ନିଶ୍ଚୟ ପଢନ୍ତୁ! ଜଗନ୍ନାଥଙ୍କ ରଥଯାତ୍ରା ବିଷୟରେ କିଛି କଥା।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା

ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଓ ସମଗ୍ର ବିଶ୍ଵରେ ମହାସମାରୋହରେ ପାଳନ କରାଯାଏ। ଏହି ଘୋଷ ଯାତ୍ରାକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କୁହାଯାଏ। ଉକ୍ତଦିନ ସକାଳର ପୂଜା ନୀତି ସମାପ୍ତ ହେବାପରେ ତିନିଠାକୁରଙ୍କର ପହଣ୍ଡି ବିଜେ ହୁଏ ଓ ତା’ପରେ ସମସ୍ତେ ରଥାରୁଢ଼ା ହୁଅନ୍ତି।

ପହଣ୍ଡୀ ବିଜେ

ସର୍ବପ୍ରଥମେ ପହଣ୍ଡୀ ବିଜେରେ ଯାତ୍ରା କରନ୍ତି ସୁଦର୍ଶନ। ତାଙ୍କୁ ସୁଭଦ୍ରା ଦେବୀଙ୍କର ଦେବଦଳନ ରଥରେ ବିରାଜମାନ କରାଯାଏ। ଶ୍ରୀଜଗନ୍ନାଥଙ୍କର ବଡ଼ଭାଇ ବଳଭଦ୍ର ମହାପ୍ରଭୁଙ୍କର ପହଣ୍ଡୀ ବିଜେ ଏହାପରେ କରାଯାଇ ତାଙ୍କୁ  ତାଙ୍କ ତାଳଧ୍ୱଜରଥ ଉପରେ ବିରାଜମାନ  କରାଯାଏ। ତା’ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡୀ ବିଜେ କରାଯାଇ ତାଙ୍କୁ ଦେବଦଳନ ରଥରେ ବିରାଜିତ କରାଯାଏ। ଶେଷରେ ପହଣ୍ଡୀ ବିଜେ ହୁଅନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଜଗତର ନାଥ ସ୍ୱୟଂ ଜଗନ୍ନାଥଙ୍କୁ ତାଙ୍କରଥ ନନ୍ଦିଘୋଷରେ ବିରାଜମାନ କରାଯାଇଥାଏ।

ଛେରା ପହଁରା

ଶ୍ରୀଜଗନ୍ନାଥଙ୍କର ପ୍ରଥମ ସେବକ ପୁରୀ ଶ୍ରୀମନ୍ଦିରର ଠାକୁର ରାଜା ଶ୍ରୀ ଦିବ୍ୟସିଂହ ଦେବ ପାଲିଙ୍କିରେ ବସି ରାଜନହରରୁ ଆସନ୍ତି ତିନି ଠାକୁରଙ୍କ ରଥକୁ ଛେରା ପହଁରା କରିବାକୁ। ଚନ୍ଦନ ମିଶ୍ରିତ ଜଳ ସେବାୟତମାନେ ଛିଞ୍ଚିବା ପରେ ମହାରାଜା ପ୍ରଭୁଙ୍କୁ ପ୍ରାର୍ଥନା କରି ସ୍ୱର୍ଣ୍ଣ ଧାତୁରେ ନିର୍ମିତ ପହଁରାରେ  ଛେରାପହରା ଆରମ୍ଭ କରନ୍ତି। ଏହାପରେ ତିନିରଥରେ ତାଙ୍କର ସାରଥୀ ଓ ଘୋଡ଼ାଙ୍କୁ ଯୋଡ଼ାଯାଏ ଏବଂ ଚାରମାଳ ବାହାର କରାଯାଇ “ଜୟ ଜଗନ୍ନାଥ” ହର୍ଷ ଧ୍ୱନୀରେ ରଥଯାତ୍ରା କାର୍ଯ୍ୟ ଆରମ୍ଭ କରାଯାଏ। ସର୍ବ ପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କର ତାଳଧ୍ୱଜ ରଥ ଓ ତା’ପରେ ଦେବୀ ସୁଭଦ୍ରାଙ୍କର ଦେବଦଳନ ରଥ ଟଣାଯାଏ।

ଶେଷରେ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଶ୍ରଦ୍ଧାଳୁ ଭକ୍ତମାନଙ୍କର ହରିବୋଲ ଓ ସିମନ୍ତିନୀଗଣଙ୍କର ହୁଳହୁଳି ଧ୍ୱନିରେ ଟଣାଯାଇଥାଏ। ଏହି ରଥଗୁଡିକ ହାରାହାରି ତିନି କିଲୋମିଟର ଦୂରରେ ଅବସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟଣା ହୋଇଥାଏ। ପରଦିନ ପୁନରାଏ ପହଣ୍ଡୀ ବିଜେ କରାଇ ଶ୍ରୀ ଗୁଣ୍ଡିଚା ମନ୍ଦିରସ୍ଥିତ ସିଂହାସନରେ ବିରାଜମାନ କରାଯାଏ। ସେଠାରେ ଲଗାତର ସାତଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭଳି ରୀତିନୀତିରେ ବିଗ୍ରହମାନଙ୍କର ପୂଜାନୀତି ଅନୁଷ୍ଠିତ ହେବା ସହ ନୈବେଦ୍ୟ ସମର୍ପଣ କରାଯାଏ।

ହେରା ପଞ୍ଚମୀ

ଶ୍ରୀ ମନ୍ଦିରରେ ଋଷିକରି ବସି ରହିଥିବା ମହାଲକ୍ଷ୍ମୀ ପାଞ୍ଚଦିନ ପରେ ହେରା ପଞ୍ଚମୀଦିନ ନିଜେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି। ହେଲେ ଗୁଣ୍ଡିଚା ମନ୍ଦିରର ସେବାୟତ ଗଣ ଶ୍ରୀ ଜଗନ୍ନାଥଙ୍କୁ ସାକ୍ଷାତ କରିବାକୁ ମା’ଲକ୍ଷ୍ମୀଙ୍କୁ ବିରୋଧ କରନ୍ତି। ଫଳରେ ମା’ ଲକ୍ଷ୍ମୀଙ୍କ ହୃଦୟରେ କ୍ରୋଧ ଜାତ ହୁଏ ବରଂ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ଦିଅନ୍ତି। ସାତଦିନ ଦେବବିଗ୍ରହ ମାନେ ବିଶ୍ରାମ କଲାପରେ ଦଶମୀଦିନ ବାହୁଡ଼ା ଯାତ୍ରା ପାଳନ କରାଯାଏ। ଏହାକୁ ଫେରିବା ଯାତ୍ରା କହିଥାନ୍ତି। ଏହି ସମୟରେ ମଧ୍ୟ ପୂର୍ବବିଧି ବିଧାନ ଅନୁସାରେ ପ୍ରଥମେ ସୁଦର୍ଶନ ଓ ସୁଭଦ୍ରାଙ୍କୁ ଦେବଦଳନ ରଥରେ ପହଣ୍ଡୀ ବିଜେ କରାଇ ବିରାଜମାନ କଲାପରେ ମହାପ୍ରଭୁ ବଳଭଦ୍ରଙ୍କୁ ତାଳଧ୍ୱଜ ଓ ଶ୍ରୀ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ବିରାଜମାନ କରାଯିବା ପରେ ମହାରାଜା ଦିବ୍ୟସିଂହଦେବ ପୂର୍ବପନ୍ଥା ଅନୁସାରେ ଛେରାପହଁରା କାର୍ଯ୍ୟ ସୁଚାରୁ ରୂପେ କରିଥାଆନ୍ତି। ତା’ପରେ ଶ୍ରଦ୍ଧାଳୁ ଭକ୍ତମାନେ ରଥ ଟାଣିବା ଆରମ୍ଭ କରନ୍ତି। ସିଂହଦ୍ୱାରରେ ରଥ ପହଞ୍ଚିବା ପୂର୍ବରୁ ପୁରୀ ନରେଶ ରାଜନଅର ନିକଟରେ ଲକ୍ଷ୍ମୀ ନାରାୟଣ ଭେଟ କରାଇଥାଆନ୍ତି।

ସିଂହଦ୍ୱାରରେ ରଥ ଉପରେ ବିରାଜିତ ବିଗ୍ରହଙ୍କର ଏକାଦଶୀ ତିଥିରେ ସୁନାବେଶ କରାଯାଏ ଏବଂ ଶ୍ରୀ ମନ୍ଦିରରେ ବିରାଜିତ ମହାଲକ୍ଷ୍ମୀଙ୍କର ଅନୁମତି ମିଳିବା ପରେ ବିଗ୍ରହମାନଙ୍କୁ ପୁନରାଏ ରତ୍ନ ସିଂହାସନରେ ବିରାଜମାନ କରାଯାଇଥାଏ।

ପ୍ରକୃତରେ କହିବାକୁ ଗଲେ ରଥଯାତ୍ରା ପର୍ବ ଅକ୍ଷୟତୃତୀୟାରୁ ଆରମ୍ଭ କରାଯାଇଥାଏ। ଏହିଦିନଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଚଳନ୍ତି ପ୍ରତିମା ମଦନମୋହନଙ୍କର ଚନ୍ଦନଯାତ୍ରା, ବିଗ୍ରହମାନଙ୍କର ସ୍ନାନଯାତ୍ରା, ଅଣସର ଘରେ ଜ୍ୱର ଭୋଗିବା, ରାଜବୈଦ୍ୟ ଦ୍ୱାରା ଔଷଧ ସେବନ କରିବା ପରେ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ତଥା ରଥ ଯାତ୍ରା ଆରମ୍ଭ ହୋଇଥାଏ। ପ୍ରତିବର୍ଷ ନୂତନ କରି ତିନିରଥ ନର୍ମାଣ କରାଯାଏ ଓ ସିଂହଦ୍ୱାରର ଆଗରେ ସୁସଜ୍ଜିତ କରି ଉତ୍ତର ଦିଗକୁ ବଡ଼ଦାଣ୍ଡରେ ଛିଡ଼ା କରାଯାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!