କନ୍ୟା ରାଶିରୁ ତୁଳା ରାଶିକୁ ରବି ସଂକ୍ରମଣ ଫଳରେ କଣ ରହିବ 12ଟି ରାଶି ଉପରେ ଏହାର ପ୍ରଭାବ, ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବି ମହାଗ୍ରହ ଶୁଭ ସ୍ଥିତିରେ ରହିବା ଆବଶ୍ୟକ । ରବି ମହାଗ୍ରହ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ସ୍ୱୟଂ ଶକ୍ତି, ଜ୍ଞାନବିଜ୍ଞାନ, ମାନସମ୍ମାନ, ପଦପ୍ରତିଷ୍ଠା, ବାପାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ ପଦବୀ, ଯଶ, କୀର୍ତ୍ତି, ପ୍ରଶସ୍ତି, ଆୟୁ, ରାଜା, ରାଜନୀତି, ମସ୍ତିସ୍କ, ହାଡ, ସ୍ୱାସ୍ଥ୍ୟ ଚିକିତ୍ସା, ହୃଦୟ, ଉଋ, ପିତ୍ତ, ଚକ୍ଷୁ, ରକ୍ତ ପ୍ରବାହ, ଗରମ ତଥା କରେଣ୍ଟ ଆଦିର କାରକ ସୂର୍ଯ୍ୟ ବା ରବି ମହାଗ୍ରହ ଅଟନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରି ଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ । ତା ୧୭ / ୧୦ / ୨୦୨୨ ମସିହା ସୋମବାରଦିନ କନ୍ୟାରାଶିରୁ ତୁଳାରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ସପ୍ତମ ଭାବରେ ବା ଜାୟା, ବ୍ୟବସାୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ ଓ ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ । ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ସହ ସୁନାମ ଅର୍ଜନ କରିବେ । ନୂତନ ଯୋଜନାରେ ସଫଳତା ମିଳିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ଆଚାର ବ୍ୟବହାରରେ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ । ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ରାଜନୈତିକ କ୍ଷେତ୍ରରେ ବାଦବିବାଦ ଠାରୁ ଦୂରେଇ ରହିବା ଉଚିତ । ସାମାଜିକ, ଆଧ୍ୟାତ୍ମିକ ଓ ଧାର୍ମିକକାର୍ଯ୍ୟ ସଂସ୍ଥାରେ ସାମିଲ ହୋଇ ପାରନ୍ତି । ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଷଷ୍ଠଭାବରେ ବା ରୋଗ, ରୁଣ, ଶତ୍ରୁ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସରକାରୀ କର୍ମଚାରୀମାନଙ୍କର କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘ ଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖି ପାରିବେ । ବ୍ୟବସାୟରେ ବିରାଟ ଯୋଜନାର ସଂକଳ୍ପ ନେବେ ଓ ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତ୍ତମ ରୋଜଗାର ହେବ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ବିଶେଷ ଲାଭବାନ୍ ହେବେ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପଞ୍ଚମଭାବ ବା ସନ୍ତାନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସାମାଜିକ ସ୍ତରରେ ଉଚ୍ଚପଦ ପଦବୀରେ ଅଧିଷ୍ଠିତ ହୋଇ ପାରନ୍ତି । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବାଦ୍ଵାରା ଆୟର ସ୍ରୋତ ଖୋଲିଯିବ । ଶରୀର ସୁସ୍ଥ ରହିବା ସହ ଯାତ୍ରାରେ ବିଶେଷ ଲାଭବନ୍ ହେବେ । ଉଚ୍ଚାକାଂକ୍ଷା ପୁର୍ତ୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ । ବ୍ୟବସାୟୀମାନେ ଧନମାନ ଦିଗରୁ ସୁରକ୍ଷିତ ରହିବେ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ସନ୍ତୋଷ ହେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ପରିବାରରେ ଅର୍ଥ ସଙ୍କଟ ଦୂରେଇ ଯିବାରୁ ଅତ୍ୟଧିକ ଆନନ୍ଦିତ ହେବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ହେବାସହ ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ । ପୁରାତନ ରୋଗର ଉପଶମ ହୋଇ ଶରୀର ସୁସ୍ଥ ରହିବ । ପ୍ରତିକାର:- ପ୍ରତ୍ୟେକଦିନ ଶୟନ କକ୍ଷରେ ଘିଅ ଦୀପ ଜାଳନ୍ତୁ ।

କର୍କଟ:-ରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଚତୁର୍ଥ ଭାବରେ ବା ସୁଖ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ରାଜନୈତିକ କ୍ଷେତ୍ରରେ ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସ ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିପାଇବ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଧନଲାଭ ହେବ କିନ୍ତୁ ବ୍ୟୟ ମଧ୍ୟ ହେବ । ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ । ମନକୁ ଆଘାତ ଲାଗିଲାପରି କଥା ଶୁଣିବାକୁ ପାଇ ପାରନ୍ତି । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ । ନୁତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ଉଚ୍ଚିତ୍ । ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ତୃତୀୟ ଭାବରେ ବା ବିକ୍ରମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସନ୍ତାନମାନେ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିଲେ ପଢା ପଢିରେ ମନ ଦେବେ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍ । ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ଉନ୍ନତିର ସୁଯୋଗ ପାଇ ପାରିବେ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ । ପରହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବା ଫଳରେ ସାଂସାରିକ ଜୀବନ ସୁଖମୟ ହେବ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବା ଫଳରେ ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ପ୍ରତିକାର- ପ୍ରତ୍ୟେକଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କନ୍ୟା:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦ୍ଵିତୀୟ ଭାବରେ ବା ଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସରକାରୀ କ୍ଷେତ୍ରରେ ଉନ୍ନତିହେବା ସହ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବା ଫଳରେ ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ । କର୍ମକ୍ଷେତ୍ରରେ ଉନ୍ନତି ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ବାଦବିବାଦ, ମାଲିମକଦ୍ଦମା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇ ପାରେ । ପ୍ରତିକାର:- ପ୍ରତ୍ୟେକ ଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବନାହିଁ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବାଦବିବାଦ, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ପରିବାରର ସାହାଯ୍ୟରେ ଉପକୃତ ହେବେ । ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । କିନ୍ତୁ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ବାଧା ଆସିପାରେ । ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ବ୍ୟୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସାଙ୍ଗ ସାଥିମାନେ ସାହାଯ୍ୟ କରିବେ । ବରିଷ୍ଠ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟର ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସୁଫଳ ପାଇବେ । ଯୁକ୍ତିତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ । ରାଜନୀତି କ୍ଷେତ୍ରରେ ସଂଘର୍ଷ ଦ୍ୱାରା ସଫଳତା ମିଳିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି । ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଏକାଦଶ ଭାବରେ ବା ଲାଭଭାବରେ ଅବସ୍ଥାନ କରିବେ । ଯାହାଫଳରେ ଶତ୍ରୁମାନେ ତଳମୁହାଁ ହେବେ ଓ ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଓ ଶୁଭ ସମାଚାର ଶୁଣିବାକୁ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନାପାଇ ସଫଳତା ଲାଭ କରିବେ । ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରିବେ । ଉଚ୍ଚ ସମ୍ଭାବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଆର୍ଥିକ ସ୍ଥିତିରେ ବୃଦ୍ଧି ହେବା ସହ ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପାରିବାରିକ ଜୀବନରେ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ । ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ ଦଳଗତ ସମସ୍ୟାରେ ସଫଳତା ପାଇଁ ଗର୍ବିତ ହେବେ । ପ୍ରତିକାର- ପ୍ରତ୍ୟେକଦିନ କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦଶମଭାବରେ ବା କର୍ମଭାବରେ ଅବସ୍ଥାନ କରିବେ । ଯାହାଫଳରେ ଏକ ବଡ କମ୍ପାନୀରୁ ଚାକିରିର ସୁଯୋଗ ପାଇପାରିବେ ଓ ନୂତନ ପ୍ରକଳ୍ପଗୁଡିକ ସହଜରେ ସମାଧାନ ହୋଇ ପାରେ । ଅପ୍ରତ୍ୟାଶିତ ଆର୍ଥିକ ବୃଦ୍ଧି ହୋଇପାରେ । ନୂତନ ସମ୍ପର୍କ ବିଷୟରେ ମନରେ ଉତ୍ସାହ ଆସିବ । ପୈତୃକ ସମ୍ପତ୍ତିର ସମସ୍ୟା ସମାଧାନ ହେବ । ନୂତନ ଯୋଜନାକୁ କ୍ରିୟାନ୍ୱିତ କରି ପାରିବେ ଓ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ଯେ କୌଣସି କାର୍ଯ୍ୟ ହାତକୁ ନେଲେ ଶେଷ କରିବା ପରେ ଆଶ୍ୱସ୍ଥି ହେବେ । ଗୃହନିର୍ମାଣ, ଜମିଜମା କ୍ରୟ ବିକ୍ରୟ, ସେୟାର ବଜାର, ଜୁଆ, ଲଟେରୀ, ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନେ ଜଗିରଖି ଚଳିଲେ ଆଶାତୀତ ଲାଭ ପାଇବେ । ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ଧନମାନ ଦିଗରୁ ସୁରକ୍ଷିତ ରହିବେ । ନୂତନ କାର୍ଯ୍ୟାରମ୍ଭ, ଶତ୍ରୁହାନୀ, ଉଚ୍ଚଆଶା ସଫଳହେବ ଓ ଉଚ୍ଚ ପ୍ରଶଂସା ଲାଭ କରିବେ । ପ୍ରତିକାର- ପ୍ରତ୍ୟେକଦିନ ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ ।

କୁମ୍ଭ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ନବମ ଭାବରେ ଭାଗ୍ୟ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଦୀର୍ଘଦିନପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି । ଆକସ୍ମିକ ଧନ ପ୍ରାପ୍ତି ହେବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ । ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ହେବ ଓ ବକେୟା ଅର୍ଥ କିଛି ମିଳିବ । ଯଦି ଆପଣ କୌଣସି ସଭା ସମିତିକୁ ଯାଉଛନ୍ତି ତେବେ ଆପଣଙ୍କୁ ଭଲ ଭାବରେ ପ୍ରସ୍ତୁତ ହେବାକୁ ପଡିବ । ପ୍ରଶାସନ ସହ ଜଡିତ ଲୋକମାନଙ୍କ ଉପରେ କମ୍ ଚାପ ରହିବା ଯୋଗେ ଆନନ୍ଦିତ ହେବେ । ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ । ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲିକ୍ଷିତ ହେବ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । କୌଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ କ୍ଷତିରେ ପଡିବେ । ଯାହାର ବେଶି ଉପକାର କରିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ପ୍ରତିକାର:- ପ୍ରତ୍ୟେକଦିନ ଶୟନ କକ୍ଷରେ ଘିଅ ଦୀପ ଜାଳନ୍ତୁ ।

ମୀନ:-ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଅଷ୍ଟମ ଭାବରେ ବା ନିଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପୁରୁଣାରୋଗର ପ୍ରକୋପ ବୃଦ୍ଧି ପାଇବା ସହ ଶତୃମାନେ ପୁନରାୟ ପଛରେ ଲାଗି ଯାଇ ପାରନ୍ତି । ଅଯଥାଧନ ଖର୍ଚ୍ଚହୋଇଯିବା ଫଳରେ ବିରକ୍ତିସ୍ୱଭାବ ପ୍ରକାଶପାଇ ପାରେ । ସତର୍କତା ଅବଲମ୍ବନ ନକଲେ ମାନସମ୍ମାନ ହାନୀ ହେବାର ବିଶେଷ ସମ୍ଭାବନା ଅଛି । ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!