଭାବରେ ସମ୍ବନ୍ଧ ପ୍ରଭାବିତ ହେବ। ଯାହା ଫଳରେ ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତି ହେବ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ଅଦମ୍ୟ ଉଦ୍ୟମ ବା ଚେଷ୍ଟାଦ୍ୱାରା ସାଫଲ୍ୟ ପ୍ରାପ୍ତି ହେବ। ପାରିବାରିକ ଜୀବନରେ ସୁଖ-ଶାନ୍ତି ଲାଭ ଓ ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ। ବିଦ୍ୟାର୍ଥିୀମାନେ ଆପ୍ରାଣ ଚେଷ୍ଟାକରି ପ୍ରତିଦ୍ୱନ୍ଦିତାରେ ସଫଳ ହେବେ। ସାଙ୍ଗସାଥୀ, ଭାଗିଦାରମାନଙ୍କ ପାଇଁ ଏବଂ ସହକର୍ମୀଙ୍କ ପାଇଁ  ଅନେକ ସୁବିଧା ପାଇପାରିବେ। ସ୍ଵାସ୍ଥ୍ୟକ୍ଷେତ୍ରରେ ଉଦରପୀଡା ଓ ଚକ୍ଷୁପୀଡା ଦେଖାଦେଇପାରେ। ପ୍ରତିକାର କଲେ ସମସ୍ତ ଶୁଭଫଳ ନିଶ୍ଚୟ ପାଇବେ।

ତୁଳା:-

ଆପଣଙ୍କ ରାଶିକୁ ବୃହସ୍ପତି ତୃତୀୟ ବା ପରାକ୍ରମ ସ୍ଥାନରେ ପ୍ରବେଶ କରିଛନ୍ତି। ଏହି ଭାବରେ ବୃହସ୍ପତି ପ୍ରବେଶ କରିବା ଫଳରେ ସପ୍ତମ ଭାବ ନବମ ଭାବ ଏବଂ ଲାଭ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିବାରୁ ଭାଗ୍ୟଶାଳୀ, ସନ୍ତାନସୁଖ, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ପରହାତରେ ଥିବା ଧନ ପ୍ରାପ୍ତି ହେବ। ଅଧା ହୋଇଥିବା କାର୍ଯ୍ୟ ସହଜରେ ପୂରଣ ହେବ। ବ୍ୟବସାୟରେ ସର୍ବଦା ଉନ୍ନତି ଓ ଲାଭ ପ୍ରାପ୍ତି ହେବ। ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରିପାରିବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ସାଂସାରିକ ଜୀବନ ସୁଖମୟ ହେବ। ଧୈର୍ଯ୍ୟ, ସଂଯମ ଏବଂ ସାବଧାନର ସହ କାର୍ଯ୍ୟ କରିବାକୁ ପଡିବ। କୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ବର୍ତ୍ତମାନ ପାଇଁ ଅଶୁଭଦାୟକ। ଗୃହରେ କଳହ, ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ, ଭାଇ-ଭଉଣୀଙ୍କ ମଧ୍ୟରେ ବିରୋଧଭାବ ଓ ତିକ୍ତତା ଉତ୍ପନ୍ନ ହେବ। ପ୍ରତିକାର କଲେ ସମସ୍ତ ଶୁଭଫଳ ନିଶ୍ଚୟ ପାଇବେ।

ବିଚ୍ଛା:-

ଆପଣଙ୍କ ରାଶିକୁ ବୃହସ୍ପତି ଦ୍ୱିତୀୟ ସ୍ଥାନରେ ପ୍ରବେଶ କରିଛନ୍ତି ବା ଧନ ଓ କୁଟୁମ୍ବ ସ୍ଥାନରେ ରହିବା ଦ୍ଵାରା ଅଷ୍ଟମସ୍ଥାନ, ଷଷ୍ଠସ୍ଥାନ ଓ କର୍ମସ୍ଥାନ ଉପରେ ପୂର୍ଣ୍ଣ ଦୃଷ୍ଟି ରଖିବେ। କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ସହ ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ ଓ ନିଜ ଲୋକମାନେ ହିଁ କାମରେ ଆସିବେ। ବ୍ୟବସାୟ କ୍ଷେତ୍ରରେ ଅତ୍ୟନ୍ତ ଲାଭାନ୍ୱିତ ହୋଇ ସମ୍ପତ୍ତି କ୍ରୟ କରିବେ। ପୁତ୍ର କନ୍ୟାଙ୍କର ମାଙ୍ଗଳିକ କାର୍ଯ୍ୟ ସୁରୁଖୁରୁରେ କରିପାରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଅବିବାହିତ ହୋଇଥିଲେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ଉପଯୁକ୍ତ ଜୀବନସାଥୀ ପାଇ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ। ବିଦ୍ୟାର୍ଥୀମାନେ ପ୍ରଶାସନିକ ସେବା ସମ୍ବନ୍ଧିତ କର୍ମ ପାଇଁ ଚେଷ୍ଟା କରୁଥିଲେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍। ମେଡିକାଲ୍  ସାଇନ୍ସ ଅଧ୍ୟୟନ କରୁଥିଲେ ବିଶେଷ ସଫଳତା ପ୍ରାପ୍ତି ହେବ। ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ସନ୍ତାନ, ପତି-ପତ୍ନି କ୍ଷେତ୍ରରେ ଓ ପିତୃ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁତ୍ରରତ୍ନ ପ୍ରାପ୍ତି ହେବ। ନତୁବା ତତୁଲ୍ୟ ନୂତନ ଗୃହ, ନୂତନ ଯାନ ବାହାନ, ନୂତନବ୍ୟବସାୟ, ନୂତନ ଜାଗାଜମି ପ୍ରାପ୍ତିହେବ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଧନଧାନ୍ୟ ମାନ ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

ଧନୁ:-

ଆପଣଙ୍କ ରାଶିରେ ବୃହସ୍ପତି ପ୍ରବେଶ କରିଥିବାରୁ ପଞ୍ଚମସ୍ଥାନ, ସପ୍ତମସ୍ଥାନ ଏବଂ ନବମ ସ୍ଥାନକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଫଳରେ ସନ୍ତାନଭଳି ଦ୍ରବ୍ଯ ପ୍ରାପ୍ତିହେବ ଓ ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରି ପାରିବେ। ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ବନ୍ଧୁ, ମିତ୍ର ଏବଂ ଉଚ୍ଚପଦଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବ। ପରୀକ୍ଷା ପ୍ରତିଯୋଗିତା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସୁସମ୍ବାଦ ପ୍ରାପ୍ତି ହେବ। ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ। ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପୈତୃକ ସମ୍ପତ୍ତିକୁ ନେଇ ମାଲିମୋକଦ୍ଦମା, କୋର୍ଟ-କଚେରୀକୁ ଯିବାକୁ ପଡିପାରେ। ପ୍ରତିକାର କଲେ ସମସ୍ତ ଶୁଭଫଳ ନିଶ୍ଚୟ ପାଇବେ।

ମକର:-

ଆପଣଙ୍କ ରାଶିର ଦ୍ୱାଦଶ ସ୍ଥାନରେ ବୃହସ୍ପତି ପ୍ରବେଶ କରିଛନ୍ତି। ସୁଖଭାବ, ରୋଗଭାବ ଏବଂ ଅଷ୍ଟମ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟ ଦାୟକ ହେବ। ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ। ରାଜନୀତି କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ। ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ଅନାବଶ୍ୟକ କ୍ଷେତ୍ରରେ ପଇସା ଦେଇ ଫସିଯିବେ। ପ୍ରତିକାର କଲେ ସମସ୍ତ ଶୁଭଫଳ ନିଶ୍ଚୟ ପାଇବେ।

କୁମ୍ଭ:-

ଆପଣଙ୍କ ରାଶିଠାରୁ ଏକାଦଶଭାବରେ ବୃହସ୍ପତି ପ୍ରବେଶ କରି ପରାକ୍ରମ ଭାବ, ସନ୍ତାନ ଭାବ, ଦାମ୍ପତ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ। ନୂତନ ସମ୍ପତ୍ତି କ୍ରୟ କରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଭାତୃବିବାଦ, ପଡୋଶୀ କଳହ ମେଣ୍ଟିଯିବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ଯଶ-ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ। ବିଦ୍ୟାର୍ଥିମାନଙ୍କ ପାଇଁ ବର୍ତ୍ତମାନ ବିଶେଷ ଅନୁକୂଳ ସମୟ। ପ୍ରତିଯୋଗିତାରେ ପ୍ରଶାସନ ସେବା ସମ୍ବଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଶାତୀତ ଫଳ ପାଇବେ। ନେଇଥିବା ଲୋକ କିମ୍ବା ନଦଉଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ। ନୂତନ ବ୍ୟବସାୟ ଆରମ୍ଭ ପାଇଁ ଅତ୍ୟନ୍ତ ଉତ୍ତମ ସମୟ। ସନ୍ତାନଙ୍କ ସହଯୋଗ ପାଇ ଗୃହସ୍ଥ ଜୀବନରେ ଭରପୁର ସୁଖ ପ୍ରାପ୍ତି ହେବ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ପାଇବେ। ବ୍ୟବସାୟ କ୍ଷେତ୍ରରେ ବନ୍ଧୁ, ମିତ୍ର, ସହକର୍ମୀ ଓ ଭାଗୀଦାରୀଙ୍କ ପାଇଁ ପ୍ରଚୁର ଲାଭ ପାଇବେ। କର୍ମକ୍ଷେତ୍ରରେ ପୁରୁଣା ସମ୍ପର୍କରୁ ଲାଭବାନ ହେବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ପାଇବେ।

ମୀନ:-

ଆପଣଙ୍କ ରାଶିଠାରୁ ଦଶମ ସ୍ଥାନରେ ବୃହସ୍ପତି ପ୍ରବେଶ କରିବା ଫଳରେ ଧନଭାବ, ସୁଖଭାବ ଓ ରୋଗ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଏହା ଫଳରେ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ରାଜନୈତିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଏବଂ ସମ୍ମାନଜନକ ଘଟଣା ଦେଖାଦେବ। ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଶିକ୍ଷାର୍ଥୀମାନେ ଅଧ୍ୟୟନରେ ବାଧା ଉପୁଜିଲେ ମଧ୍ୟ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ ଓ ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ଆନନ୍ଦ ଉଲ୍ଲାସରେ ଦିନ ବିତାଇବେ। ଶତୃ ଓ ବିରୋଧୀ ମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ପୀଡାପ୍ରତି ସାବଧାନ ରହିବା ଉଚିତ୍। ପ୍ରତିକାର କଲେ ସମସ୍ତ ଶୁଭଫଳ ନିଶ୍ଚୟ ପାଇବେ।   

ଅଶୁଭ ବୃହସ୍ପତିଙ୍କ ପାଇଁ ପ୍ରତିକାର।

ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କଲେ ବହୁତ ଭଲ।

ହଳଦୀ ରଙ୍ଗର ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍। ନତୁବା ହଳଦୀ ରଙ୍ଗର ରୁମାଲ ପାଖରେ ରଖିବା ଆବଶ୍ୟକ।

ବ୍ରହ୍ମଜଷ୍ଠି ମୂଳ ବା ବ୍ରାହ୍ମଣଝାଟିଆ ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଓ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ୍ ସୂତାରେ ସ୍ତ୍ରୀମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିଲେ ବୃହସ୍ପତି ସନ୍ତୁଷ୍ଟ ରହିବେ।

ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ବିଷ୍ଣୁ ସହସ୍ରନାମ ଶ୍ରବଣ କିମ୍ବା ପଠନ କରିବେ। ଗୋଟିଏ ଥର ହରିବଂଶ ବସେଇ ଶ୍ରବଣ କଲେ ଅନେକ କ୍ଷୟକ୍ଷତିରୁ ରକ୍ଷା ମିଳିବ ।

ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ଜପକଲେ ଅଶୁଭତ୍ୱ ଖଣ୍ଡନ ହେବ ।

(କ) ଏକାକ୍ଷରୀ ଜୀବମନ୍ତ୍ର – ଓଁ ବୃଂ ବୃହସ୍ପତୟେ ନମଃ ।

(ଖ) ତାନ୍ତ୍ରିକ ବୃହସ୍ପତି ମନ୍ତ୍ର – ଓଁ ଗ୍ରାଂ ଗ୍ରୀଂ ଗ୍ରଂ ସଃ ଗୁରୁବେ ନମଃ ।

ବିଶେଷତଃ ଯଦିବୃହସ୍ପତିଙ୍କ ଦଶା କିମ୍ବା ଅନ୍ତର୍ଦ୍ଦଶା ଭୋଗହେଉ ଥାଏ ତେବେ ଉପରୋକ୍ତ ଫଳର ପ୍ରଭାବ ଅଧିକ ଅନୁଭବ କରିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!