ବିଛା ରାଶିରୁ ଧନୁ ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ 12ଟି ରାଶିର ଶୁଭାଶୁଭ, ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା ୧୬ / ୧୨/ ୨୦୨୧ ମସିହା ଗୁରୁବାର ଦିନ ବିଛାରାଶିରୁ ଧନୁରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବି ମହାଗ୍ରହ ଶୁଭ ସ୍ଥିତିରେ ରହିବା ଆବଶ୍ୟକ । ରବି ମହାଗ୍ରହ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ସ୍ୱୟଂ ଶକ୍ତି, ଜ୍ଞାନବିଜ୍ଞାନ, ମାନସମ୍ମାନ, ପଦପ୍ରତିଷ୍ଠା, ବାପାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ ପଦବୀ, ଯଶ, କୀର୍ତ୍ତି, ପ୍ରଶସ୍ତି, ଆୟୁ, ରାଜା, ରାଜନୀତି, ମସ୍ତିସ୍କ, ହାଡ, ସ୍ୱାସ୍ଥ୍ୟ ଚିକିତ୍ସା, ହୃଦୟ, ଉଋ, ପିତ୍ତ, ଚକ୍ଷୁ, ରକ୍ତ ପ୍ରବାହ, ଗରମ ତଥା କରେଣ୍ଟ ଆଦିର କାରକ ସୂର୍ଯ୍ୟ ବା ରବି ମହାଗ୍ରହ ଅଟନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରି ଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ ।

ମେଷ:-ମେଷରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ନବମ ଭାବରେ ଭାଗ୍ୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଶତୃମାନେ ପରାଜିତ ହୋଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବା ଫଳରେ ମାନସିକ ଦୁଃଶ୍ଚିନ୍ତା ଦୂର ହେବ । କର୍ମସଂଧାନୀ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଦ୍ଵାରା ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ପାଇବ । ପାରିବାରିକ କ୍ଷେତ୍ରରେ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ନୂତନପନ୍ଥା ଅନୁସରଣ କରିବେ । ବ୍ୟବସାୟରେ ଭଲ ଲାଭ ହେବ । ପ୍ରତିକାର- ପ୍ରତ୍ୟେକ ଦିନ ତୁଲସୀ ମୂଳ ମାଟି ମସ୍ତକରେ ଧାରଣ କରନ୍ତୁ ।

ବୃଷ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଅଷ୍ଟମ ଭାବରେ ବା ନିଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇ ଲାଭର ପରିମାଣ ଅଧିକ ହେବ । ବେମାର, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । କର୍ମକ୍ଷେତ୍ରରେ ନୂଆଲକ୍ଷ ନିର୍ଦ୍ଧାରିତ କରି ମନ ଲଗାଇ କାର୍ଯ୍ୟ କରିବେ । ବନ୍ଧୁମାନଙ୍କ ସାହାଯ୍ୟ ପାଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ପ୍ରେମିକ ପ୍ରେମିକାମାନେ ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ । ଭୁଲ୍ ଲୋକର ପରାମର୍ଶରେ ଜାଣିଶୁଣି ଭୁଲ୍ ବାଟରେ ଯିବେ । କର୍ମ ମୁଖରତା ଯୋଗେ ଶାରୀରିକ ପିଡ଼ା ଭୋଗି ପାରନ୍ତି । ଆତ୍ମୀୟମାନେ ଭିତରେ ଚେର କାଟିବେ । ବିଷକୁମ୍ଭ ପୟୋମୁଖ ବ୍ୟକ୍ତିମାନେ ଅନେକ କ୍ଷେତ୍ରରେ ଅପଦସ୍ଥ କରିବେ । ପ୍ରତିକାର:- ପ୍ରତ୍ୟେକ ଦିନ ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମିଥୁନ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ସପ୍ତମ ଭାବରେ ବା ଜାୟାବ୍ୟବସାୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ଵିତ ହେବେ । ପାରିବାରିକ କ୍ଷେତ୍ରରେ ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ ଓ ସାମାଜିକ ପ୍ରତିଷ୍ଠା. ମାନ-ସମ୍ମାନ ବୃଦ୍ଧି ହେବ । ଦାମ୍ପତ୍ୟ ସୁଖରେ ମଧୁରତା ଆସି ଅଧିକ ଘନିଷ୍ଠତା ହେବ । ରାଜନୀତିରେ କୃତକାର୍ଯ୍ୟ ହେବା ସହ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ବିଦ୍ୟାକ୍ଷେତ୍ରରେ ବୀଜୟ ପ୍ରାପ୍ତ ହେବ ଓ ଅଚାନକ ଭାବରେ କୌଣସି ସୁସମ୍ବାଦ ଶୁଣିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ଦାୟିତ୍ଵ ବଢିବା ଯୋଗେ ଅନ୍ୟମନସ୍କ ରହିବେ । ପଡୋଶୀ ମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିବେ । ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ବିଧେୟ । ପ୍ରତିକାର- ପ୍ରତ୍ୟେକ ଦିନ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଷଷ୍ଠ ଭାବରେ ବା ରୋଗ, ରୁଣ, ଶତ୍ରୁ ଭାବରେ ଅବସ୍ଥାନ କରିବେ । ଯାହାଫଳରେ କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ବନ୍ଧୁ ମିତ୍ରଙ୍କ ସାହାଜ୍ୟପାଇ କଳେବଳେ କୌଶଳରେ ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବେ । କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ବିତିଯାଇଥିବା ମାମଲାରେ ମଧ୍ୟ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଚତୁରତାସହ ଗତିକରି କାମ ହାସଲ କରିବେ ଓ ଉନ୍ନତି କରି ପାରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ ଓ ପରିବାରରେ ଆଦରପାଇ ସୁଖଭୋଗ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ନୂଆ ନିଯୁକ୍ତି ପାଇବାର ଯୋଗ ମଧ୍ୟ ଅଛି । ଛାତ୍ର ଛାତ୍ରୀମାନେ ମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ । ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବା ଫଳରେ ମାନସିକ ଶାନ୍ତି ମିଳିବ ଓ ଋଣଭାର ଲାଘବ ହେବ । ପ୍ରତିକାର- ପ୍ରତ୍ୟେକ ଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପଞ୍ଚମଭାବ ବା ବୁଦ୍ଧି ଓ ସନ୍ତାନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ । ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ସାକ୍ଷାତକାରରେ ସଫଳ ହେବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର-ଦୃଷ୍ଟିହୀନ ଲୋକଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଚତୁର୍ଥ ଭାବରେ ବା ସୁଖ ଓ ଶିକ୍ଷାଭାବରେ ଅବସ୍ଥାନ କରିବେ । ଯାହାଫଳରେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟୟ ଅପେକ୍ଷା ଆୟ ଅଧିକ ହେବା ଫଳରେ ନୂତନ ସଂସ୍ଥାର ଆୟୋଜନ କରିବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଅନେକ ସମସ୍ୟା ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ମାନସିକ ଶାନ୍ତି ମିଳିବ ଓ ଋଣଭାର ଲାଘବ ହେବ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ଦାମ୍ପତ୍ୟ ସୁଖରେ ଖୁସି ହେବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ପ୍ରତିକାର:- ପ୍ରତ୍ୟେକ ଦିନ କଦଳୀଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ ।

 

ତୁଳା:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ତୃତୀୟ ଭାବରେ ବା ବିକ୍ରମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସୁସମ୍ପର୍କ ରହିବ । ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ । ଉତ୍ତମ ରୋଜଗାର ପାଇ ଋଣଭାର ଲାଘବ କରି ପାରିବେ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ଫଳପାଇବେ । ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ସନ୍ତାନଙ୍କ ଯୋଗେ ମାନସିକ ଶାନ୍ତି ଅନୁଭବ କରିବେ । ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ଗୁରୁ ଗୁରୁଜନ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ । ଭାଇ ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିବ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ । ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ବିଚ୍ଛା:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦ୍ଵିତୀୟ ଭାବରେ ବା ଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ବିଗିଡିଯାଇଥିବା କାର୍ଯ୍ୟ ସୁଧୁରିଯିବ । ପରିବାର ବା ଘର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ଅସହାୟ ମାନଙ୍କୁ ସାହାଯ୍ୟ କରିବା ଫଳରେ ଲୋକମାନଙ୍କ ନିକଟରେ ମାନସମ୍ମାନ ପ୍ରତିଷ୍ଠା ପ୍ରତିପ୍ରତ୍ତି ବୃଦ୍ଧି ପାଇବ । ନୂତନ ଲୋକଙ୍କ ସହିତ ଭେଟ ହୋଇ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଯେ କୌଣସି ପରୀକ୍ଷା ବା ସାକ୍ଷାତ୍କାରର ପରିଣାମ ଆପଣଙ୍କ ସପକ୍ଷରେ ରହିବ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା କୌଣସି ଖୁସି ପ୍ରସଙ୍ଗ ଆସିବା ଫଳରେ ମନ ପ୍ରଫୁଲ୍ଲିତ ରହିବ । ଚାକିରୀରେ ପ୍ରମୋଶନ ମିଳିବାର ଯୋଜନା ପ୍ରସ୍ତୁତ ହେବ । ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସନ୍ତାନ ସୁଖ ମିଳିବ । ଯାତ୍ରାଫଳରେ ଉତ୍ସାହିତ ହେବେ । ରାଜନୀତିରେ ସାଧାରଣ ପରିଶ୍ରମ ଫଳରେ ଅଧିକ ଉନ୍ନତି ହେବ । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ । ଦାମ୍ପତ୍ୟ ସୁଖରେ ଖୁସି ହେବେ । ସମୟ ଗୁଡିକ ହସ ଖୁସିରେ ବିତିବ । ପ୍ରତିକାର- ପ୍ରତ୍ୟେକ ଦିନ ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ ଓ ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ପରିବାରରେ ସୁଖଶାନ୍ତି ଯୋଗେ ସମସ୍ତ ଚିନ୍ତା ଦୂର ହୋଇ ସମ୍ମାନର ସହ ଦିନଚର୍ଯ୍ୟା ସମ୍ପାଦନ କରିବେ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ । ପରିବାର ସମ୍ବନ୍ଧିତ କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ । କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ । ବିରୋଧୀ କିଛି କ୍ଷତି କରିପାରିବେ ନାହିଁ । ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ । ଛାତ୍ର-ଛାତ୍ରୀମାନେ ଖେଳ, କୁଦ, ପ୍ରତିଯୋଗିତା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ବାଦବିବାଦ, ମାଲିମୋକଦ୍ଦମାରେ ରାଜକୀୟ ସମ୍ମାନ ମିଳିବ । ପ୍ରତିକାର:- ପ୍ରତ୍ୟେକ ଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମକର:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ବ୍ୟୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବା ସହ ସମାଜିକ ସ୍ତରରେ ନିଜର ଖ୍ୟାତି ବୃଦ୍ଧି ପାଇବ । ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ । ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହେବେ । ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ବଜାୟ ରହିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ଦୂରଯାତ୍ରାର ସୁଯୋଗ ପାଇବେ । ଉଚିତ ପନ୍ଥା ଗ୍ରହଣ କରି ସଫଳତା ଅର୍ଜନ କରିବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ । କର୍ମ କ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଏକାଦଶ ଭାବରେ ବା ଲାଭଭାବରେ ଅବସ୍ଥାନ କରିବେ । ଯାହାଫଳରେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ଫଳରେ ଆର୍ଥିକସ୍ଥିତି ଭଲ ରହିବ । ଖେଳ, କୁଦ, ପ୍ରତିଯୋଗିତା କ୍ଷେତ୍ରରେ ପ୍ରଶଂସା ପାଇବେ । ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ । ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତିରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ବିଦ୍ୟାକ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରି ଚର୍ଚ୍ଚିତ ହେବେ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ ।

ମୀନ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦଶମଭାବରେ ବା କର୍ମଭାବରେ ଅବସ୍ଥାନ କରିବେ । ଯାହାଫଳରେ ନୂତନକର୍ମ ନିଯୁକ୍ତିର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବା ସହ ଉନ୍ନତି କରି ପାରିବେ । ବ୍ୟବସାୟରେ ସ୍ଥିତି ସୁଧୁରି ଯାଇ ଭଲ ଲାଭ ପାଇବା ସହ ସମସ୍ତ ଆଶା ପୂରଣ ହେବ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ କେତେକ କ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ । ଛାତ୍ର ଛାତ୍ରୀମାନେ ଦୂର ସ୍ଥାନକୁ ଯାତ୍ରାକରିବେ ଓ ଖେଳ, କୁଦ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରେମିକ ପ୍ରେମିକା ମାନେ ଅସୁବିଧା ପରିସ୍ଥିତିକୁ ସାମାନ୍ୟ ଚେଷ୍ଟାରେ ସଜାଡି ଦେବେ । ଶାରିରୀକ ଅସୁସ୍ଥତା ଦୂରହେବ । ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । ସେୟାର ବଜାରରେ ମୁନାଫା ମିଳିବା ସହ ଆୟବୃଦ୍ଧି, ଋଣମୁକ୍ତି ହୋଇ ପାରନ୍ତି । ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇ ପାରେ । ସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!