ମତ୍ସ୍ୟପୁରାଣ, ଭବିଷ୍ୟ ପୁରାଣ, ନାରଦୀୟ ପୁରାଣ, ବ୍ରହ୍ମପୁରାଣ ଓ ବିଷ୍ଣୁ ଧର୍ମସୂତ୍ରରେ ଉଲ୍ଲେଖ ଅଛି ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାଦିନ ପୃଥିବୀ ମଧ୍ୟରେ ଜନାର୍ଦ୍ଦନଙ୍କ ଅବତାର ଓ ସତ୍ୟଯୁଗ ଆରମ୍ଭ ହୋଇଥିଲା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଷଷ୍ଠ ଅବତାର ନରନାରାୟାଣ ପର୍ଶୁରାମ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ । ଏହିଦିନ ଶଙ୍କର ଘରଣୀ ଗଙ୍ଗାଙ୍କୁ ରାଜା ଭଗିରଥ ସ୍ୱର୍ଗରୁ ହିମାଳୟ ଶିଖରକୁ ଆଣିଥିବାର କିମ୍ବଦନ୍ତୀ ଅଛି । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଶ୍ରୀହରିଙ୍କର ଚନ୍ଦନଯାତ୍ରା ଆରମ୍ଭ ହୁଏ । ସବୁତିଥି କ୍ଷୟ ବୃଦ୍ଧିହେଲେ ମଧ୍ୟ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି କ୍ଷୟ ହୁଏନାହିଁ ତେଣୁ ଏହାକୁ ଅକ୍ଷୟ ତୃତୀୟା କୁହାଯାଏ ।
ଅକ୍ଷୟ ତୃତୀୟା ତିଥିରେ ରବି, ଚନ୍ଦ୍ର ଉଚ୍ଚରାଶିରେ ଅବସ୍ଥାନ କରିଥିବାରୁ ଶାସ୍ତ୍ରମତରେ ଅକ୍ଷୟ ତୃତୀୟାକୁ ସ୍ଵୟଂସିଦ୍ଧ ମୂହୁର୍ତ୍ତ ବୋଲି ଧରି ନିଆଯାଇଛି । ବୈଶାଖ ଶୁକ୍ଳତୃତୀୟାତିଥିରେ କୃତ୍ତିକା ନକ୍ଷତ୍ର ହେଲେ ସେ ତିଥି ବିଶେଷ ଫଳପ୍ରଦ ହୁଏ । ଏହିତିଥିରେ ରୋହିଣୀ ନକ୍ଷତ୍ର ଯୁକ୍ତ ହେଲେ ସେ ତିଥିରେ ଅକ୍ଷୟ ପୁଣ୍ୟଫଳ ଲାଭହୁଏ । ଏବର୍ଷ ବୈଶାଖମାସ ଶୁକ୍ଳପକ୍ଷ ତୃତୀୟାତିଥି ରବିବାର ରୋହିଣୀ ନକ୍ଷତ୍ର ଯୁକ୍ତ ହେଉ ଥିବାରୁ କୃଷକ ମାନଙ୍କର ଆଶା ଅଭିଳାଷ ନିଶ୍ଚୟ ପୂରଣ ହେବ । ଏହିଦିନ ପଞ୍ଜିକା ନଦେଖି ତୃତୀୟା ତିଥି ଭୋଗ ହେଉଥିବା ଯାଏ ସମସ୍ତ ମାଙ୍ଗଳିକ କାର୍ଯ୍ୟ ନିର୍ବିଘ୍ନରେ କରିପାରିବେ ।
ଏବର୍ଷ ବୈଶାଖମାସ ଶୁକ୍ଳପକ୍ଷ ତୃତୀୟାତିଥି ରବିବାର ଦିନ ଘ ୧ଟା ୨୩ମିନିଟ୍ ପର୍ଯ୍ୟନ୍ତ ରହିବ ଏହିସମୟ ମଧ୍ୟରେ ଭୂମିପୂଜନ, ଧାନବୁଣା, ବୃକ୍ଷ ରୋପଣ, ଗୃହରମ୍ଭ, ଗୃହପ୍ରବେଶ, ବିବାହ, ବ୍ୟବସାୟ ଆରମ୍ଭ, ଉଦ୍ଦୋଗ ଆରମ୍ଭ, ପଦଭାରଗ୍ରହଣ, ଜାଗା, ଜମି, ଗୃହ, ବାହନ ଆଦି କ୍ରୟ ବିକ୍ରୟ କରି ପାରିବେ । ଏହିଦିନ ଭଲକାମକଲେ ଫଳ କେବେବି ସମାପ୍ତ ହେବନାହିଁ କିନ୍ତୁ ମନ୍ଦକାର୍ଯ୍ୟ କଲେ ଏହାର ପରିଣାମ ଜୀବନସାରା ଭୋଗିବାକୁ ପଡିବ ।
ବୈଶାଖମାସ ସମାନ ମାସନାହିଁ ସତ୍ୟଯୁଗ ସମାନ ଯୁଗନାହିଁ ବେଦସମାନ ଶାସ୍ତ୍ରନାହିଁ
ଗଙ୍ଗାସମାନ ତୀର୍ଥନାହିଁ ଅକ୍ଷୟ ତୃତୀୟା ସମାନ ତିଥିନାହିଁ
ଏହି ତିଥିରେ ସୁର୍ଜ୍ୟୋଦୟ ପୂର୍ବରୁ ଉଠି ସ୍ନାନ ଦାନ ଜପ ଧର୍ମଶାସ୍ତ୍ର ପଠନ କଲେ ଶୁଭ ଫଳଦାୟୀ ହେବ । ଅକ୍ଷତ, ଧଳା ହଳଦିଆ ଫୁଲ, ଧୂପ, ଦୀପ, ଚନ୍ଦନ ଇତ୍ୟାଦି ଦ୍ଵାରା ଲକ୍ଷ୍ମୀ ନାରାୟଣଙ୍କୁ ପୂଜାର୍ଚ୍ଚନା କଲେ ଗୃହରେ ଲକ୍ଷ୍ମୀ ବିରାଜମାନ କରନ୍ତି, ସନ୍ତାନ ମାନଙ୍କର ବିଦ୍ୟାବୁଦ୍ଧି ଯଶ ପ୍ରାପ୍ତି ହୋଇ ଥାଏ । କଳିଯୁଗରେ ନକରାତ୍ମକ ପ୍ରଭାବରୁ ରକ୍ଷା ପାଇବା ପାଇଁ ନିଜର ଶକ୍ତି ଅନୁସାରେ ଏହିଦିନ ନଦୀସ୍ନାନ, ତର୍ପଣ, ଶୋଷୀଙ୍କୁ ଓ ବୃକ୍ଷରେ ଜଳ ଦାନ, ଅସହାୟଙ୍କୁ ଓ ପଶୁପକ୍ଷିଙ୍କୁ ଖାଦ୍ୟଦାନ, ପିତୃ ପୁରୁଷଙ୍କ ଉଦ୍ୱେଶ୍ୟରେ ପିଣ୍ଡଦାନ, ଶ୍ରାଦ୍ଧ କାର୍ଯ୍ୟମାନ ଶ୍ରଦ୍ଧାଯୁକ୍ତ ହୋଇ କଲେ ଗ୍ରହପୀଡା ନିବାରଣ ହୋଇ ଅନନ୍ତ କଳ୍ପିତ ଫଳଲାଭ ହୁଏ ।
ବିଶେଷତଃ ହୋମଯଜ୍ଞ, ଅସହାୟଙ୍କୁ ଖାଦ୍ୟଦାନ, ଜଳପାତ୍ର, ଦହି, ଫଳ, ଛତା, ବିଞ୍ଚଣା ବା ପଙ୍ଖା ଦାନକଲେ ଅଗ୍ନିତାପ ନିବାରିତ ହେବାସହ ଶରୀର ସୁସ୍ଥରହି ଦୁଖଃ ଦାରିଦ୍ର୍ୟ ଦୂର ହୋଇଥାଏ । ଏହି ଦିନରେ ଅସହାୟଙ୍କୁ ଓ ପଶୁପକ୍ଷିଙ୍କୁ ଅନ୍ନଦାନ କଲେ ମା’ ସରସ୍ୱତୀ ପ୍ରସନ୍ନ ହୁଅନ୍ତି ଓ ସନ୍ତାନମାନେ ସୂର୍ଯ୍ୟଙ୍କଭଳି ତେଜିୟାନ ହୋଇ ଥାଆନ୍ତି ବିଦ୍ୟା, ବୁଦ୍ଧି, ଯଶମାନ ବୃଦ୍ଧି ହୋଇ ଥାଏ । ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତିତ କରିବାପାଇଁ ଏହିଦିନ ସର୍ବଶ୍ରେଷ୍ଠ ଦିନବୋଲି ବିବେଚନା କରାଯାଇଛି ।
ଏଦିନ ଦାନପୁଣ୍ୟ କଲେ ତାହା ଖର୍ଚହୁଏ ନାହିଁ ବରଂ ଅଜାଣତରେ କରିଥିବା ପାପ ନାସହୋଇ ଭବିଷ୍ୟତ ବଂଶଧରଙ୍କ ପାଇଁ ଅକ୍ଷୁର୍ଣ୍ଣ ଫଳମିଳେ । ଅକ୍ଷୟ ତୃତୀୟା ଦିନ ସୁର୍ଜ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସମାପନ କରିତମ୍ବାପାତ୍ରରେ ଶୁଦ୍ଧଜଳନେଇ ପୂର୍ବ ମୁଖହୋଇ ସୂର୍ଯ୍ୟଙ୍କୁ ଚାହିଁ ଏହି ମନ୍ତ୍ରରେ ସାତଥର ଅର୍ଘ୍ୟ ଦେବେ । ପ୍ରତ୍ୟେକ ଦିନ ଏହିପରି କରିଚାଲିଲେ ଦୁଖଃ ଦୁର୍ଦଶା ଦୁରହୋଇ ସୁଖ ଶାନ୍ତି ପାଇ ପାରିବେ ।
ଔଁ ଭାସ୍କରାୟ ଦିଦ୍ମହେ ମହାତେଜାୟ ଧୀମହୀ ତନ୍ନୋସୂର୍ଯ୍ୟ ପ୍ରଚ୍ଚୋଦୟାତ୍