ବୃହସ୍ପତି ମେଷ ରାଶିକୁ ସ୍ଵଚାର ହେବା ଫଳରେ କଣ ରହିବ 12ଟି ରାଶି ଉପରେ ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା ଅପ୍ରେଲମାସ ୨୧ତାରିଖ ଶୁକ୍ରବାରରେ ବୃହସ୍ପତି ମୀନରାଶିରୁ ଅଶ୍ଵିନୀନକ୍ଷତ୍ର ମେଷରାଶିକୁ ସ୍ଵଚାର ହୋଇ ଗମନ କରିବେ। ମେଷରାଶିରେ ୨୦୨୪ମସିହା ମଇମାସ ୧ତାରିଖ ପର୍ଯ୍ୟନ୍ତ ରହିବା ଫଳରେ ମିଥୁନ, ସିଂହ, ତୁଳା, ଧନୁ ଓ ମୀନ ରାଶିର ବୃହସ୍ପତି ଗୋଚରରେ ଶୁଭଫଳ ପ୍ରଦାନ କରିବେ। ସିଂହ, ଧନୁ ଓ ମୀନ ରାଶିର ଗୋଚରରେ ଶୁଭ ଓ ଚନ୍ଦ୍ର ଚଳନରେ ଶୁଭଯୋଗେ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ। ମେଷ, ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଚ୍ଛା, ମକର ରାଶିର ମଧ୍ୟମ ଶୁଭଫଳ ପ୍ରଦାନ କରିବେ। କୁମ୍ଭ ରାଶିର ଅଶୁଭଫଳ ପ୍ରଦାନ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତ ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ। ଯଦି ଜନ୍ମ କୁଣ୍ଡଳୀରେ ବୃହସ୍ପତି ଷଷ୍ଠ, ଅଷ୍ଟମ, ଦ୍ୱାଦଶ ଭାବରେ ଥାନ୍ତି କିମ୍ବା ନିଚ୍ଚରେ ଥାନ୍ତି କିମ୍ବା ପାପଗ୍ରହ ଯୁକ୍ତ ହୋଇଥାନ୍ତି। ଗୋଚରରେ ଚନ୍ଦ୍ର ରାଶିଠାରୁ ଏହି ଭାବସ୍ଥ ହେଉଥିଲେ ବୁଦ୍ଧି ବଳନାଶ ହେବ। ପ୍ରତ୍ୟେକ ବ୍ୟକ୍ତିଙ୍କର ତିନୋଟି ବଳହିଁ ଶ୍ରେଷ୍ଠ ଏବଂ ବିଚାର୍ଯ୍ୟ ବିଷୟ: ୧. ଦେହବଳ, ୨. ଧନବଳ, ୩. ବୁଦ୍ଧିବଳ। ଦେହବଳ ଓ ଧନବଳକୁ ବୁଦ୍ଧି ନିୟନ୍ତ୍ରଣ କରିଥାଏ। କହିବାକୁ ଗଲେ ବୁଦ୍ଧିବଳହିଁ ଶ୍ରେଷ୍ଠବଳ। ଜଣେ ବୁଦ୍ଧିମାନ ବ୍ୟକ୍ତି ଲକ୍ଷ ଲକ୍ଷ ଲୋକଙ୍କୁ ପରିଚାଳିତ କରିଥାଏ। କିନ୍ତୁ ଜଣେ ବୁଦ୍ଧିହୀନ ବ୍ୟକ୍ତି ନିଜକୁ ପରିଚାଳିତ କରିପାରେ ନାହିଁ। ବାରମ୍ବାର ଅନ୍ୟର ବୁଦ୍ଧିରେ ନିଜକୁ ପରିଚାଳିତ କରେ। ଯଦି ବ୍ୟକ୍ତିର ବୁଦ୍ଧି ନଥାଏ ତାହେଲେ ଆୟକରି ପାରେ ନାହିଁ କି ଗଚ୍ଛିତ ଧନକୁ ଠିକ୍ ଭାବରେ କାର୍ଯ୍ୟକାରୀ ନକରି ଶେଷରେ ଦାରିଦ୍ରତା ଦୁଃଖ ଭୋଗ କରିଥାଏ। ଏହି ତିନିବଳକୁ ବୃହସ୍ପତି ନିୟନ୍ତ୍ରଣ କରିଥାନ୍ତି ଏବଂ ଚତୁର୍ଥ ବଳ ଦେବବଳ କୁହଯାଏ। ଏହି ବଳ କାହାରି ହାତରେ ନଥାଏ। ଏହାକୁ ଐଶୀଶକ୍ତି ମଧ୍ୟ କୁହାଯାଏ।

ଏହା ସର୍ବଦା ଅଦୃଶ୍ୟ ଓ ନିରାକାର ହୋଇଥିବାରୁ ଏହାକୁ କେହି ସ୍ପର୍ଶ କରିପାରେନାହିଁ କି ଦେଖି ପାରେ ନାହିଁ। ଏଠି ବିଶ୍ୱାସ ହିଁ ମୁଖ୍ୟ। ଆଜିର ଭୌତିକ ଯୁଗରେ ଜାତ ବ୍ୟକ୍ତିମାନେ ଗ୍ରହପୂଜା, ଉପାସନା, ଦାନ ଧର୍ମାଦି କରିବା ପାଇଁ କୁଣ୍ଠା ପ୍ରକାଶ କରିଥାନ୍ତି। ଏହାର କାରଣ ପାପଗ୍ରହମାନେ ପୃଥିବୀର ନିକଟବର୍ତ୍ତୀ ହୋଇଥିବାରୁ ସେମାନଙ୍କର ପ୍ରଭାବରେ ପ୍ରଭାବିତ ହୋଇ ଜାତ ବ୍ୟକ୍ତିମାନେ ଧର୍ମ, କର୍ମ, ଜପ, ତପଠାରୁ ଦୂରେଇ ରହିିବାକୁ ପସନ୍ଦ ମନେ କରୁଛନ୍ତି। ପ୍ରତ୍ୟେକ ପ୍ରାଣୀଙ୍କର ପରମାତ୍ମା ଅଂଶ କମି କମି ଜୀବାତ୍ମା ଅଂଶ ବୃଦ୍ଧି ପାଇବାରେ ଲାଗିଛି। ବୃହସ୍ପତିଙ୍କ ଶରଣାପନ୍ନ ହେବାଦ୍ୱାରା ଜାତ ବ୍ୟକ୍ତିକୁ ଅଧିକ ବୁଦ୍ଧିବଳ ପ୍ରାପ୍ତ ହୋଇଥାଏ। ତା ସହ ଧନବଳ, ଦେହବଳ ମଧ୍ୟ ପୁଷ୍ଠ ହୋଇଥାଏ। କାରଣ ଦୈବିଜ୍ଞ ବୃହସ୍ପତିଙ୍କୁ ଅତ୍ୟନ୍ତ ଶୁଭଗ୍ରହ ବୋଲି ମାନିଥାନ୍ତି ଏବଂ ସମସ୍ତଙ୍କର ଧାରଣା ବୃହସ୍ପତି ସବୁ ସମୟରେ ଶୁଭଫଳ ପ୍ରଦାନ କରନ୍ତି। କିନ୍ତୁ ଅନୁଭବରୁ ପ୍ରମାଣ ମିଳେ ଅଶୁଭ ସମୟରେ ଅଶୁଭ ଫଳ ପ୍ରଦାନ କରନ୍ତି। ଶୁଭ ସମୟରେ ଶୁଭଫଳ ପ୍ରଦାନ କରିଥାନ୍ତି। କାହିଁକି ନା ଦଶ ଜଣ ଚୋରଙ୍କ ସହିତ ଜଣେ ସାଧୁ ବାସକଲେ ସେ ଯେମିତି ଚୋର ହୋଇଯାଏ ସେମିତି ଅନେକ ମନ୍ଦ ଗ୍ରହଙ୍କ ପ୍ରଭାବରେ ବୃହସ୍ପତିଙ୍କର ସମସ୍ତ ଶୁଭଫଳ ନଷ୍ଟ ହୋଇ ଅଶୁଭଫଳ ଭୋଗ କରିବାକୁ ପଡ଼େ। ଯେଉଁମାନେ ଦୁଷ୍ଟଗ୍ରହଙ୍କ ଦ୍ଵାରା ପୀଡ଼ିତ ହୋଇ ଦୁଃଖ କଷ୍ଟରେ ଜୀବନ ଯାପନ କରିବାକୁ ପଡିବ ସେମାନେ ପ୍ରତିକାର କରେଇନେବା ଅତ୍ୟନ୍ତ ସରଳ ଏବଂ ସୁବିଧା ଉପାୟ। କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା।

ମେଷ:-ମେଷରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ପ୍ରଥମ ବା ଜନ୍ମ ଭାବରେ ପ୍ରବେଶକରି ପଞ୍ଚମସ୍ଥାନ, ସପ୍ତମସ୍ଥାନ ଏବଂ ନବମ ସ୍ଥାନକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ନୂତନ ଉତ୍ସାହ ସଂଚାରଣ ହେବ। ଶତୃମାନେ ପରାଜିତ ହେବେ। ନୂତନ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟର ପ୍ରସାର ପ୍ରଚାର ହୋଇ ବ୍ୟବସାୟୀମାନେ ଅଶାତୀତ ଲାଭ ପାଇବେ। ଆୟ ବୃଦ୍ଧି ପାଇବା ଫଳରେ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ ଓ ଧନ ସଂଚୟ କରିବା, ଋଣ ପରିଶୋଧ କରିବାରେ ସମର୍ଥ ହେବେ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସମ୍ବନ୍ଧ ସୃଷ୍ଟି ହେବାସହ ଉଚ୍ଚାଧିକାରୀ ବ୍ୟକ୍ତିଙ୍କର ପ୍ରଶଂସାଭାଜନ ହେବେ, କର୍ମକ୍ଷେତ୍ରରେ ପଦୋନ୍ନତି, ଇପ୍ସିତ ଜାଗାକୁ ସ୍ଥାନାନ୍ତରଣ, ଅସ୍ଥାୟୀ କର୍ମୀମାନେ ସ୍ଥାୟୀ ନିଯୁକ୍ତି ପାଇପାରନ୍ତି। ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆନନ୍ଦିତ ହେବେ। ଉଚ୍ଚବିଦ୍ୟା ଅଧ୍ୟୟନ କରିବାର ସୁଯୋଗ ପାଇବେ।

ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। କିନ୍ତୁ ଆରମ୍ଭ କରିଥିବା କାର୍ଯ୍ୟରେ ବିଘ୍ନ, କୁଟୁମ୍ବଙ୍କ ସହିତ ଅନାବଶ୍ୟକ ଝଗଡା ଝାଣ୍ଟି ଲାଗି ରହିବ। ପୈତୃକ ସମ୍ପତ୍ତିକୁ ନେଇ ମାଲିମୋକଦ୍ଦମା ବା କୋର୍ଟ-କଚେରୀକୁ ଯିବାକୁ ପଡିପାରେ। ଉଦରରେ ଘା, ବାୟୁବିକାର, ଚର୍ମରୋଗରେ ପୀଡ଼ିତ ରହିବେ। ଅନ୍ୟକୁ ସାହାଯ୍ୟ କରିବା ପାଇଁ ଅନେକ ଅର୍ଥ ହରେଇ ବସିବେ। ଧାର୍ମିକ କାର୍ଯ୍ୟ ଯଜ୍ଞାଦି ଅନୁଷ୍ଠାନରେ ମନୋବୃତ୍ତି ନିବେଶ କରି କେତେକାଂଶରେ ବିପଦକୁ ଖଣ୍ଡନ କରିଦେଇ ପାରିବେ। ସବୁପରେ ଆପଣଙ୍କ ରାଶିରେରାହୁ ଅଛନ୍ତି ଶନି ସାଢ଼େସାତ ହୋଇଥିବାରୁ କ୍ଷତିର ମାତ୍ରା ବୃଦ୍ଧି ପାଇବ। ପ୍ରତିକାର:-୧- ବ୍ରହ୍ମଜଷ୍ଠି ମୂଳ ବା ବ୍ରାହ୍ମଣଝାଟିଆ ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଓ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ୍ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିଲେ ବୃହସ୍ପତି ସନ୍ତୁଷ୍ଟ ରହିବେ। ୨- ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କଲେ ବହୁତ ଭଲ।

ବୃଷ:-ବୃଷରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ଦ୍ୱାଦଶ ସ୍ଥାନରେ ପ୍ରବେଶ କରିଛନ୍ତି। ନାଶ ସ୍ଥାନରେ ପ୍ରବେଶ କରି ସୁଖଭାବ, ରୋଗଭାବ, ଏବଂ ନିଧନ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ଶତୃ ଓ ବିରୋଧୀ ମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ରାଜନୈତିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଏବଂ ସମ୍ମାନଜନକ ଘଟଣା ଦେଖାଦେବ। ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଶିକ୍ଷାର୍ଥୀମାନେ ଅଧ୍ୟୟନରେ ବାଧା ଉପୁଜିଲେ ମଧ୍ୟ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ ଓ ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ।

ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ଆନନ୍ଦ ଉଲ୍ଲାସରେ ଦିନ ବିତାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ବାରମ୍ବାର ଧନହାନୀ ଠକାମୀରେ ପଡିବେ। ଅନାବଶ୍ୟକ କ୍ଷେତ୍ରରେ ପଇସା ଦେଇ ଫସିଯିବେ। ଜୀବନସାଥି ଏବଂ ସନ୍ତାନ ଆୟତ୍ତରେ ନ ରହିବା ଫଳରେ ଦାମ୍ପତ୍ୟ ସୁଖରେ ହାନୀ ଘଟିବ ଓ ଗୃହରେ ବାଦବିବାଦ ଲାଗି ରହିବ। ତେଣୁ ପ୍ରତିକାର:- ୧-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ଓ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ୨-ମାସକୁ ଥରେ ଯେ କୌଣସି ଗୁରୁବାର ଦିନ ହଳଦୀ, ଗୁଡ଼, ପାଚିଲାକଦଳୀ, ବୁଟଡାଲି, ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଦାନ କଲେ ବହୁତ ଭଲ। ୩- ବ୍ରହ୍ମଜଷ୍ଠି ମୂଳ ବା ବ୍ରାହ୍ମଣଝାଟିଆ ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଓ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ୍ ସୂତାରେ ମହିଳାମାନେ ବାମବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିଲେ ବୃହସ୍ପତି ସନ୍ତୁଷ୍ଟ ରହିବେ।

ମିଥୁନ:-ମିଥୁନରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ଏକାଦଶ ବା ଲାଭଭାବରେ ପ୍ରବେଶ କରି ପରାକ୍ରମଭାବ, ସନ୍ତାନଭାବ, ଦାମ୍ପତ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ବେପାର ବଣିଜରେ ପ୍ରଚୁର ଲାଭ ମିଳିବ ଏବଂ ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହନ କ୍ରୟକରିବାର ସୁବିଧା ସୁଯୋଗ ପାଇବେ। ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡିଥିବା କାର୍ଯ୍ୟମାନ ଧିରେ ଧିରେ ସପୂର୍ଣ୍ଣ ହୋଇଯିବ। ପୁତ୍ରରତ୍ନ ପ୍ରାପ୍ତି ହେବ। ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୁନର୍ବାର ଫେରିପାଇ ସମ୍ମାନୀତ ହେବେ। ଆୟର ଯଥେଷ୍ଟ ଅର୍ଥ ମାଙ୍ଗଳିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ। ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ଧନଧାନ୍ୟ ମାନ ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂରହେଇ ବର୍ତ୍ତମାନ ଆପଣ ସୁଖର ସ୍ୱପ୍ନ ଦେଖି ପାରିବେ। ପ୍ରଗତି, ଲାଭ, ଭୌତିକସୁଖ ଓ ସମୃଦ୍ଧି ବୃଦ୍ଧି ହେବ।

ବିଦ୍ୟାର୍ଥିମାନଙ୍କ ପାଇଁ ବର୍ତ୍ତମାନ ବିଶେଷ ଅନୁକୂଳ ସମୟ। ପ୍ରତିଯୋଗିତାରେ ପ୍ରଶାସନ ସେବା ସମ୍ବଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅତ୍ୟନ୍ତ ଶୁଭ ସମୟ। ନେଇଥିବା ଲୋକ କିମ୍ବା ନଦଉଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ। ନୂତନ ବ୍ୟବସାୟ ଆରମ୍ଭ ପାଇଁ ଅତ୍ୟନ୍ତ ଉତ୍ତମ ସମୟ। ଯଶ-ମାନ-ପ୍ରତିଷ୍ଠା ପ୍ରତ୍ତିପତି ବୃଦ୍ଧି ପାଇବ। ସନ୍ତାନ ଏବଂ ଜୀବନସାଥିଙ୍କ ସହଯୋଗ ପାଇଁ ଗୃହସ୍ଥ ଜୀବନରେ ଭରପୁର ସୁଖ ପ୍ରାପ୍ତି ହେବ। ଅକାରଣରେ ସମୟକୁ ହାତଛଡ଼ା ନକରି ଜାତକ ଦେଖେଇ ପରାମର୍ଶ କରି ସମୟର ଉପଯୋଗ କରିବା ଉଚିତ୍। ପ୍ରତିକାର:- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ। କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ। ଗୁରୁବାରରେ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କର୍କଟ:-କର୍କଟରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ଦଶମ ସ୍ଥାନରେ ବା କର୍ମ ଭାବରେ ପ୍ରବେଶ କରିବା ଫଳରେ ଧନଭାବ, ସୁଖଭାବ, ରୋଗଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହାଫଳରେ ଆକସ୍ମିକ ଧନ ପ୍ରାପ୍ତି ହେବାସହ ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ବୁଡି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉ ନଥିଲେ କଳେବଳେ କୌଶଳେ ଆଦାୟ କରି ପାରିବେ। ସନ୍ତାନଭଳି ଦ୍ରବ୍ଯ ପ୍ରାପ୍ତିହେବ ଓ ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରି ପାରିବେ। ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ। ବନ୍ଧୁ, ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ।

ନୂଆ ନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ମହତ୍ୱ ଉଦ୍ଦେଶ୍ୟ ନେଇ ଉଚ୍ଚ ଆକାଂକ୍ଷାରେ ବିଦେଶ ଯାତ୍ରା କଲେ ନିଶ୍ଚୟ ଭାଗ୍ୟୋଦୟ ହେବା ସହ ଅଭିଳାଶ ପୂର୍ଣ୍ଣ ହେବ। ବିଦ୍ୟାର୍ଥିମାନେ ଶିକ୍ଷା କ୍ଷେତ୍ରରେ ଅଶାନୁରୂପକ ଫଳ ପାଇ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ରାଜନୈତିକ କ୍ଷେତ୍ରରେ ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ, ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ପୁରୁଣା ଶତୃମାନେ ପୁନରାୟ ପଛରେ ଲାଗିଯିବେ ଓ ଚିନ୍ତାଗ୍ରସ୍ତ ହୋଇ ରହିବେ। ବାରମ୍ବାର ମନ ଉଚ୍ଚାଟ ରହିବ। ଯାହାକିଛି ଆୟହେବ ଅଧିକଅର୍ଥ ପାରିବାରିକ କ୍ଷେତ୍ରରେ ଆତ୍ମୀୟମାନଙ୍କ ଉପଚାର ରୋଗ ନିବୃତ୍ତି ପାଇଁ ଖର୍ଚ୍ଚ ହୋଇଯିବ। ପ୍ରତିକାର:- ୧- ବ୍ରହ୍ମଜଷ୍ଠି ମୂଳ ବା ବ୍ରାହ୍ମଣଝାଟିଆ ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଓ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ୍ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିଲେ ବୃହସ୍ପତି ସନ୍ତୁଷ୍ଟ ରହିବେ। ୨- ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ବିଷ୍ଣୁ ସହସ୍ରନାମ ଶ୍ରବଣ କିମ୍ବା ପଠନ କରିବେ। ଗୋଟିଏ ଥର ହରିବଂଶ ବସେଇ ଶ୍ରବଣ କଲେ ଅନେକ କ୍ଷୟକ୍ଷତିରୁ ରକ୍ଷା ମିଳିବ। ୩- ହଳଦୀ ରଙ୍ଗର ରୁମାଲଟିଏ ସର୍ବଦା ପାଖରେ ରଖିବା ଆବଶ୍ୟକ।

ସିଂହ:-ସିଂହରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ଭାଗ୍ୟସ୍ଥାନରେ ପ୍ରବେଶ କରୁଥିବାରୁ ଲଗ୍ନ, ପରାକ୍ରମ ଓ ସନ୍ତାନ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହାଦ୍ୱାରା ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ ଏବଂ ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ। ମିଷ୍ଠାନ୍ନ ଭୋଜନ ବା ସୁସ୍ଵାଦୁ ଭୋଜନ ପ୍ରାପ୍ତି ହେବ। ଉତ୍ତମ ଆୟର ପଥ ପରିଷ୍କାର କରିବେ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଓ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରିବା ପାଇଁ ଆଗ୍ରହ ବଢିବ। ନୂତନ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିପାରିବେ। ସନ୍ତାନ ମାନଙ୍କର ସୁରୁଖୁରୁରେ ବିବାହ ସମ୍ପନ୍ନ କରି ପାଋବେ ଓ ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ।

କୁଟୁମ୍ବଙ୍କ ସହିତ ପୂର୍ବ କଳହ, ଦ୍ୱନ୍ଦ ଝଗଡ଼ା ଝାଣ୍ଟି ଓ ପୈତୃକ ସମ୍ପତ୍ତିକୁ ନେଇ ମାଲିମୋକଦ୍ଦମା, କୋର୍ଟ କଚେରୀରେ ଥିବା ସମସ୍ୟା ସହଜ ସରଳରେ ସମାଧାନ ହୋଇ ଯିବ। କର୍ମକ୍ଷେତ୍ରରେ ଉନ୍ନତି, ଆଶା କରୁଥିବା କ୍ଷେତ୍ରକୁ ସ୍ଥାନାନ୍ତରଣ ଯୋଗେ ଆନନ୍ଦିତ ହେବେ। ବ୍ୟବସାୟକ୍ଷେତ୍ର ପ୍ରସାର ପ୍ରଚାର ଫଳରେ ବିଶେଷ ଲାଭବାନ୍ ହେବେ। ଶିକ୍ଷାକ୍ଷେତ୍ରରେ ଖେଳକୁଦ ମନୋରଂଜନରେ ଅଧିକ ସମୟ କଟାଇଲେ ମଧ୍ୟ ପରୀକ୍ଷା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସା ପାଇବାସହ ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା କରିବେ। ପ୍ରତିକାର- ହଳଦୀ ରଙ୍ଗର ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍। ନତୁବା ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ। ୨- ହଳଦୀ ମାଳରେ ପ୍ରତ୍ୟେକଦିନ ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ଜପକରନ୍ତୁ – ଓଁ ବୃଂ ବୃହସ୍ପତୟେ ନମଃ।

କନ୍ୟା:-କନ୍ୟାରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ଅଷ୍ଟମ ସ୍ଥାନରେ ପ୍ରବେଶ କରି ଦ୍ୱାଦଶ ଭାବ, ଧନଭାବ ଓ ସୁଖଭାବକୁ ପ୍ରଭାବିତ କରୁଛନ୍ତି। ଯାହା ଫଳରେ ସରକାରୀ କର୍ମଚାରୀମାନେ ଧନ ଲାଭ କରିବାର ସୁଯୋଗ ପାଇ ଖୁସୀ ହେବେ। ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ ଏବଂ ଯେ କୌଣସି ଯାଗାରୁ ଧନ ଉପାର୍ଜନ କରି ପାରିବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ୟେଶ୍ୟକୁ ସଫଳ କରିବାରେ ସକ୍ଷମ ହୋଇପାରିବେ। ପ୍ରତିଯୋଗିତା ପରୀକ୍ଷାରେ ପ୍ରଶାସନିକ ସେବା ପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। ପରାକ୍ରମ ପ୍ରତିଷ୍ଠା ମାନ ବୃଦ୍ଧି ହେବ। ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉ ନଥିଲେ କଳେବଳେ କୌଶଳେ ଆଦାୟ କରିବାକୁ ଚେଷ୍ଟା କରିବେ। ପଡୋଶୀଙ୍କ ସହିତ ମଧୁର ସମ୍ପର୍କ ସ୍ଥାପନ ହେବ। ମହତ୍ତ୍ୱ ଉଦ୍ୟେଶ୍ୟ ନେଇ ଉଚ୍ଚ ଆକାଂକ୍ଷାରେ ବିଦେଶ ଯାତ୍ରା କଲେ ନିଶ୍ଚୟ ଭାଗ୍ୟୋନ୍ନତି ହେବା ସହ ଅଭିଳାଷ ପୂର୍ଣ୍ଣ ହେବ। କିନ୍ତୁ ଆୟ ଅପେକ୍ଷା ବ୍ୟୟ ଅଧିକ ହେବା ଫଳରେ ଆରମ୍ଭ କରିଥିବା କାର୍ଯ୍ୟ ଅଧାରେ ପଡି ରହିବ। ଖର୍ଚ୍ଚ ଅଧିକରୁ ଅଧିକ ହେବା ଫଳରେ ମାନସିକ ଦୁଃଶ୍ଚିନ୍ତା ବଢ଼ିଯିବ।

ଉଦରରୋଗ, ବାୟୁବିକାର, ଚର୍ମରୋଗ, ସ୍ନାୟୁ ରୋଗମାନ ସର୍ବଦା ଘେରି ରହିବ। ଖାଦ୍ୟ ଓ ଔଷଧର ପ୍ରତିକ୍ରିୟା ଜନିତ ବିଭିନ୍ନ ରୋଗପ୍ରତି ସତର୍କ ରହିବା ଉଚିତ୍। ଅତ୍ୟନ୍ତ ପ୍ରିୟ ଲୋକମାନେ ଅସନ୍ତୁଷ୍ଟ ହୋଇ ଦୂରେଇ ଯିବେ। ସନ୍ତାନ ବିବାହ, ବନ୍ଧୁ ବେଭାର ଆଦିରେ ଅନେକ ଖର୍ଚ୍ଚାନ୍ତ ହେବେ। ଅନ୍ୟକୁ ସାହାଯ୍ୟ କରିବା ପାଇଁ କିଛିଅର୍ଥ ହରେଇ ବସିବେ। ଧାର୍ମିକ କର୍ଯ୍ୟ ଯଜ୍ଞାଦି ଅନୁଷ୍ଠାନରେ ମନୋବୃତ୍ତି ନିବେଶ କରି କେତେକାଂଶରେ ବିପଦକୁ ଖଣ୍ଡନ କରିଦେଇ ପାରିବେ। ପ୍ରତିକାର- ୧-ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରନ୍ତୁ। ୨-ପ୍ରତିଦିନ ଏକମାଳା ଏହିମନ୍ତ୍ର ଜପ କରିବା ଉଚିତ୍‌। ମନ୍ତ୍ର- ଓଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ। ୩-ଗୁରୁବାର ଦିନ କଳଦୀଗଛ ମୂଳରେ ହଳଦୀପାଣି ଢ଼ାଳନ୍ତୁ ଓ ମାଆବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ।

ତୁଳା:-ତୁଳାରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ସପ୍ତମଭାବରେ ପ୍ରବେଶ କରି ଲାଭଭାବ, ପରାକ୍ରମ ଭାବ ଏବଂ ଲଗ୍ନଭାବକୁ ପ୍ରଭାବିତ କରୁଛନ୍ତି। ଯାହା ଫଳରେ ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ଅଚାନକ ଧନପ୍ରାପ୍ତି ହେବା ଫଳରେ ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ସହ ଯଶ, ମାନସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସଲ କରିପାରିବେ। ବିଶେଷ କରି ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରତିଯୋଗୀତା ପରୀକ୍ଷାରେ ପ୍ରଶାସନିକ ସେବା ପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଏବଂ ଧନଲାଭ କରିବାର ସୁଯୋଗ ପାଇବେ। ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ।

ନୂଆ ନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ହେବାସହ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ସମସ୍ତ ପ୍ରକାର ବ୍ୟବସାୟୀ ମାନେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ। ବିଦେଶ ଯାତ୍ରାଫଳରେ ବିଶେଷ ଲାଭବାନ୍ ହେବେ। ଅବିବାହିତ ହୋଇଥିଲେ ମନ ମୁତାବକ ଜୀବନସାଥୀ ମିଳିବା ସହ ବିବାହ ସମ୍ପନ୍ନ ହେବ। ସାମାଜିକ କ୍ଷେତ୍ରରେ ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ, ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଥିବାରୁ ଏହାକୁ ସଦୁପୋଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ୍। ୧-ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ। ୨-ଗୁରୁବାର ଦିନ କଳଦୀଗଛ ମୂଳରେ ହଳଦୀ ପାଣି ଢ଼ାଳନ୍ତୁ। ୩-ମାଆ ବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ।

ବିଚ୍ଛା:-ବିଚ୍ଛାରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ଷଷ୍ଠ ସ୍ଥାନରେ ପ୍ରବେଶ କରି କର୍ମସ୍ଥାନ, ବ୍ୟୟସ୍ଥାନ ଏବଂ ଧନ ବା କୁଟୁମ୍ବ କ୍ଷେତ୍ରକୁ ପ୍ରଭାବିତ କରୁଛନ୍ତି। ଯାହା ଫଳରେ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବାସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଭ୍ରମଣ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ୟେଶ୍ୟକୁ ସଫଳ କରିବାରେ ସକ୍ଷମ ହୋଇପାରିବେ ଓ ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। କିନ୍ତୁ ପଡ଼ୋଶୀ ଓ କୁଟୁମ୍ବଙ୍କ ସହ କଳିଝଗଡା ଲାଗି ରହିବା ଫଳରେ ବର୍ତ୍ତମାନ ସମୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ଠିକ୍ ହେବ ନାହିଁ। ପୁରୁଣା ରୋଗ ଓ ଶତୃମାନେ ପୁନରାୟ ପଛରେ ଲାଗିଯିବେ। ଯାହାକିଛି ଆୟହେବ ଅଧିକ ଅର୍ଥ ପାରିବାରିକ କ୍ଷେତ୍ରରେ ଆତ୍ମିୟମାନଙ୍କ ଉପଚାର ରୋଗ ନିବୃତ୍ତି ପାଇଁ ଖର୍ଚ୍ଚ ହୋଇ ଯାଇପାରେ।

ରୋଗ, ଶୋକ ଓ ଧନର ଦୂରୁପୋଯୋଗ, କ୍ଷୟକ୍ଷତିର କାରଣ ହେବ। ସର୍ବଦା ଆପଣ ଚିନ୍ତାଗ୍ରସ୍ତ ହୋଇ ରହିବେ ଏବଂ ବ୍ୟାକୁଳମନା ହେବେ। ଗୃହରେ କଳହ, ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଉତ୍ପନ୍ନ ହେବ। ତେଣୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ। ୧-ବୃହସ୍ପତିଙ୍କ ଯନ୍ତ୍ର ପ୍ରାଣ ପ୍ରତିଷ୍ଠା ପୂର୍ବକ ଧୂପ ଲଗେଇ ସ୍ଥାପନ କରିବେ। ପ୍ରତ୍ୟେକ ଦିନ ଦୁଇଟି ଧୂପ ଲଗେଇ ମନ ମଧ୍ୟରେ ନିଜର ଅଭିଳାଷ, ମନୋବାଞ୍ଛିତ କଳ୍ପନା କରି ମୁଣ୍ଡିଆ ମାରିବେ। ୨-ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରନ୍ତୁ। ୩-ବିଷ୍ଣୁ ମନ୍ଦିରରେ ହଳଦିଆ ଖେଚୁଡ଼ି, ଲଡୁ, ହଳଦିଆ ବସ୍ତ୍ର ଦାନ ଦିଅନ୍ତୁ।

ଧନୁ:-ଧନୁରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ଦେବଗୁରୁ ପଞ୍ଚମ ଭାବରେ ଅର୍ଥାତ୍ ବୁଦ୍ଧି ଏବଂ ସନ୍ତାନ କ୍ଷେତ୍ରରେ ଗୁରୁ ପ୍ରବେଶ କରିଛନ୍ତି ଯାହା ଫଳରେ ଏହି ସମୟ ମଧ୍ୟରେ ଭାଗ୍ୟଭାବ, ଲାଭଭାବ ଏବଂ ସନ୍ତାନଭାବ ପ୍ରଭାବିତ ହେବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂରହେଇ ବର୍ତ୍ତମାନ ଆପଣ ସୁଖର ସ୍ୱପ୍ନ ଦେଖି ପାରିବେ। ସନ୍ତାନକାମୀ ମାନଙ୍କର ପୁତ୍ରରତ୍ନ ପ୍ରାପ୍ତି ହେବ। ମାଆବାପାଙ୍କର ସନ୍ତାନଠାରୁ ସୁଖପ୍ରାପ୍ତି ହେବ। ବିବାହ ଯୋଗ୍ୟ ସନ୍ତାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବା ସହ ବିବାହ ମଧ୍ୟ ସୁରୁଖୁରୁରେ କରିଦେଇ ପାରିବେ। ଆୟ ପ୍ରବଳ ମାତ୍ରାରେ ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥିତିରେ ପ୍ରବଳ ଉନ୍ନତି ଦେଖାଦେବ। ଧନ ସଂଚୟ କରି ପାରିବେ, ଋଣ ପରିଶୋଧ କରିବାରେ ସମର୍ଥ ହେବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚବିଦ୍ୟା ଅଧ୍ୟୟନ କରିବାର ସୁଯୋଗ ପାଇବା ଫଳରେ ଆନନ୍ଦିତ ହେବେ। ନୂତନ ଉତ୍ସାହ ସଂଚାରଣ ହେବାସହ ମାନସିକ ଶାନ୍ତି ଓ ଉଚ୍ଚ ଆଶା ଅକାଂକ୍ଷା ପୂରଣ ହେବ। ପରିବାର ଜନଙ୍କ ଠାରୁ ସାହାଯ୍ୟ ସହଯୋଗ ଓ ସ୍ନେହଶ୍ରଦ୍ଧା ପାଇବେ। ଗୃହରେ ଶୁଭକାର୍ଯ୍ୟ ଓ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରି ଭାଇ ବନ୍ଧୁ, ପଡ଼ା ପଡ଼ୋଶୀ ମାନଙ୍କ ଠାରୁ ପ୍ରଶଂସା ପାଇବେ।

ନୂତନ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟର ପ୍ରସାର ପ୍ରଚାର ହୋଇ ପାରିବ ଓ ବ୍ୟବସାୟୀମାନେ ଅଶାତୀତ ଲାଭ ପାଇବେ। ଯାଗାଜମି, ଉଚ୍ଚସ୍ତରୀୟ ବାହନ ଓ ନୂତନ ଭବନ କ୍ରୟ କରିବେ। ନୂତନଗୃହ ନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡିବ। ଦୀର୍ଘଦିନ ଧରି ଅଧା ହୋଇ ପଡିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। କର୍ମକ୍ଷେତ୍ରରେ ପଦୋନ୍ନତି ଇପ୍ସିତ ଜାଗାକୁ ସ୍ଥାନାନ୍ତରଣ, ଅସ୍ଥାୟୀ କର୍ମୀମାନେ ସ୍ଥାୟୀ ନିଯୁକ୍ତି ପାଇବାସହ ଉଚ୍ଚାଧିକାରୀ ବ୍ୟକ୍ତିଙ୍କର ପ୍ରଶଂସାଭାଜନ ହେବେ। ୧- ମାଆ ବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ। ୨-ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ। ୩- ପ୍ରତ୍ୟେକ ଗୁରୁବାର ଦିନ ଗୋମାତାକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ।

ମକର:-ମକରରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ସୁଖ ସ୍ଥାନରେ ପ୍ରବେଶ କରିବେ। ଏହି ସମୟ ମଧ୍ୟରେ ଅଷ୍ଟମ ଭାବ, କର୍ମଭାବ ଓ ହାନୀ ବା ବ୍ୟୟ ଭାବକୁ ପ୍ରଭାବିତ କରିବେ। ଯାହା ଫଳରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆନନ୍ଦିତ ହେବେ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଅଭିଳଷିତ ଜିନିଷ କ୍ରୟ କରି ପାରନ୍ତି। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବା ସହ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ। ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଆପଣ ଯଦି ବ୍ୟବସାୟ କରୁଥାନ୍ତି ଅତ୍ୟଧିକ ସାବଧାନତା ଆବଶ୍ୟକ। ବ୍ୟବସାୟରେ ଉନ୍ନତି ହେବ।

କିନ୍ତୁ ଶେଷରେ ଅଧିକ ଖର୍ଚ୍ଚାନ୍ତ ହେବା ଫଳରେ ହିସାବ ପାଇବେ ନାହିଁ। ଋଣ ଭାର ବୃଦ୍ଧି ହେବ। ଶତୃମାନେ ମୁଣ୍ଡ ଟେକିବାକୁ ସାହାସ କରିବେ। ବ୍ୟବସାୟିକ ହିସାବପତ୍ର ସହ ଜମାଅର୍ଥ ଭଲ ଯାଗାରେ ରଖିବା ଉଚିତ୍। ନଚେତ୍ ଚୌର ଭୟ ଲାଗି ରହିବ। ରକ୍ତଚାପ ରୋଗ, ସୁଗାର, ପଇସା ଅଭାବରୁ ମାନସିକ ଅଶାନ୍ତି ବୃଦ୍ଧି ପାଇବ। ନୂତନ କାର୍ଯ୍ୟାରମ୍ଭ କଲେ ଭୁଲରେ ଅଧିକ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ପୂରଣ କରି ପାରିବେ ନାହିଁ। ପ୍ରତିକାର- ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରନ୍ତୁ। ୨- ହଳଦୀ ମାଳରେ ପ୍ରତ୍ୟେକଦିନ ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ଏକମାଳା ଜପକରନ୍ତୁ – ଓଁ ବୃଂ ବୃହସ୍ପତୟେ ନମଃ। ୩-ଗୁରୁବାର ଦିନ କଳଦୀଗଛ ମୂଳରେ ହଳଦୀପାଣି ଢ଼ାଳନ୍ତୁ। ମାଆବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ।

କୁମ୍ଭ:-କୁମ୍ଭରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ତୃତୀୟ ବା ପରାକ୍ରମ ସ୍ଥାନରେ ପ୍ରବେଶ କରିଛନ୍ତି। ଏହି ଭାବରେ ବୃହସ୍ପତି ପ୍ରବେଶ କରିବା ଫଳରେ ସପ୍ତମ ଭାବ ନବମଭାବ ଏବଂ ଲାଭ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ବୃହସ୍ପତି ଗୋଚର ରେ ଓ ଚନ୍ଦ୍ରଙ୍କ ଚଳନରେ ଅଶୁଭ ଥିବାରୁ ଅଶୁଭ ଫଳ ପ୍ରଦାନ କରିବେ। କିନ୍ତୁ ସପ୍ତମ ଭାବ ନବମଭାବ ଏବଂ ଲାଭ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁ ଥିବାରୁ ଏହିଭାବ ମାନଙ୍କରୁ ଶୁଭଫଳ ମିଳିବ ଯଥା ଦୀର୍ଘଦିନ ଧରି ଚନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରିପାରିବେ। ବହୁତ ଦିଗରୁ ଧନ ଉପାର୍ଜନ ହୋଇ ଆୟ ଅତି ମାତ୍ରାରେ ବୃଦ୍ଧି ପାଇବ ଓ ଅର୍ଥ ଆଦାନ ପ୍ରଦାନ କ୍ଷେତ୍ରରେ ସଫଳତା ପାଇବେ। ପରହାତରେ ଥିବା ଧନ ସହଜରେ ଆଦାୟ ହୋଇଯିବ। ସାମାଜିକ ଅନୁଷ୍ଠାନରେ ଓ ମାଙ୍ଗଳିକ କାର୍ଯ୍ୟରେ ଆପଣଙ୍କର କ୍ଷମତା ଦକ୍ଷତା ପ୍ରଦର୍ଶନ ହେବ।

ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ସାଂସାରିକ ଜୀବନ ସୁଖମୟ ହେବ। ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। କିନ୍ତୁ ଗୁରୁଙ୍କର ନକରାତ୍ମକ ପ୍ରଭାବ ଫଳରେ ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। ସତର୍କତା ଅବଲମ୍ବନ ନକଲେ ପରିବାର ଜନଙ୍କ ପାଇଁ ଅଯଥାଅର୍ଥ ବ୍ୟୟ ହେବାସହ ଜାଗା ଜମିବାଡ଼ି ନେଇ ସମସ୍ୟା ଦେଖା ଦେଇପାରେ। ସେଥିପାଇଁ ଧୈର୍ଯ୍ୟ, ସଂଯମତା ଏବଂ ସାବଧାନତାର ସହ କାର୍ଯ୍ୟ କରିବାକୁ ପଡିବ। ପ୍ରତିକାର:-୧-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ଓ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ୨-ମାସକୁ ଥରେ ୫ଖଣ୍ଡହଳଦୀ, ୫ଟାପାଚିଲାକଦଳୀ, ଗୁଡ଼ ୫ସହଗ୍ରାମ୍, ୨ସହଗ୍ରାମ୍ ବୁଟଡାଲି, ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କଲେ ବହୁତ ଭଲ। ୩- ବ୍ରହ୍ମଜଷ୍ଠି ମୂଳ ବା ବ୍ରାହ୍ମଣଝାଟିଆ ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଓ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ୍ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିଲେ ବୃହସ୍ପତି ସନ୍ତୁଷ୍ଟ ରହିବେ।

ମୀନ:-ମୀନରାଶିଜାତ ଆବାଳ ବୃଦ୍ଧ ବନିତାଙ୍କର ବୃହସ୍ପତି ଦ୍ୱିତୀୟ ସ୍ଥାନରେ ବା ଧନ ଓ କୁଟୁମ୍ବଭାବରେ ପ୍ରବେଶ କରି ଅଷ୍ଟମ ସ୍ଥାନ, ଷଷ୍ଠସ୍ଥାନ ଓ କର୍ମସ୍ଥାନ ଉପରେ ପୂର୍ଣ୍ଣ ଦୃଷ୍ଟି ରଖିବେ। ଯାହା ଫଳରେ ରୋଗ, ରୁଣ ଓ ଶତ୍ରୁ ନାଶ ହେବାସହ ଧନଧାନ୍ୟ ମାନ ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବା ସହ ନୂଆ ନୂଆ ଉପାୟ ଚିନ୍ତା କରିବେ। ବ୍ୟବସାୟିକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। ଉଚ୍ଚ ସ୍ତରୀୟ ଯାନ ବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ଧର୍ମାନୁଷ୍ଠାନ, ଯଜ୍ଞାନୁଷ୍ଠାନ ଓ ସାମାଜିକ କ୍ଷେତ୍ରରେ ଯୋଗଦେଇ ଉତ୍ସାହିତ ହେବାସହ ଆୟର ଯଥେଷ୍ଟ ଅର୍ଥ ମାଙ୍ଗଳିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ।

ଅବିବାହିତ ହୋଇଥିଲେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ଗୃହରେ ସୁଖଶାନ୍ତି ବିରାଜମାନ କରିବ ଓ ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ପୁତ୍ର କନ୍ୟାଙ୍କର ମାଙ୍ଗଳିକ କାର୍ଯ୍ୟ ସୁରୁଖୁରୁରେ କରିପାରିବେ। ପୁତ୍ରରତ୍ନ ପ୍ରାପ୍ତି ହେବ ନତୁବା ତତୁଲ୍ୟ ନୂତନଗୃହ, ନୂତନ ଯାନବାହାନ ଓ ନୂତନଜାଗାଜମି ପ୍ରାପ୍ତିହେବ। ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୁନର୍ବାର ଫେରିପାଇ ସମ୍ମାନୀତ ହେବେ। ବିଦ୍ୟାର୍ଥୀ ହୋଇଥିଲେ ପ୍ରଶାସନିକ ସେବା ସମ୍ବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍। କିମ୍ବା ମେଡିକାଲ୍ ସାଇନ୍ସ ଅଧ୍ୟୟନ କରୁଥିଲେ ବିଶେଷ ସଫଳତା ପ୍ରାପ୍ତି ହେବ। ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ୧-ଗୁଡ଼, କଦଳୀ, ବୁଟଡାଲି, ହଳଦୀ କୌଣସି ଏକ ଗୁରୁବାର ଦିନ ମନ୍ଦିରରେ ଦାନ କରି ଦିଅନ୍ତୁ। ୨-ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ। ୩-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!